ଧର୍ମ

ଶ୍ରୀମଦ୍ଭଗବଦଗୀତା – ଅଥ ପ୍ରଥମୋଽଧ୍ୟାୟଃ (୧ମ ରୁ ୧୧ଶ ଶ୍ଳୋକ ପର୍ଯ୍ୟନ୍ତ)

ଓଁ ଶ୍ରୀ ପରମାତ୍ମନେ ନମଃ
ଅବତରଣିକା

ପାଣ୍ଡବମାନେ ବାର ବର୍ଷ ବନବାସ ଓ ଏକ ବର୍ଷ ଅଜ୍ଞାତବାସ କରିବା ପରେ ପୂର୍ବ ପ୍ରତିଜ୍ଞା ଅନୁସାରେ ଯେତେବେଳେ ନିଜର ଅଧା ରାଜ୍ୟ ମାଗିଲେ, ସେତେବେଳେ ଅଧା ରାଜ୍ୟ କ’ଣ, ବିନା ଯୁଦ୍ଧରେ ତୀକ୍ଷ୍ଣ ସୂଚ୍ୟଗ୍ର ପରିମିତ ଭୂମି ଦେବା ପାଇଁ ମଧ୍ୟ ଦୁର୍ଯ୍ୟୋଧନ ସ୍ୱୀକାର କଲେ ନାହିଁ। ତେଣୁ ପାଣ୍ଡବମାନେ ମାତା କୁନ୍ତୀଙ୍କ ଆଦେଶ ଅନୁସାରେ ଯୁଦ୍ଧ ସ୍ୱୀକାର କଲେ, ଏହି ରୂପେ ପାଣ୍ଡବ ଓ କୌରବଙ୍କ ମଧ୍ୟରେ ଯୁଦ୍ଧ ହେବା ସ୍ଥିର ହୋଇଗଲା ଏବଂ ସେହି ଅନୁସାରେ ଉଭୟପକ୍ଷ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ।

ମହର୍ଷି ବେଦବ୍ୟାସଙ୍କର ଧୃତରାଷ୍ଟ୍ରଙ୍କ ପ୍ରତି ଅଗାଧ ସ୍ନେହ ଥିବାରୁ ସେ ତାଙ୍କ ନିକଟକୁ ଆସି କହିଲେ, “ଯୁଦ୍ଧ ହେବା ଏବଂ ଯୁଦ୍ଧରେ କ୍ଷତ୍ରିୟମାନଙ୍କର ମହାସଂହାର ହେବା ଅବଶ୍ୟମ୍ଭାବୀ; ଏହାକୁ କେହି ଏଡାଇ ପାରିବେ ନାହିଁ। ତୁମେ ଯୁଦ୍ଧ ଦେଖିବାକୁ ଚାହିଁଲେ ମୁଁ ତୁମକୁ ଦିବ୍ୟ ଦୃଷ୍ଟି ଦେଇପାରିବି, ଫଳରେ ତୁମେ ଏଇଠି ଥାଇ ଭଲଭାବେ ଯୁଦ୍ଧ ଦେଖିପାରିବ।” ବେଦବ୍ୟାସଙ୍କର ବଚନ ଶୁଣି ଧୃତରାଷ୍ଟ୍ର କହିଲେ, “ମୁଁ ସାରା ଜୀବନ ଅନ୍ଧ ହୋଇ ରହିଲି, ଏବେ ମୁଁ ନିଜର କୁଳ ସଂହାର ଦେଖିବାକୁ ଚାହେଁନା; ମାତ୍ର ଯୁଦ୍ଧ କିପରି ହେଉଛି, ସେହି ସମାଚାର ଅବଶ୍ୟ ଶୁଣିବାକୁ ଚାହେଁ ।”

