ଧର୍ମ

ଶ୍ରୀମଦ୍ଭଗବଦ୍ ଗୀତା- ଅଥ ପ୍ରଥମୋଽଧ୍ୟାୟଃ (୨୮ଶ ରୁ ୪୭ଶ ଶ୍ଳୋକ ପର୍ଯ୍ୟନ୍ତ)

ଅର୍ଜୁନ ଉବାଚ
ଦୃଷ୍ଟୱେମଂ ସ୍ୱଜନଂ କୃଷ୍ଣ ଯୁଯୁତ୍ସୁଂ ସମୁପସ୍ଥିତମ୍।।୨୮।।
ସୀଦନ୍ତି ମମ ଗାତ୍ରାଣି ମୁଖଂ ଚ ପରିଶୁଷ୍ୟତି।
ବେପଥୁଶ୍ଚ ଶରୀରେ ମେ ରୋମହର୍ଷଶ୍ଚ ଜାୟତେ।।୨୯।।
ଗାଣ୍ଡୀବଂ ସ୍ରଂସତେ ହସ୍ତାତ୍ତ୍ୱକଚୈବ ପରିଦହ୍ୟତେ।
ନ ଚ ଶକ୍ନୋମ୍ୟବସ୍ଥାତୁଂ ଭ୍ରମତୀବ ଚ ମେ ମନଃ।।୩୦।।
ଅର୍ଜୁନ କହିଲେ-
ହେ କୃଷ୍ଣ! ଏହି ଯୁଦ୍ଧେଚ୍ଛୁ କୁଟୁମ୍ବମାନଙ୍କୁ ନିଜ ସମ୍ମୁଖରେ ଉପସ୍ଥିତ ହୋଇଥିବାର ଦେଖି ମୋର ଅଙ୍ଗଗୁଡିକ ଶିଥିଳ ହୋଇଯାଉଛି, ପାଟି ଶୁଖିଯାଉଛି, ଶରୀର କମ୍ପି ଉଠୁଛି ଓ ରୋମ ଟାଙ୍କୁରି ଉଠୁଛି। ହାତରୁ ଗାଣ୍ଡୀବ ଧନୁ ଖସି ପଡୁଛି ଏବଂ ଚର୍ମ ମଧ୍ୟ ଦହ୍ୟମାନ ହେଉଛି। ମୋ ମନ ଭ୍ରମିତ ହେଲାପରି ଲାଗୁଛି ଏବଂ ମୁଁ ଠିଆ ହୋଇ ରହିବାକୁ ମଧ୍ୟ ଅସମର୍ଥ ହୋଇ ପଡୁଛି।

ନିମିତ୍ତାନି ଚ ପଶ୍ୟାମି ବିପରୀତାନି କେଶବ।
ନ ଚ ଶ୍ରେୟୋଽନୁପଶ୍ୟାମି ହତ୍ୱା ସ୍ୱଜନମାହବେ।।୩୧।।

ହେ କେଶବ! ମୁଁ ଲକ୍ଷଣ ବା ଶକୁନଗୁଡିକୁ ମଧ୍ୟ ବିପରୀତ ଦେଖୁଛି ଏବଂ ଯୁଦ୍ଧରେ ସ୍ୱଜନମାନଙ୍କୁ ମାରି ଶ୍ରେୟ (ଲାଭ) ମଧ୍ୟ ଦେଖୁ ନାହିଁ।

ନ କାଙକ୍ଷେ ବିଜୟଂ କୃଷ୍ଣ ନ ଚ ରାଜ୍ୟଂ ସୁଖାନି ଚ।
କିଂ ନୋ ରାଜ୍ୟେନ ଗୋବିନ୍ଦ କିଂ ଭୋଗୈର୍ଜୀବିତେନ ବା।।୩୨।।

ହେ କୃଷ୍ଣ! ମୁଁ ବିଜୟ ଚାହୁଁ ନାହିଁ, ରାଜ୍ୟ ଚାହୁଁ ନାହିଁ କି ସୁଖ ମଧ୍ୟ ଚାହୁଁ ନାହିଁ। ହେ ଗୋବିନ୍ଦ! ଆମ୍ଭମାନଙ୍କର ରାଜ୍ୟରେ କି ଲାଭ? ଭୋଗରେ ଅଥବା ବଂଚିବାରେ କି ଲାଭ?

