ଧର୍ମ

ଶ୍ରୀମଦ୍ଭଗବଦଗୀତା- ଅଥ ଦ୍ୱିତୀୟୋଽଧ୍ୟାୟଃ (୧ମ ରୁ ୧୮ଶ ଅଧ୍ୟାୟ ପର୍ଯ୍ୟନ୍ତ)

ଅବତରଣିକା
ଦୁର୍ଯ୍ୟୋଧନ ଦ୍ରୋଣାଚାର୍ଯ୍ୟଙ୍କୁ ଦୁଇସେନାଙ୍କ କଥା କହିଲେ, ହେଲେ ଦ୍ରୋଣାଚାର୍ଯ୍ୟ କିଛି କହିଲେ ନାହିଁ; ଫଳରେ ଦୁର୍ଯ୍ୟୋଧନ ଦୁଃଖରେ ଭାଙ୍ଗି ପଡିଲେ, ତେଣୁ ଦୁର୍ଯ୍ୟୋଧନଙ୍କୁ ପ୍ରସନ୍ନ କରାଇବା ପାଇଁ ପିତାମହ ଭୀଷ୍ମ ଉଚ୍ଚ ସ୍ୱରରେ ଶଙ୍ଖ ବଜାଇଲେ। ଭୀଷ୍ମଙ୍କ ଶଙ୍ଖ ବାଜିଲା ପରେ କୌରବ ଓ ପାଣ୍ଡବ ସେନାଙ୍କ ରଣବାଦ୍ୟ ବାଜି ଉଠିଲା। ତତପଶ୍ଚାତ୍ (୨୦ଶ ଶ୍ଳୋକଠାରୁ) ଶ୍ରୀକୃଷ୍ଣାର୍ଜୁନସଂବାଦ ଆରମ୍ଭ ହେଲା।
ଅର୍ଜୁନ ନିଜ ରଥକୁ ଉଭୟ ସେନାଙ୍କ ମଧ୍ୟରେ ରଖିବା ପାଇଁ ଭଗବାନଙ୍କୁ କହିଲେ। ଭଗବାନ ଉଭୟ ସେନାଙ୍କ ମଧ୍ୟସ୍ଥଳରେ ଭୀଷ୍ମ, ଦ୍ରୋଣ ଆଦିଙ୍କ ସମ୍ମୁଖରେ ରଥ ରଖି କୁରୁବଂଶୀମାନଙ୍କୁ ଦେଖିବା ପାଇଁ କହିଲେ। ଉଭୟ ସେନାଙ୍କ ମଧ୍ୟରେ ସ୍ୱଜନ-ସମ୍ବନ୍ଧୀଙ୍କୁ ଦେଖି ଅର୍ଜୁନଙ୍କଠାରେ କୌଟୁମ୍ବିକ ମୋହ ଜାଗ୍ରତ ହେଲା, ପରିଣାମସ୍ୱରୂପ ଅର୍ଜୁନ ଯୁଦ୍ଧ କରିବା ଛାଡି, ଧନୁର୍ବାଣ ତ୍ୟାଗ କରି ରଥର ମଧ୍ୟଭାଗରେ ବସି ପଡିଲେ।
ଏହା ପରେ ବିଷାଦମଗ୍ନ ଅର୍ଜୁନଙ୍କୁ ଭଗବାନ କ’ଣ କହିଲେ- ସେକଥା ଧୃତରାଷ୍ଟ୍ରଙ୍କୁ ଶୁଣାଇବା ପାଇଁ ସଞ୍ଜୟ ଦ୍ୱିତୀୟ ଅଧ୍ୟାୟ ଆରମ୍ଭ କରୁଛନ୍ତି।

ସଞ୍ଜୟ ଉବାଚ
ତଂ ତଥା କୃପୟାବିଷ୍ଟମଶ୍ରୁପୂର୍ଣ୍ଣାକୁଳେକ୍ଷଣମ୍।
ବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ।।୧।।

ସଞ୍ଜୟ କହିଲେ- କାପୁରୁଷତାରେ ଆବିଷ୍ଟ, ବିଷାଦଗ୍ରସ୍ତ ଓ ଅଶ୍ରୁ ଯୋଗୁଁ ନେତ୍ରର ଦୃଷ୍ଟିଶକ୍ତି ଅବରୁଦ୍ଧ ହୋଇଯାଇଥିବା ଅର୍ଜୁନଙ୍କ ପ୍ରତି ଭଗବାନ ମଧୁସୂଦନ ଏହି ବଚନ କହିଲେ।