ବେଦବ୍ୟାସ କହିଲେ, “ମୁଁ ସଞ୍ଜୟକୁ ଦିବ୍ୟ ଦୃଷ୍ଟି ଦେଉଛି, ଯାହା ସାହାଯ୍ୟରେ ସେ ଯୁଦ୍ଧର ସମସ୍ତ ଘଟଣାବଳୀ ଏବଂ ସୈନିକମାନଙ୍କ ମନ କଥା ମଧ୍ୟ ଜାଣି ପାରିବ, ଦେଖି ପାରିବ ଓ ସମସ୍ତ ବୃତ୍ତାନ୍ତ ତୁମକୁ ଶୁଣାଇ ଦେବ।” ଏହା କହି ବ୍ୟାସଦେବ ସଞ୍ଜୟଙ୍କୁ ଦିବ୍ୟଦୃଷ୍ଟି ପ୍ରଦାନ କଲେ।
ନିର୍ଦ୍ଧାରିତ ସମୟରେ କୁରୁକ୍ଷେତ୍ରରେ ଯୁଦ୍ଧ ଆରମ୍ଭ ହେଲା। ଦଶ ଦିନ ପର୍ଯ୍ୟନ୍ତ ସଞ୍ଜୟ ଯୁଦ୍ଧ ସ୍ଥଳରେ ରହିଲେ। ପିତାମହ ଭୀଷ୍ମଙ୍କୁ ଶରାଘାତ ଦ୍ୱାରା ଭୂପତିତ କରାଯିବା ପରେ ସଞ୍ଜୟ ହସ୍ତିନାପୁର ଆସି ଧୃତରାଷ୍ଟ୍ରଙ୍କୁ ଏକ ସମାଚାର ଶୁଣାଇଲେ। ଏ ସମାଚାର ଶୁଣି ଧୃତରାଷ୍ଟ୍ର ଅତ୍ୟନ୍ତ ଦୁଃଖିତ ହୋଇ ବିଳାପ କରିବାକୁ ଲାଗିଲେ ଏବଂ ସଞ୍ଜୟଙ୍କୁ ଯୁଦ୍ଧର ସମସ୍ତ ବୃତ୍ତାନ୍ତ ଶୁଣାଇବାକୁ କହିଲେ। ଭୀଷ୍ମ ପର୍ବର ୨୪ଶ ଅଧ୍ୟାୟ ପର୍ଯ୍ୟନ୍ତ ସଞ୍ଜୟ ଯୁଦ୍ଧ ସମ୍ବନ୍ଧୀୟ ସମାଚାର ଧୃତରାଷ୍ଟ୍ରଙ୍କୁ ଶୁଣାଇଲେ। ଏବେ ୨୫ଶ ଅଧ୍ୟାୟର ଆରମ୍ଭରେ ସଞ୍ଜୟଙ୍କୁ ଧୃତରାଷ୍ଟ୍ର ପଚାରୁଛନ୍ତି –

ଧୃତରାଷ୍ଟ୍ର ଉବାଚ
ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବଃ।
ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଞ୍ଜୟ।।୧।।

ଧୃତରାଷ୍ଟ୍ର କହିଲେ ହେ ସଞ୍ଜୟ! ଧର୍ମଭୂମି କୁରୁକ୍ଷେତ୍ରରେ ଯୁଦ୍ଧ ଇଚ୍ଛା ରଖି ଏକତ୍ରିତ ହୋଇଥିବା ମୋର ଓ ପାଣ୍ଡୁଙ୍କର ପୁତ୍ରମାନେ କ’ଣ କଲେ ?
ଦହିକୁ ମନ୍ଥନ କଲେ ଯେପରି ସେଥିରେ ଆଲୋଡନ ସୃଷ୍ଟି ହେବାରୁ ଲହୁଣୀ ବାହାରେ, ସେହିପରି ‘ମାମକାଃ’ ଓ ‘ପାଣ୍ଡବାଃ’ ପ୍ରଭେଦରୁ ସୃଷ୍ଟି ହୋଇଥିବା ଆଲୋଡନ ଯୋଗୁଁ ଅର୍ଜୁନଙ୍କ ମନରେ କଲ୍ୟାଣର ଅଭିଳାଷ ଜାଗ୍ରତ ହେଲା, ଫଳରେ ଭଗବଦଗୀତା ରୂପକ ଲହୁଣୀ ଉଦ୍ଭବ ହେଲା।
ସାରକଥା ଯେ ଧୃତରାଷ୍ଟ୍ରଙ୍କ ମନରେ ଜାତ ହୋଇଥିବା ଆଲୋଡନ ଯୋଗୁଁ କଳହ ହେଲା ଏବଂ ଅର୍ଜୁନଙ୍କ ମନରେ ଜାତ ହୋଇଥିବା ଆଲୋଡନ ଯୋଗୁଁ ଗୀତା ପ୍ରକଟ ହେଲା !

