ଧର୍ମ

ଓଁକାର ସ୍ୱରୂପ ନାଗେଶ୍ୱର ଦେବ

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ନିଜାମ ହାଇଦ୍ରାବାଦର ଔଦା ଗ୍ରାମରେ ସ୍ଥିତ ଶିବଲିଙ୍ଗଙ୍କୁ ମଧ୍ୟ କେହି ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ ବୋଲି ବିଶ୍ୱାସ କରନ୍ତି। ପୁଣି କେହି ବରୋଦା ଅନ୍ତର୍ଗତ ଗୌମତୀ ଦ୍ୱାରିକା ଧାମର ଐଶାନ କୋଣରୁ ତଥା ଆଲମୋରା ଠାରୁ ୧୬ କିଲୋମିଟର ଦୂରରେ ଅବସ୍ଥିତ ପ୍ରସିଦ୍ଧ ଜାଗେଶ (ଜାଗେଶ୍ୱର) ଦେବ ହିଁ ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ ବୋଲି ବିଶ୍ୱାସ କରନ୍ତି।

ସକଳ ବିଷ ହରଣକାରୀ ମହାକାଳ ଶିବଙ୍କ ଗଳାର ମାଳା ହେଉଛନ୍ତି ନାଗରାଜ୍। ପ୍ରଭୁଙ୍କର ଆଭୁଷଣ ମଧ୍ୟ ନାଗ। ତେଣୁ ତାଙ୍କ ନାମ ନାଗଭୂଷଣ। ଶ୍ରୀ ନାଗେଶ୍ୱର ହେଉଛନ୍ତି ନାଗ ଅର୍ଥାତ୍ ନାଗ ସର୍ପଙ୍କର ଈଶ୍ୱର। ଶ୍ରୀ ନାଗେଶ୍ୱର ମହାଦେବ ସମଗ୍ର ଜଗତକୁ ସମସ୍ତ ପ୍ରକାର ବିଷ ପ୍ରକୋପରୁ ରକ୍ଷା କରନ୍ତି। ବିଶ୍ୱାସ ରହିଛି, ଶ୍ରୀ ନାଗେଶ୍ୱରଙ୍କୁ ଆରାଧନା କଲେ ସବୁ ଅପକର୍ମର କୁ-ଫଳରୁ ମୁକ୍ତି ମିଳେ।

ଶ୍ରୀ ନାଗେଶ୍ୱର ଜ୍ୟୋତିର୍ଲିଙ୍ଗଙ୍କ ମହିମା ଶୁଣିଲେ ମନୁଷ୍ୟକୁ ସମସ୍ତ ଭୌତିକ ଏବଂ ଆଧିଭୌତିକ ସୁଖଶାନ୍ତି ପ୍ରାପ୍ତ ହୁଏ। ଶ୍ରୀ ନାଗେଶ୍ୱରଙ୍କ ଆଶ୍ରିତ ସହଜରେ ସର୍ପାଘାତରୁ ମୁକୁଳିଯାଏ। ଅଜ୍ଞାତ ଆତଙ୍କର ମୁକ୍ତିଦାତା ଶ୍ରୀ ନାଗେଶ୍ୱରଙ୍କ ସ୍ତୁତିରେ ଭକ୍ତ କହେ, “ନାଗେନ୍ଦ୍ରହାରାୟ ତ୍ରିଲୋଚନାୟ, ଭସ୍ମାଙ୍ଗରାଗାୟ ମହେଶ୍ୱରାୟ, ନିତ୍ୟାୟ ଶୁଦ୍ଧାୟ ଦିଗମ୍ବରାୟ, ତସ୍ମୈ ନ କାରାୟ ନମଃ ଶିବାୟ’।

ଶ୍ରୀ ନାଗେଶ୍ୱର ଜ୍ୟୋତର୍ଲିଙ୍ଗ ଦକ୍ଷିଣାଭିମୁଖୀ। ଗର୍ଭଗୃହରେ ପୂଜା ପାଉଥିବା ଶିବଲିଙ୍ଗ ଅନ୍ୟ ଶିବଲିଙ୍ଗଙ୍କ ଭଳି ସ୍ତମ୍ଭାକୃତି ନୁହଁନ୍ତି। ଶ୍ରୀ ନାଗେଶ୍ୱରଙ୍କର ଶିର ଭାଗ ମସୃଣ ନୁହଁନ୍ତି। ପବିତ୍ର ଦ୍ୱାରକା ଶୀଳାରେ ନିର୍ମିତ ଏହି ଶିବଲିଙ୍ଗ। ଯାହାଙ୍କ ଆକୃତି ତ୍ରିମୁଖୀ ରୁଦ୍ରାକ୍ଷ ଭଳି ଏବଂ ଓଁକାର ସ୍ୱରୂପରେ ଦର୍ଶନ ଦେଉଛନ୍ତି ଶ୍ରୀ ନାଗେଶ୍ୱର ଦେବ।