ଶ୍ରୀଭଗବାନୁବାଚ
କୁତସ୍ତ୍ୱା କଶ୍ମଳମିଦଂ ବିଷମେ ସମୁପସ୍ଥିତମ୍।
ଅନାର୍ଯ୍ୟଜୁଷ୍ଟମସ୍ୱର୍ଗ୍ୟମକୀର୍ତ୍ତିକରମର୍ଜୁନ।।୨।।

ଶ୍ରୀ ଭଗବାନ କହିଲେ- ହେ ଅର୍ଜୁନ! ଏହି ବିଷମ ସମୟରେ ଏ କାପୁରୁଷତା ତୁମକୁ କେଉଁଠୁ ପ୍ରାପ୍ତ ହେଲା, ଯାହାକୁ କି ଶ୍ରେଷ୍ଠ ପୁରୁଷ ଗ୍ରହଣ କରନ୍ତି ନାହିଁ। ଏହା ସ୍ୱର୍ଗ ପ୍ରଦାୟକ ନୁହେଁ ଏବଂ କିର୍ତ୍ତିଦାୟକ ମଧ୍ୟ ନୁହେଁ।

କ୍ଳୈବ୍ୟଂ ମା ସ୍ମ ଗମଃ ପାର୍ଥ ନୈତତ୍ତ୍ୱଯ୍ୟୁପପଦ୍ୟତେ।
କ୍ଷୁଦ୍ରଂ ହୃଦୟଦୌର୍ବଲ୍ୟମ ତ୍ୟକତ୍ୱୋତ୍ତିଷ୍ଠ ପରନ୍ତପ।।୩।।

ହେ ପୃଥାନନ୍ଦନ ଅର୍ଜୁନ! ନଂପୁଷକତା ପ୍ରାପ୍ତ ହୁଅ ନାହିଁ; କାରଣ ତୁମ ପକ୍ଷରେ ଏହା ଉଚିତ ନୁହେଁ। ହେ ପରନ୍ତପ! ହୃଦୟର ଏହି ତୁଚ୍ଛ ଦୁର୍ବଳତା ତ୍ୟାଗକରି ଯୁଦ୍ଧ ପାଇଁ ଠିଆ ହୁଅ।

ଅର୍ଜୁନ ଉବାଚ
କଥଂ ଭୀଷ୍ମମହଂ ସଙ୍ଖ୍ୟେ ଦ୍ରୋଣଂ ଚ ମଧୁସୂଦନ।
ଇଷୁଭିଃ ପ୍ରତି ଯୋତ୍ସ୍ୟାମି ପୂଜାର୍ହାବରିସୂଦନ।।୪।।

ଅର୍ଜୁନ କହିଲେ- ହେ ମଧୁସୂଦନ! ଶର ଦ୍ୱାରା ମୁଁ ରଣଭୂମିରେ ଭୀଷ୍ମ ଓ ଦ୍ରୋଣଙ୍କ ସହିତ କିପରି ଯୁଦ୍ଧ କରିବି ? ହେ ଅରିସୂଦନ! ଏ ଦୁହେଁ ତ ମୋର ପୂଜନୀୟ।

ଗୁରୂନହତ୍ୱା ହି ମହାନୁଭାବାନ୍ ଶ୍ରେୟୋ ଭୋକ୍ତୁଂ ଭୈକ୍ଷ୍ୟମପୀହ ଲୋକେ।
ହତ୍ୱାର୍ଥକାମାଂସ୍ତୁ ଗୁରୂନିହୈବ ଭୁଞ୍ଜୀୟ ଭୋଗାନ୍ ରୁଧିରପ୍ରଦିଗଧାନ୍।।୫।।

ମହାନୁଭାବ ଗୁରୁଜନମାନଙ୍କୁ ନ ମାରି ଇହଲୋକରେ ମୁଁ ଭିକ୍ଷାନ୍ନ ଭକ୍ଷଣ କରିବାକୁ ଶ୍ରେଷ୍ଠ ମନେ କରୁଛି। ଗୁରୁଜନମାନଙ୍କୁ ମାରି ଏଠାରେ ରକ୍ତରଞ୍ଜିତ ତଥା ଧନ କାମନାପ୍ରଧାନ ଭୋଗ ହିଁ ତ କେବଳ ଉପଭୋଗ କରିବି।

ନ ଚୈତଦବିଦ୍ମଃ କତରନ୍ନୋ ଗରୀୟୋ ଯଦ୍ବା ଜୟେମ ଯଦି ବା ନ ଜୟେୟୁଃ।
ଯାନେବ ହତ୍ୱା ନ ଜିଜୀବିଷାମସ୍ତେଽବସ୍ଥିତାଃ ପ୍ରମୁଖେ ଧାର୍ତ୍ତରାଷ୍ଟ୍ରାଃ।।୬।।