ସଞ୍ଜୟ ଉବାଚ
ଦୃଷ୍ଟୱ।
ତୁ ପାଣ୍ଡବାନିକଂ ବ୍ୟୁଢଂ ଦୁର୍ୟ୍ୟୋଧନସ୍ତଦା।
ଆଚାର୍ୟ୍ୟମୁପସଂଗମ୍ୟ ରାଜା ବଚନମବ୍ରବିତ୍।।୨।।

ସଞ୍ଜୟ କହିଲେ- ସେତେବେଳେ ରାଜା ଦୁର୍ଯ୍ୟୋଧନ ଚକ୍ରବ୍ୟୁହରେ ଦଣ୍ଡାୟମାନ ପାଣ୍ଡବସେନାକୁ ଯାଇ ଦେଖି ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ଯାଇ ଏହି ବଚନ କହିଲେ।

ପଶ୍ୟୈତାଂ ପାଣ୍ଡୁପୁତ୍ରାଣାମାଚାର୍ଯ୍ୟ ମହତୀଂ ଚମୂମ୍।
ବ୍ୟୁଢାଂ ଦୃପଦପୁତ୍ରେଣ ତବ ଶିଷ୍ୟେଣ ଧୀମତା।।୩।।

ହେ ଆଚାର୍ଯ୍ୟ! ଆପଣଙ୍କ ବୁଦ୍ଧିମାନ୍ ଶିଷ୍ୟ ଦୃପଦପୁତ୍ର ଧୃଷ୍ଟଦ୍ୟୁମ୍ନ ଦ୍ୱାରା ବ୍ୱ୍ୟହରଚନାରେ ଛିଡା କରାଯାଇଥିବା ଏହି ବିଶାଳ ପାଣ୍ଡବସେନାକୁ ଦେଖନ୍ତୁ।

ଅତ୍ର ଶୂରା ମହେଷ୍ୱାସା ଭୀମାର୍ଜୁନସମା ଯୁଧି।
ଯୁଯୁଧାନୋ ବିରାଟଶ୍ଚ ଦ୍ରୁପଦଶ୍ଚ ମହାରଥଃ।।୪।।
ଧୃଷ୍ଟକେତୁଶ୍ଚେକିତାନଃ କାଶିରାଜଶ୍ଚ ବୀର୍ଯ୍ୟବାନ।
ପୁରୁଜିତ୍କୁନ୍ତିଭୋଜଶ୍ଚ ଶୈବ୍ୟଶ୍ଚ ନରପୁଙ୍ଗବଃ।।୫।।
ଯୁଧାମନ୍ୟୁଶ୍ଚ ବିକ୍ରାନ୍ତ ଉତ୍ତମୌଜାଶ୍ଚ ବୀର୍ଯ୍ୟବାନ।
ସୌଭଦ୍ରୋ ଦ୍ରୈାପଦେୟାଶ୍ଚ ସର୍ବ ଏବ ମହାରଥାଃ।।୬।।