ଯେଷାମର୍ଥେ କାଂକ୍ଷିତଂ ନୋ ରାଜ୍ୟଂ ଭୋଗାଃ ସୁଖାନି ଚ।
ତ ଇମେଽବସ୍ଥିତା ଯୁଦ୍ଧେ ପ୍ରାଣାଂସ୍ତ୍ୟକ୍ତ୍ୱା ଧନାନି ଚ।।୩୩।।

ଯେଉଁମାନଙ୍କ ପାଇଁ ଆମେ ରାଜ୍ୟ, ଭୋଗ ଓ ସୁଖ ଚାହୁଁଛୁ, ସେହିମାନେ ହିଁ ନିଜ ପ୍ରାଣ ଓ ଧନର ଆଶା ତ୍ୟାଗ କରି ଯୁଦ୍ଧରେ ଉପସ୍ଥିତ ହୋଇଛନ୍ତି।

ଆଚାର୍ଯ୍ୟାଃ ପିତରଃ ପୁତ୍ରାସ୍ତଥୈବ ଚ ପିତାମହାଃ।
ମାତୁଳାଃ ଶ୍ୱଶୁରାଃ ପୌତ୍ରାଃ ଶ୍ୟାଳାଃ ସମ୍ବନ୍ଧିନସ୍ତଥା।।୩୪।।
ଏତାନ୍ନ ହନ୍ତୁମିଚ୍ଛାମି ଘ୍ନତୋଽପି ମଧୁସୂଦନ।
ଅପି ତ୍ରୈଲୋକ୍ୟରାଜ୍ୟସ୍ୟ ହେତୋଃ କିଂ ନୁ ମହୀକୃତେ।।୩୫।।

ଆଚାର୍ଯ୍ୟ, ପିତା, ପୁତ୍ର ଏବଂ ସେହିପରି ପିତାମହ, ମାମୁଁ, ଶ୍ୱଶୁର, ନାତି, ଶଳା ତଥା ଅନ୍ୟ ସମସ୍ତ ସମ୍ବନ୍ଧୀ ମୋତେ ପ୍ରହାର କଲେ ମଧ୍ୟ ମୁଁ ଏମାନଙ୍କୁ ମାରିବାକୁ ଚାହୁଁ ନାହିଁ। ହେ ମଧୁସୂଦନ! ଏହି ସାମାନ୍ୟ ପୃଥିବୀ ପାଇଁ ମୁଁ ଏମାନଙ୍କୁ ମାରିବି କି? ମୋତେ ତ୍ରିଲୋକର ରାଜ୍ୟ ମିଳିଲେ ବି ମୁଁ ଏମାନଙ୍କୁ ମାରିବାକୁ ଚାହୁଁ ନାହିଁ।

ନିହତ୍ୟ ଧାର୍ତ୍ତରାଷ୍ଟ୍ରାନ୍ନଃ କା ପ୍ରିତିଃ ସ୍ୟାଜ୍ଜନାର୍ଦନ।
ପାପମେବାଶ୍ରୟେଦସ୍ମାନ୍ ହତ୍ୱୈତାନାତତାୟିନଃ।।୩୬।।

ହେ ଜନାର୍ଦନ! ଧୃତରାଷ୍ଟ୍ରଙ୍କର ଏହି ସମ୍ବନ୍ଧୀମାନଙ୍କୁ ମାରି ଆପଣଙ୍କୁ କି ପ୍ରସନ୍ନତା ମିଳିବ? ଏହି ଆତତାୟୀମାନଙ୍କୁ ମାରିଲେ ତ ଆମକୁ ପାପ ଲାଗିବ।

ତସ୍ମାନ୍ନାର୍ହା ବୟଂ ହନ୍ତୁଂ ଧାର୍ତ୍ତରାଷ୍ଟ୍ରାନ୍ ସ୍ୱବାନ୍ଧବାନ୍।
ସ୍ୱଜନଂ ହି କଥଂ ହତ୍ୱା ସୁଖିନଃ ସ୍ୟାମ ମାଧବ।।୩୭।।

ତେଣୁ ନିଜର ବାନ୍ଧବ ଏହି ଧୃତରାଷ୍ଟ୍ରଙ୍କ ସମ୍ବନ୍ଧୀମାନଙ୍କୁ ମାରିବା ପାଇଁ ଆମେ ଯୋଗ୍ୟ ନୋହୁ; କାରଣ ହେ ମାଧବ! ନିଜ କୁଟୁମ୍ବମାନଙ୍କୁ ମାରି ଆମେ ସୁଖି ହେବୁ କିପରି?

ଯଦ୍ୟପ୍ୟେତେ ନ ପଶ୍ୟନ୍ତି ଲୋଭୋପହତଚେତସଃ।
କୁଳକ୍ଷୟକୃତଂ ଦୋଷଂ ମିତ୍ରଦ୍ରୋହେ ଚ ପାତକମ୍।।୩୮।।
କଥଂ ନ ଗେୟଂମସ୍ମାଭିଃ ପାପାଦସ୍ମାନ୍ନିବର୍ତ୍ତିତୁମ୍।
କୁଳକ୍ଷୟକୃତଂ ଦୋଷଂ ପ୍ରପଶ୍ୟଦ୍ଭିର୍ଜନାର୍ଦନ।।୩୯।।

ଯଦ୍ୟପି ଲୋଭ ହେତୁ ବିବେକ ବିଚାରଶୂନ୍ୟ ହୋଇଯାଇଥିବା ଏହି ଦୁର୍ଯ୍ୟୋଧନାଦି କୁଳନାଶଜନିତ ଦୋଷକୁ ଓ ମିତ୍ରଦ୍ରୋହଜନିତ ପାପକୁ ଦେଖୁ ନାହାଁନ୍ତି, ତଥାପି ହେ ଜନାର୍ଦନ! କୁଳନାଶଜନିତ ଦୋଷକୁ ଭଲଭାବରେ ଜାଣୁଥିଲେ ମଧ୍ୟ ଆମ୍ଭେମାନେ ଏହି ପାପରୁ ନିବୃତ୍ତ ହେବାର ବିଚାର କାହିଁକି ନ କରିବୁ?