ଆମକୁ ଏହା ବି ଜଣା ନାହିଁ ଯେ, ଆମ ପାଇଁ ଯୁଦ୍ଧ କରିବା ଓ ନ କରିବା- ଏ ଦୁଇଟି ମଧ୍ୟରୁ କେଇଁଟି ଅତ୍ୟନ୍ତ ଶ୍ରେଷ୍ଠ ଏବଂ ଆମେ ସେମାନଙ୍କୁ ଜିତିବୁ ନା ସେମାନେ ଆମକୁ ଜିତିବେ। ଯେଉଁମାନଙ୍କୁ ମାରି ଆମେ ବଞ୍ଚିବା ପାଇଁ ମଧ୍ୟ ଚାହୁଁ ନାହୁଁ, ସେହି ଧୃତରାଷ୍ଟ୍ରଙ୍କ ସ୍ୱଜନମାନେ ଆମ ସମ୍ମୁଖରେ ଠିଆ ହୋଇଛନ୍ତି।

କାର୍ପଣ୍ୟଦୋଷୋପହତସ୍ୱଭାବଃ ପୃଚ୍ଛାମି ତ୍ୱାଂ ଧର୍ମସମ୍ମୂଢଚେତାଃ।
ଯଚ୍ଛ୍ରେୟଃ ସ୍ୟାନ୍ନିଶ୍ଚିତଂ ବ୍ରୁହି ତନ୍ମେ ଶିଷ୍ୟସ୍ତେଽହଂ ଶାଧି ମାଂ ତ୍ୱାଂ ପ୍ରପନ୍ନମ୍।।୭।।

ଭୀରୁତାରୂପକ ଦୋଷ ଦ୍ୱାରା ମୋ ସ୍ୱଭାବ ତିରସ୍କୃତ ହୋଇଥିବାରୁ ଏବଂ ଧର୍ମ ବିଷୟରେ ଅନ୍ତଃକରଣ ମୋହିତ ହୋଇଥିବାରୁ ମୁଁ ଆପଣଙ୍କୁ ପଚାରୁଛି, ଯାହା ନିଶ୍ଚିତରୂପେ କଲ୍ୟାଣକାରକ, ତାହା ମୋତେ କୁହନ୍ତୁ। ମୁଁ ଆପଣଙ୍କର ଶିଷ୍ୟ। ଆପଣଙ୍କ ଠାରେ ଶରଣ ଯାଇଥିବାରୁ ମୋତେ ଶିକ୍ଷା ଦିଅନ୍ତୁ।

ନ ହି ପ୍ରପଶ୍ୟାମି ମମାପନୁଦ୍ୟାଦ୍ ଯଚ୍ଛୋକମୁଚ୍ଛୋଷଣମିନ୍ଦ୍ରିୟାଣାମ୍।
ଅବାପ୍ୟ ଭୂମାବସପତ୍ନମୃଦ୍ଧଂ ରାଜ୍ୟଂ ସୁରାଣାମପି ଚାଧିପତ୍ୟମ୍।।୮।।

କାରଣ ପୃଥିବୀରେ ଧନ୍ୟଧାନ୍ୟସମୃଦ୍ଧ ଶତ୍ରୁବିହୀନ (ନିଷ୍କଣ୍ଟକ) ରାଜ୍ୟ ଏବଂ ସ୍ୱର୍ଗରେ ଦେବଗଣଙ୍କ ଆଧିପତ୍ୟ ମିଳିଗଲେ ମଧ୍ୟ ଇନ୍ଦ୍ରିୟମାନଙ୍କୁ ଶୁଷ୍କ କରାଉଥିବା ମୋର ଏହି ଦୁଃଖ ଯେ ଦୂର ହୋଇଯିବ, ଏହା ମୁଁ ଦେଖିପାରୁନାହିଁ।

ସଞ୍ଜୟ ଉବାଚ
ଏବମୁକ୍ତ୍ୱା ହୃଷୀକେଶଂ ଗୁଡାକେଶଃ ପରନ୍ତପ।
ନ ଯୋତ୍ସ୍ୟ ଇତି ଗୋବିନ୍ଦମୁକ୍ତ୍ୱା ତୂଷ୍ଣୀଂ ବଭୂବ ହ।।୯।।