କିମ୍ବଦନ୍ତୀ ଅନୁସାରେ ମହାଦେବ ତାଙ୍କର ପରମ ଭକ୍ତ ସୁପ୍ରିୟର ଉଦ୍ଧାର ନିମନ୍ତେ ଜ୍ୟୋତିର୍ଲିଙ୍ଗ ଧାରଣ କରିଥିଲେ। ସୁପ୍ରିୟ ଦାରୁକ ବନରେ ସର୍ବଦା ଶିବ ପଞ୍ଚାକ୍ଷର ମନ୍ତ୍ର ଜପ କରୁଥିଲେ। ହେଲେ ଶିବ ଅନୁଗାମୀ ରାକ୍ଷସ ଦାରୁକ ଏହା ସଜ୍ୟ କରିନପାରି ସୁପ୍ରିୟ ଏବଂ ତାଙ୍କ ସହ ଶିବ ପୂଜାରେ ନିମଗ୍ନ ଭକ୍ତଗଣଙ୍କୁ ବନ୍ଦୀ କଲା। ରାକ୍ଷସ ଦାରୁକ ଶିବ ଉପାସନା କରି ଅଧିକ ଶକ୍ତିଶାଳୀ ହେବା ଆଶାରେ ସୁପ୍ରିୟଙ୍କୁ ଦେବାଧିଦେବ ମହାଦେବଙ୍କ ବର ପାଇବା ଭଳି ମନ୍ତ୍ର ଶିଖାଇବାକୁ ବାଧ୍ୟ କଲା। ସୁପ୍ରିୟ ଚିନ୍ତାରେ ପଡିଗଲେ। ସେ ଅନୁଭବ କଲେ ମହାଦେବଙ୍କ ବରପ୍ରାପ୍ତି ପରେ ଦୁରାଚାରୀ ରାକ୍ଷସ ଜୀବଜଗତର ବିପୁଳ କ୍ଷତି କରିବ।

ଦାରୁକ ଧମକରେ ନଡରି ସୁପ୍ରିୟ ନିଜେ ମହାନ ଶିବ ପଞ୍ଚାକ୍ଷରୀ ମନ୍ତ୍ର ‘ଓଁ ନମଃ ଶିବାୟ’ ଜପରେ ମଗ୍ନ ରହିଲେ। ଏଥିରେ ଉତକ୍ଷିପ୍ତ ଦାରୁକ ରାକ୍ଷସ ସୁପ୍ରିୟଙ୍କ ସମେତ ବନ୍ଦୀଶାଳାରେ ଥିବା ସମସ୍ତ ଶିବ ଭକ୍ତଙ୍କୁ ହତ୍ୟା କରିବାର ସଙ୍କଳ୍ପ ନେଲା। ଏଭଳି ପରିସ୍ଥିତିରୁ ମୁକ୍ତି ପାଇଁ ସୁପ୍ରିୟ ଏବଂ ଅନ୍ୟ ସମସ୍ତ ଭକ୍ତ ବନ୍ଦୀଶାଳା ମଧ୍ୟରେ ଶିବ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବାରେ ଲାଗିଲେ। ଏଥିରେ ସନ୍ତୁଷ୍ଟ ହୋଇ ଦେବାଧିଦେବ ମହାଦେବ ଦାରୁକ ରାକ୍ଷସର ବଧ ନିମନ୍ତେ ସୁପ୍ରିୟଙ୍କୁ ପାଶୁପତ ଅସ୍ତ୍ର ପ୍ରଦାନ କରି ରାକ୍ଷସର ସଂହାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ତିଥିରୁ ବନ୍ଦୀଶାଳାରେ ପ୍ରଭୂଙ୍କ ଆବିର୍ଭାବ ସ୍ଥଳ ଶ୍ରୀ ନାଗେଶ୍ୱର ଧାମ ଭାବରେ ପରିଚିତ। ମହାନ୍ ଶିବ ପୁରାଣ ‘କୋଟିରୁଦ୍ର ସଂହିତା’ରେ ପ୍ଳାବନ ନାଗେଶ୍ୱର ଧାମ ‘ଦାରୁକାବନେ ନାଗେଶମ୍’ ଭାବେ ଉଲ୍ଲିଖିତ ହୋଇଛି।

Leave a Reply

Your email address will not be published. Required fields are marked *