ଧର୍ମ

ଶ୍ରୀମଦ୍ଭଗବଦଗୀତା- ଅଥ ପ୍ରଥମୋଽଧ୍ୟାୟଃ (୧୨ଶ ରୁ ୨୭ଶ ଶ୍ଳୋକ ପର୍ଯ୍ୟନ୍ତ)

ତସ୍ୟ ସଞ୍ଜନୟନହର୍ଷଂ କୁରୁବୃଦ୍ଧଃ ପିତାମହଃ।
ସିଂହନାଦଂ ବିନଦ୍ୟୋଚ୍ଚୈଃ ଶଙ୍ଖଂ ମେଧ୍ମୌ ପ୍ରତାପବାନ୍।।୧୨।।
ଦୁର୍ଯ୍ୟୋଧନଙ୍କ ହୃଦୟରେ ହର୍ଷ ଜାତ କରି ପ୍ରଭାବଶାଳୀ କୁରୁବୃଦ୍ଧ ପିତାମହ ଭୀଷ୍ମ ସିଂହ ପରି ଗର୍ଜନ କରି ଉଚ୍ଚ ସ୍ୱରରେ ଶଙ୍ଖ ବଜାଇଲେ।

ତତଃ ଶଙ୍ଖାଶ୍ଚ ଭେର୍ଯ୍ୟଶ୍ଚ ପଣବାନକଗୋମୁଖାଃ।
ସହସୈବାଭ୍ୟହନ୍ୟନ୍ତ ସ ଶବ୍ଦସ୍ତୁମୁଳୋଽଭବତ୍।।୧୩।।
ତା’ପରେ ଶଙ୍ଖ, ଭେରୀ (ନାଗରା), ଢୋଲ, ମୃଦଙ୍ଗ, ଶିଙ୍ଗା ଇତ୍ୟାଦି ବାଦ୍ୟ ଏକସଙ୍ଗେ ବାଜି ଉଠିଲା। ସେଗୁଡିକର ସେହି ଶବ୍ଦ ଅତି ଭୟଙ୍କର ହେଲା।

ତତଃ ଶ୍ୱେତୈର୍ହୟୈର୍ଯୁକ୍ତେ ମହତି ସ୍ୟନ୍ଦନେ ସ୍ଥିତୌ।
ମାଧବଃ ପାଣ୍ଡବଶ୍ଚୈବ ଦିବ୍ୟୌ ଶଙ୍ଖୌ ପ୍ରଦଧ୍ମତୁଃ।।୧୪।।
ତତପଶ୍ଚାତ୍ ଧବଳ ଅଶ୍ୱଯୁକ୍ତ ମହାନ୍ ରଥ ଉପରେ ବିରାଜମାନ ଲକ୍ଷ୍ମୀପତି ଭଗବାନ ଶ୍ରୀକୃଷ୍ଣ ଓ ପାଣ୍ଡୁପୁତ୍ର ଅର୍ଜୁନ ମଧ୍ୟ ଉଚ୍ଚସ୍ୱରରେ ଦିବ୍ୟ ଶଙ୍ଖ ବାଦନ କଲେ।

ପାଞ୍ଚଜନ୍ୟଂ ହୃଷୀକେଶୋ ଦେବଦତ୍ତଂ ଧନଞ୍ଜୟଃ।
ପୌଣ୍ଡ୍ରଂ ଦଧ୍ମୌ ମହାଶଙ୍ଖଂ ଭୀମକର୍ମା ବୃକୋଦରଃ।।୧୫।।
ଅନ୍ତର୍ଯାମୀ ଭଗବାନ ଶ୍ରୀକୃଷ୍ଣ ପାଞ୍ଚଜନ୍ୟ ନାମକ ଶଙ୍ଖ ତଥା ଧନଞ୍ଜୟ ଅର୍ଜୁନ ଦେବଦତ୍ତ ନାମକ ଶଙ୍ଖ ବଜାଇଲେ ଏବଂ ଭୟଙ୍କର କର୍ମ କରୁଥିବା ବୃକୋଦର ବୀମ ପୌଣ୍ଡ୍ର ନାମକ ମହାଶଙ୍ଖ ବଜାଇଲେ।