ସଞ୍ଜୟ କହିଲେ- ହେ ଶତ୍ରୁତାପନ ଧୃତରାଷ୍ଟ୍ର! ଏପରି କହିସାରି ନିଦ୍ରାଜୟୀ ଅର୍ଜୁନ ଅନ୍ତର୍ଯାମୀ ଭଗବାନ ଗୋବିନ୍ଦଙ୍କୁ ‘ମୁଁ ଯୁଦ୍ଧ କରିବିନାହିଁ’ ବୋଲି ସ୍ପଷ୍ଟରୂପେ କହି ଚୁପ୍ ହୋଇଗଲେ।

ତମୁବାଚ ହୃଷୀକେଶଃ ପ୍ରହସନ୍ନିବ ଭାରତ।
ସେନୟୋରୁଭୟୋର୍ମଧ୍ୟେ ବିଷୀଦନ୍ତମିଦଂ ବଚଃ ।।୧୦।।

ହେ ଭରତବଂଶୋଦ୍ଭବ ଧୃତରାଷ୍ଟ୍ର! ଉଭୟ ସେନାଙ୍କ ମଧ୍ୟଭାଗରେ ବିଷାଦମଗ୍ନ ଅର୍ଜୁନଙ୍କ ପ୍ରତି ଭଗବାନ ହୃଷୀକେଶ ସହାସ୍ୟ ବଦନରେ ଏହି ବଚନ କହିଲେ।

ଶ୍ରୀ ଭଗବାନୁବାଚ
ଅଶୋଚ୍ୟାନନ୍ୱଶୋଚସ୍ତ୍ୱଂ ପ୍ରଜ୍ଞାବାଦାଂଶ୍ଚ ଭାଷସେ।
ଗତାସୂନଗତାସୂଂଶ୍ଚ ନାନୁଶୋଚନ୍ତି ପଣ୍ଡିତାଃ।।୧୧।।

ଶ୍ରୀ ଭଗବାନ କହିଲେ- ଯାହା ପାଇଁ ଶୋକ କରିବା ଅନୁଚିତ, ତୁମେ ତାହା ପାଇଁ ଶୋକ କରୁଛ ଏବଂ ପଣ୍ଡିତଙ୍କ ଭଳି କଥା କହୁଛ; କିନ୍ତୁ ମୃତ ବା ଜୀବିତଙ୍କ ପାଇଁ ପଣ୍ଡିତଲୋକେ ଶୋକ କରନ୍ତି ନାହିଁ।

ନ ତ୍ୱେବାହଂ ଜାତୁ ନାସଂ ନ ତ୍ୱଂ ନେମେ ଜନାଧୀପାଃ।
ନ ଚୈବ ନ ଭବିଷ୍ୟାମଃ ସର୍ବେ ବୟମତଃ ପରମ୍।।୧୨।।

କୌଣସି କାଳରେ ମୁଁ ନ ଥିଲି, ତୁମେ ନ ଥିଲ ତଥା ଏହି ରାଜାମାନେ ଯେ ନ ଥିଲେ, ଏ କଥା ନୁହେଁ; ଏବଂ ଏହାପରେ (ଭବିଷ୍ୟରେ) ଯେ ଆମେ (ମୁଁ, ତୁମେ ଆଉ ରାଜାମାନେ) ସମସ୍ତେ ରହିବା ନାହିଁ, ଏ କଥା ବି ନୁହେଁ।

ଦେହିନୋଽସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା।
ତଥା ଦେହାନ୍ତରପ୍ରାପ୍ତିର୍ଧୀରସ୍ତତ୍ର ନ ମୁହ୍ୟତି।।୧୩।।

ଦେହଧାରୀର ଏହି ମନୁଷ୍ୟଶରୀରରେ ଯେପରି ବାଲ୍ୟାବସ୍ଥା, ଯୁବାବସ୍ଥା ଓ ବୃଦ୍ଧାବସ୍ଥା ଆସେ, ଅନ୍ୟ ଶରୀରର ପ୍ରାପ୍ତି ସେହିପରି ହୁଏ। ସେଥିରେ ଧିର ମନୁଷ୍ୟ ମୋହିତ ହୁଏ ନାହିଁ।

ମାତ୍ରାସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣସୁଖଦୁଃଖଦାଃ।
ଆଗମାପାୟିନୋଽନିତ୍ୟାସ୍ତାଂସ୍ତିତିକ୍ଷସ୍ୱ ଭାରତ।।୧୪।।