ଏଠାରେ (ପାଣ୍ଡବ ସେନାରେ) ବଡ ବଡ ଶୂରବୀର ଅଛନ୍ତି, ସେମାନଙ୍କର ବଡ ବଡ ଧନୁ ଅଛି । ସେମାନେ ଯୁଦ୍ଧ କରିବାରେ ଭୀମ ଓ ଅର୍ଜୁନ ସମକକ୍ଷ। ସେମାନଙ୍କ ମଧ୍ୟରେ ଯୁଯୁଧାନ (ସାତ୍ୟକି), ରାଜା ବିରାଟ, ମହାରଥୀ ଦ୍ରୁପଦ, ଧୃଷ୍ଟକେତୁ ଶ୍ଚେକିତାନ ଓ ପରାକ୍ରମୀ କାଶିରାଜ ମଧ୍ୟ ଅଛନ୍ତି। ପୁରୁଜିତ୍ ଓ କୁନ୍ତୀଭୋଜ- ଏ ଦୁଇଭାଇ ଓ ନର ଶ୍ରେଷ୍ଠ ଶୈବ୍ୟ ମଧ୍ୟ ଅଛନ୍ତି। ପରାକ୍ରମୀ ଯୁଧାମନ୍ୟୁ ଓ ଉତ୍ତମୌଜାମଧ୍ୟ ଅଛନ୍ତି। ସୁଭଦ୍ରାପୁତ୍ର ଅଭିମନ୍ୟୁ ଓ ଦ୍ରୌପଦୀର ପାଞ୍ଚ ପୁତ୍ର ମଧ୍ୟ ଅଛନ୍ତି। ଏ ସମସ୍ତେ ମହାରଥୀ।

ଅସ୍ମାକଂ ତୁ ବିଶିଷ୍ଟା ଯେ ତାନ୍ନିବୋଧ ଦ୍ୱିଜୋତ୍ତମ।
ନାୟକା ମମ ସୈନ୍ୟସ୍ୟ ସଂଜ୍ଞାର୍ଥଂ ତାନ୍ ବ୍ରବୀମି ତେ।।୭।।

ହେ ଦ୍ୱିଜୋତ୍ତମ! ଆମପକ୍ଷରେ ମଧ୍ୟ ଯେଉଁ ମୁଖ୍ୟ ଯୋଦ୍ଧାମାନେ ଅଛନ୍ତି, ସେମାନଙ୍କ ଆଡକୁ ଧ୍ୟାନ ଦିଅନ୍ତୁ। ଆପଣଙ୍କୁ ସ୍ମରଣ କରାଇଦେବା ଉଦ୍ଦେଶ୍ୟରେ ମୁଁ ମୋ ସେନାନାୟକମାନଙ୍କ ସମ୍ବନ୍ଧରେ କହୁଛି।

ଭବାନ୍ ଭୀଷ୍ମଶ୍ଚ କର୍ଣ୍ଣଶ୍ଚ କୃପଶ୍ଚ ସମିତିଞ୍ଜୟଃ।
ଅଶ୍ୱତଥାମା ବିକର୍ଣ୍ଣଶ୍ଚ ସୌମଦତ୍ତିସ୍ତଥୈବ ଚ।।୮।।

(ଆମ ସୈନ୍ୟବାହିନୀରେ) ଆପଣ (ଦ୍ରୋଣାଚାର୍ଯ୍ୟ), ପିତାମହ ଭୀଷ୍ମ, କର୍ଣ୍ଣ ଓ ସଂଗ୍ରାମବିଜୟୀ କୃପାଚାର୍ଯ୍ୟ ଅଛନ୍ତି; ସେହିପରି ଅଶ୍ୱତଥାମା, ବିକ୍ରମ ଓ ସୋମଦତ୍ତଙ୍କ ପୁତ୍ର ଭୂରିଶ୍ରବା ମଧ୍ୟ ଅଛନ୍ତି।

ଅନ୍ୟେ ଚ ବହବଃ ଶୂରା ମଦର୍ଥେ ତ୍ୟକ୍ତଜୀବିତାଃ।
ନାନାଶସ୍ତ୍ରପ୍ରହରଣାଃ ସର୍ବେ ଯୁଦ୍ଧବିଶାରଦାଃ।।୯।।