ଅନନ୍ତବିଜୟଂ ରାଜା କୁନ୍ତୀପୁତ୍ରୋ ଯୁଧିଷ୍ଟିରଃ।
ନକୁଳଃ ସହଦେବଶ୍ଚ ସୁଘୋଷମଣିପୁଷ୍ପକୌ।।୧୬।।
କୁନ୍ତୀପୁତ୍ର ରାଜା ଯୁଧିଷ୍ଟିର ଅନନ୍ତବିଜୟ ନାମକ ଶଙ୍ଖ ବଜାଇଲେ ତଥା ନକୁଳ ଓ ସହଦେବ ସୁଘୋଷ ଓ ମଣିପୁଷ୍ପକ ନାମକ ଶଙ୍ଖ ବଜାଇଲେ।

କାଶ୍ୟଶ୍ଚ ପରମେଷ୍ୱାସଃ ଶିଖଣ୍ଡୀ ଚ ମହାରଥଃ।
ଧୃଷ୍ଟଦ୍ୟୁମ୍ନୋ ବିରାଟଶ୍ଚ ସାତ୍ୟକିଶ୍ଚାପରାଜିତଃ।।୧୭।।
ଦ୍ରୁପଦୋ ଦ୍ରୌପଦେୟାଶ୍ଚ ସର୍ବଶଃ ପୃଥିବୀପତେ।
ସୌଭଦ୍ରଶ୍ଚ ମହାବାହୁଃ ଶଙ୍ଖାନ୍ ଦଧ୍ମୁଃ ପୃଥକ୍ ପୃଥକ୍।।୧୮।।

ହେ ରାଜନ୍! ଶ୍ରେଷ୍ଠ ଧନୁର୍ଦ୍ଧାରୀ କାଶିରାଜ, ମହାରଥୀ ଶିଖଣ୍ଡୀ ଏବଂ ଧୃଷ୍ଟଦ୍ୟୁମ୍ନ, ରାଜା ବିରାଟ, ଅଜେୟ ସାତ୍ୟକି, ରାଜା ଦ୍ରୁପଦ ଓ ଦ୍ରୌପଦୀଙ୍କର ପାଞ୍ଚପୁତ୍ର ତଥା ଦୀର୍ଘ ବାହୁବିଶିଷ୍ଟ ସୁଭଦ୍ରାପୁତ୍ର ଅଭିମନ୍ୟୁ- ଏ ସମସ୍ତେ ସବୁ ଦିଗରୁ ଭିନ୍ନ ଭିନ୍ନ (ନିଜ ନିଜର) ଶଙ୍ଖ ବଜାଇଲେ।

ସ ଘୋଷୋ ଧାର୍ତ୍ତରାଷ୍ଟ୍ରାଣାଂ ହୃଦୟାନି ବ୍ୟଦାରୟତ୍।
ନଭଶ୍ଚ ପୃଥିବୀଂ ଚୈବ ତୁମୁଳୋ ବ୍ୟନୁନାଦୟନ୍।।୧୯।।

ପାଣ୍ଡବସେନାଙ୍କ ଶଙ୍ଖର ସେହି ଭୟଙ୍କର ଶବ୍ଦ ଆକାଶ ଓ ପୃଥିବୀକୁ କମ୍ପମାନ କରି ଅନ୍ୟାୟପୂର୍ବକ ରାଜ୍ୟ ହରଣକାରୀ ଦୁର୍ଯ୍ୟୋଧନାଦିଙ୍କର ହୃଦୟକୁ ବିଦୀର୍ଣ୍ଣ କରିଦେଲା।