ହେ କୁନ୍ତୀନନ୍ଦନ! ଇନ୍ଦ୍ରିୟମାନଙ୍କର ବିଷୟ (ଜଡ ପଦାର୍ଥ), ଶୀତ (ଅନୁକୂଳତା) ଓ ଉଷ୍ମ (ପ୍ରତିକୂଳତା) ଦ୍ୱାରା ସୁଖ-ଦୁଃଖ ପ୍ରଦାନ କରେ। ସେଗୁଡିକର ଯିବା ଆସିବା ଲାଗିଥାଏ ଏବଂ ସେଗୁଡିକ ଅନିତ୍ୟ ମଧ୍ୟ। ହେ ଭରତବଂଶୋଦ୍ଭବ ଅର୍ଜୁନ! ତୁମେ ସେ ସବୁକୁ ସହ୍ୟ କର।

ଯଂ ହି ନ ବ୍ୟଥୟନ୍ତ୍ୟେତେ ପୁରୁଷଂ ପୁରୁଷର୍ଷଭ।
ସମଦୁଃଖସୁଖଂ ଧୀରଂ ସୋଽମୃତତ୍ୱାୟ କଳ୍ପତେ।।୧୫।।

କାରଣ ହେ ପୁରୁଷ ଶ୍ରେଷ୍ଠ ଅର୍ଜୁନ! ସୁଖ-ଦୁଃଖରେ ସମଭାବାପନ୍ନ ଯେଉଁ ବୁଦ୍ଧିମାନ ମନୁଷ୍ୟକୁ ଏହି ମାତ୍ରାସ୍ପର୍ଶ (ପଦାର୍ଥ) ବ୍ୟଥିତ କରିପାରନ୍ତି ନାହିଁ, ସେ ଅମର ହେବା ପାଇଁ ସମର୍ଥ ହୋଇଯାଏ ଅର୍ଥାତ୍ ଅମର ହୋଇଯାଏ।

ନାସତୋ ବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ।
ଉଭୟୋରପି ଦୃଷ୍ଟୋଽନ୍ତସ୍ତ୍ୱନୟୋସ୍ତତ୍ତ୍ୱଦର୍ଶିଭିଃ।।୧୬।।

ଅସତ୍ ର ଭାବ (ସତ୍ତା) ବିଦ୍ୟମାନ ନାହିଁ ଏବଂ ସତ୍ ର ଅଭାବ ବିଦ୍ୟମାନ ନାହିଁ। ତତ୍ତ୍ୱଦର୍ଶୀ ମହାପୁରୁଷଗଣ ଏ ଦୁଇଟିର ତତ୍ତ୍ୱ ଦେଖିଛନ୍ତି ଅର୍ଥାତ୍ ଅନୁଭବ କରିଛନ୍ତି।

ଅବିନାଶି ତୁ ତ ତଦ୍ବିଦ୍ଧି ଯେନ ସର୍ବମିଦଂ ତତମ୍।
ବିନାଶମବ୍ୟୟସ୍ୟାସ୍ୟ ନ କଶ୍ଚିତ୍କର୍ତ୍ତୁମର୍ହତି।।୧୭।।

ଯାହାଦ୍ୱାରା ଏ ସାରା ସଂସାର ବ୍ୟାପ୍ତ, ତାହାକୁ ତୁମେ ଅବିନାଶୀ ବୋଲି ଜାଣ। କେହିହେଲେ ଏହି ଅବିନାଶୀର ବିନାଶ କରିପାରନ୍ତି ନାହିଁ।

ଅନ୍ତବନ୍ତ ଇମେ ଦେହା ନିତ୍ୟସ୍ୟୋକ୍ତାଃ ଶରୀରିଣଃ।
ଅନାଶିନୋଽପ୍ରମେୟସ୍ୟ ତସ୍ମାଦ୍ ଯୁଧ୍ୟସ୍ୱ ଭାରତ।।୧୮।।

ଅବିନାଶୀ, ଅପ୍ରମେୟ ଓ ନିତ୍ୟସ୍ଥିତ ଏହି ଶରୀରୀର ଦେହଗୁଡିକୁ ନଶ୍ୱର କୁହାଯାଇଛି। ତେଣୁ ହେ ଅର୍ଜୁନ ! ତୁମେ ଯୁଦ୍ଧ କର।

କ୍ରମଶଃ …
ମୂଳ ଆଧାର- ଶ୍ରୀମଦ୍ ଭଗବଦଗୀତା, ସଚିତ୍ର ସାଧକ- ସଞ୍ଜୀବନୀ ଟିକା (ଓଡିଆ ଅନୁବାଦ)
ବର୍ଣ୍ଣନା-ସ୍ୱାମୀ ରାମସୁଖଦାସ, ମୁଦ୍ରକ ଓ ପ୍ରକାଶକ- ଗୀତା ପ୍ରେସ୍, ଗୋରଖପୁର-୨୭୩୦୦୫ (ଇଣ୍ଡିଆ)

Leave a Reply

Your email address will not be published. Required fields are marked *