ଏମାନଙ୍କ ବ୍ୟତୀତ ଆହୁରି ମଧ୍ୟ ଅନେକ ଶୂରବୀର ଅଛନ୍ତି, ଯେଉଁମାନେ ମୋ ପାଇଁ ନିଜ ଜୀବନର ଆଶା ମଧ୍ୟ ଛାଡି ଦେଇଛନ୍ତି; ଏବଂ ସେମାନେ ସମସ୍ତେ ଅନେକ ପ୍ରକାର ଅସ୍ତ୍ରଶସ୍ତ୍ର ଚଳାଇବାରେ ତଥା ଯୁଦ୍ଧ କଳାରେ ଅତ୍ୟନ୍ତ ଚତୁର।

ଅପର୍ଯ୍ୟାପ୍ତଂ ତଦସ୍ମାକଂ ବଳଂ ଭୀଷ୍ମାଭିରକ୍ଷିତମ୍।
ପର୍ଯ୍ୟାପ୍ତଂ ତ୍ୱିଦମେତେଷାଂ ବଳଂ ଭୀମାଭିରକ୍ଷିତମ୍।।୧୦।।

ଦ୍ରୋଣାଚାର୍ଯ୍ୟ ନୀରବ ରହୁଥିବା ଦେଖି ଦୁର୍ଯ୍ୟୋଧନ ଭାବିଲେ ଯେ, ପ୍ରକୃତରେ ଆମର ସେହି ସେନା ପାଣ୍ଡବଙ୍କ ଉପରେ ବିଜୟ ଲାଭ କରିବାରେ ଅପର୍ଯ୍ୟାପ୍ତ, ଅସମର୍ଥ; କାରଣ ତାଙ୍କର ସଂରକ୍ଷକ ହେଉଛନ୍ତି (ଉଭୟପକ୍ଷର ସମର୍ଥକ) ଭୀଷ୍ମ। ମାତ୍ର ଏହି ପାଣ୍ଡବଙ୍କ ସେନା ଆମ ଉପରେ ବିଜୟ ଲାଭ କରିବାରେ ପର୍ଯ୍ୟାପ୍ତ, ସମର୍ଥ; କାରଣ ଏହାର ସଂରକ୍ଷକ (ନିଜସେନାର ସମର୍ଥକ) ଭୀମସେନ।

ଅୟନେଷୁ ଚ ସର୍ବେଷୁ ଯଥାଭାଗମବସ୍ଥିତାଃ।
ଭୀଷ୍ମମେବାଭିରକ୍ଷନ୍ତୁ ଭବନ୍ତଃ ସର୍ବ ଏବ ହି।।୧୧।।

ଦୁର୍ଯ୍ୟୋଧନ ବାହ୍ୟ ମନରେ ନିଜ ସେନାର ମହାରଥୀମାନଙ୍କୁ କହିଲେ- ଆପଣମାନେ ସମସ୍ତେ ବ୍ୟୂହର ସମସ୍ତ ପ୍ରବେଶଦ୍ୱାରରେ ନିଜ ନିଜ ସ୍ଥାନରେ ଦୃଢଭାବେ ଅବସ୍ଥିତ ହୋଇ ନିଶ୍ଚିତରୂପେ ପିତାମହ ଭୀଷ୍ମଙ୍କୁ ଚତୁର୍ଦିଗରୁ ରକ୍ଷା କରନ୍ତୁ।

କ୍ରମଶଃ ..
ମୂଳ ଆଧାର- ଶ୍ରୀମଦ୍ ଭଗବଦଗୀତା, ସଚିତ୍ର ସାଧକ- ସଞ୍ଜୀବନୀ ଟିକା (ଓଡିଆ ଅନୁବାଦ)
ବର୍ଣ୍ଣନା-ସ୍ୱାମୀ ରାମସୁଖଦାସ, ମୁଦ୍ରକ ଓ ପ୍ରକାଶକ- ଗୀତା ପ୍ରେସ୍, ଗୋରଖପୁର-୨୭୩୦୦୫ (ଇଣ୍ଡିଆ)

Leave a Reply

Your email address will not be published. Required fields are marked *