ଅଥ ବ୍ୟବସ୍ଥିତାନ ଦୃଷ୍ଟୱ। ଧାର୍ତ୍ତରାଷ୍ଟ୍ରାନ୍ କପିଧ୍ୱଜଃ।
ପ୍ରବୃତ୍ତେ ଶସ୍ତ୍ରସମ୍ପାତେ ଧନୁରୁଦ୍ୟମ ପାଣ୍ଡବଃ।।୨୦।।
ହୃଷିକେଶଂ ତଦା ବାକ୍ୟମିଦମାହ ମହୀପତେ।
ହେ ମହୀପତି ଧୃତରାଷ୍ଟ୍ର! ଯେତେବେଳେ ଶସ୍ତ୍ର ଚାଳନା ନିମନ୍ତେ ପ୍ରସ୍ତୁତି ଚାଲିଥିଲା, ସେତେବେଳେ ଅନ୍ୟାୟପୂର୍ବକ ରାଜ୍ୟ ଧାରଣ କରିଥିବା ରାଜାମାନଙ୍କୁ ଓ ସେମାନଙ୍କର ସାଥୀମାନଙ୍କୁ ବ୍ୟବସ୍ଥିତରୂପେ ସମ୍ମୁଖରେ ଦଣ୍ଡାୟମାନ ହୋଇଥିବାର ଦେଖି କପିଧ୍ୱଜ ପାଣ୍ଡୁପୁତ୍ର ଅର୍ଜୁନ ନିଜର ଗାଣ୍ଡୀବ ଧନୁ ଉତ୍ତୋଳନ କରି ଭଗବାନ ଶ୍ରୀକୃଷ୍ଣଙ୍କୁ ଏହି ବଚନ କହିଲେ।

ଅର୍ଜୁନ ଉବାଚ
ସେନୟୋରୁଭୟୋର୍ମଧ୍ୟେ ରଥଂ ସ୍ଥାପୟ ମେଽଚ୍ୟୁତ।।୨୧।।
ଯାବଦେତାନ୍ନିରୀକ୍ଷେଽହଂ ଯୋଦ୍ଧୁକାମାନବସ୍ଥିତାନ୍।
କୈର୍ମୟା ସହ ଯୋଦ୍ଧବ୍ୟମସ୍ମିନରଣସମୁଦ୍ୟମେ।।୨୨।।
ଅର୍ଜୁନ କହିଲେ-
ହେ ଅଚ୍ୟୁତ! ଯୁଦ୍ଧକ୍ଷେତ୍ରରେ ଦଣ୍ଡାୟମାନ ଯୁଦ୍ଧାଭିଳାଷୀମାନଙ୍କ ମଧ୍ୟରୁ ଏହି ଯୁଦ୍ଧରୂପକ ଉଦଯୋଗରେ କେଉଁମାନଙ୍କ ସହିତ ମୋତେ ଯୁଦ୍ଧ କରିବାକୁ ହେବ, ଯେପର୍ଯ୍ୟନ୍ତ ତାହା ମୁଁ ଦେଖି ନ ସାରିଛି, ସେପର୍ଯ୍ୟନ୍ତ ଆପଣ ଦୁଇ ସେନାଙ୍କ ମଧ୍ୟଭାଗରେ ମୋର ରଥ ରଖନ୍ତୁ।

ଯୋତ୍ସ୍ୟମାନାନବେକ୍ଷେଽହଂ ଯ ଏତେଽତ୍ର ସମାଗତାଃ।
ଧାର୍ତ୍ତରାଷ୍ଟ୍ରସ୍ୟ ଦୁର୍ବୁଦ୍ଧେର୍ଯୁଦ୍ଧେ ପ୍ରିୟଚିକୀର୍ଷବଃ।।୨୩।।
ଯୁଦ୍ଧରେ ଦୁଷ୍ଟବୁଦ୍ଧି ଦୁର୍ଯ୍ୟୋଧନର ହିତାକାଂକ୍ଷୀ ସାଜି ଯେଉଁ ରାଜାମାନେ ଯୁଦ୍ଧେଚ୍ଛାରେ ଉତ୍ସାହିତ ହୋଇ ଏହି ସେନାରେ ଏକତ୍ରିତ ହୋଇଛନ୍ତି, ସେମାନଙ୍କୁ ମୁଁ ଦେଖିବି।

ସଞ୍ଜୟ ଉବାଚ
ଏବମୁକ୍ତୋ ହୃଷୀକେଶୋ ଗୁଡାକେଶେନ ଭାରତ।
ସେନୟୋରୁଭୟୋର୍ମଧ୍ୟେ ସ୍ଥାପୟିତ୍ୱା ରଥୋତ୍ତମମ୍।।୨୪।।
ଭୀଷ୍ମଦ୍ରୋଣପ୍ରମୁଖତଃ ସର୍ବେଷାଂ ଚ ମହୀକ୍ଷିତାମ୍।
ଉବାଚ ପାର୍ଥ ପଶ୍ୟୈତାନ୍ ସମବେତାନ୍ କୁରୂନିତି।।୨୫।।
ସଞ୍ଜୟ କହିଲେ-
ହେ ଭରତବଂଶୀ ରାଜନ୍! ନିଦ୍ରାଜୟୀ ଅର୍ଜୁନ ଏପରି କହିବା ପରେ ଅନ୍ତର୍ଯାମୀ ଭଗବାନ ଶ୍ରୀକୃଷ୍ଣ ଦୁଇସେନାଙ୍କ ମଧ୍ୟଭାଗରେ ପିତାମହ ଭୀଷ୍ମ ଓ ଆଚାର୍ଯ୍ୟ ଦ୍ରୋଣଙ୍କ ସମ୍ମୁଖରେ ତଥା ସମସ୍ତ ରାଜାଙ୍କ ସମ୍ମୁଖରେ ଶ୍ରେଷ୍ଠ ରଥକୁ ଠିଆ କରି କହିଲେ, ‘ହେ ପାର୍ଥ! ଏହି ସମବେତ କୁରୁବଂଶୀମାନଙ୍କୁ ଦେଖ।’

ତତ୍ରାପଶ୍ୟତ୍ ସ୍ଥିତାନ୍ ପାର୍ଥଃ ପିତୃନଥ ପିତାମହାନ୍।
ଆଚାର୍ଯ୍ୟାନ୍ମାତୁଳାନ୍ ଭ୍ରାତୃନ୍ ପୁତ୍ରାନ୍ ପୌତ୍ରାନ୍ ସଖୀଂସ୍ତଥା।।୨୬।।
ଶ୍ୱଶୁରାନ୍ ସୁହୃଦଶ୍ଚୈବ ସେନୟୋରୁଭୟୋରପି।
ତା’ପରେ ପୃଥାନନ୍ଦନ ଅର୍ଜୁନ ସେହି ଦୁଇ ସେନାରେ ଉପସ୍ଥିତ ପିତାମାନଙ୍କୁ ଓ ପିତାମହମାନଙ୍କୁ ତଥା ଆଚାର୍ଯ୍ୟଗଣ, ମାତୁଳଗଣ, ଭ୍ରାତାଗଣ, ପୁତ୍ରଗଣ, ପୌତ୍ରଗଣ, ବନ୍ଧୁଗଣ, ଶ୍ୱଶୁରଗଣ ଓ ସୁହୃଦଗଣଙ୍କୁ ମଧ୍ୟ ଦେଖିଲେ।

ତାନସମୀକ୍ଷ୍ୟ ସ କୌନ୍ତେୟଃ ସର୍ବାନ୍ ବନ୍ଧୁନବସ୍ଥିତାନ୍।।୨୭।।
କୃପୟା ପରୟାବିଷ୍ଟୋ ବିଷୀଦନ୍ନିଦମବ୍ରବୀତ୍।
ନିଜ ନିଜ ସ୍ଥାନରେ ଉପସ୍ଥିତ ସମସ୍ତ ବାନ୍ଧବଙ୍କୁ ଦେଖି କୁନ୍ତୀପୁତ୍ର ଅର୍ଜୁନ ଅତ୍ୟନ୍ତ କାତରଭାବରେ ବିଷାଦମଗ୍ନ ହୋଇ ଏହି ବଚନ କହିଲେ।

କ୍ରମଶଃ ..
ମୂଳ ଆଧାର- ଶ୍ରୀମଦ୍ ଭଗବଦଗୀତା, ସଚିତ୍ର ସାଧକ- ସଞ୍ଜୀବନୀ ଟିକା (ଓଡିଆ ଅନୁବାଦ)
ବର୍ଣ୍ଣନା-ସ୍ୱାମୀ ରାମସୁଖଦାସ, ମୁଦ୍ରକ ଓ ପ୍ରକାଶକ- ଗୀତା ପ୍ରେସ୍, ଗୋରଖପୁର-୨୭୩୦୦୫ (ଇଣ୍ଡିଆ)

Leave a Reply

Your email address will not be published. Required fields are marked *