କୁଳକ୍ଷୟେ ପ୍ରଣଶ୍ୟନ୍ତି କୁଳଧର୍ମାଃ ସନାତନାଃ।
ଧର୍ମେ ନଷ୍ଟେ କୁଳଂ କୃତସ୍ନମଧର୍ମୋଽଭିଭବତ୍ୟୁତ।।୪୦।।

କୁଳକ୍ଷୟ ହେଲେ ପରମ୍ପରାକ୍ରମେ ଚଳି ଆସୁଥିବା କୁଳଧର୍ମ ନଷ୍ଟ ହୋଇଯାଏ ଏବଂ ଧର୍ମ ନଷ୍ଟ ହୋଇଗଲେ (ଅବଶିଷ୍ଟ) ସମ୍ପୂର୍ଣ୍ଣ କୁଳକୁ ଅଧର୍ମ ମାଡି ବସେ।

ଅଧର୍ମାଭିଭବାତକୃଷ୍ଣ ପ୍ରଦୁଷ୍ୟନ୍ତି କୁଳସ୍ତ୍ରୀୟଃ।
ସ୍ତ୍ରୀଷୁ ଦୁଷ୍ଟାସୁ ବାର୍ଷ୍ଣେୟ ଜାୟତେ ବର୍ଣ୍ଣସଙ୍କରଃ।।୪୧।।

ହେ କୃଷ୍ଣ! ଅଧର୍ମ ଅଧିକ ବଢିଗଲେ କୁଳର ସ୍ତ୍ରୀମାନେ ଦୂଷିତା ହୋଇଯାଆନ୍ତି। ହେ ବାର୍ଷ୍ଣେୟ! ସ୍ତ୍ରୀମାନେ ଦୂଷିତା ହୋଇଗଲେ ବର୍ଣ୍ଣସଙ୍କର ଜାତ ହୁଅନ୍ତି।

ସଙ୍କରୋ ନରକାୟୈବ କୁଳଘ୍ନାନାଂ କୁଳସ୍ୟ ଚ।
ପତନ୍ତି ପିତରୋ ହ୍ୟେଷାଂ ଲୁପ୍ତପିଣ୍ଡୋଦକକ୍ରିୟାଃ।।୪୨।।

ବର୍ଣ୍ଣସଙ୍କର କୁଳଘାତୀମାନଙ୍କୁ ଓ କୁଳକୁ ନରକଗାମୀ କରେ। ଶ୍ରାଦ୍ଧ ଓ ତର୍ପଣ ନମିଳିଲେ ଏମାନଙ୍କର (କୁଳଘାତୀମାନଙ୍କର) ପିତୃପୁରୁଷମାନେ ମଧ୍ୟ ନିଜ ନିଜ ସ୍ଥାନରୁ ପତିତ ହୁଅନ୍ତି।

ଦୋଷୈରେତୈଃ କୁଳଘ୍ନାନାଂ ବର୍ଣ୍ଣସଙ୍କରକାରକୈଃ।
ଉତ୍ସାଦ୍ୟନ୍ତେ ଜାତିଧର୍ମାଃ କୁଳଧର୍ମାଶ୍ଚ ଶାଶ୍ୱତାଃ।।୪୩।।

ଏହି ବର୍ଣ୍ଣସଙ୍କର ଉତ୍ପତ୍ତିକାରକ ଦୋଷଗୁଡିକ ଯୋଗୁଁ କୁଳଘାତୀମାନଙ୍କର ସଦାକାଳରୁ ଚଳି ଆସୁଥିବା କୁଳଧର୍ମ ଓ ଜାତିଧର୍ମ ନଷ୍ଟ ହୋଇଯାଏ।

ଉତ୍ସନ୍ନକୁଳଧର୍ମାଣାଂ ମନୁଷ୍ୟାଣାଂ ଜନାର୍ଦନ।
ନରକେଽନିୟତଂ ବାସୋ ଭବତୀତ୍ୟନୁଶୁଶ୍ରୁମ।।୪୪।।

ହେ ଜନାର୍ଦନ! ଯେଉଁମାନଙ୍କର କୁଳଧର୍ମ ନଷ୍ଟ ହୋଇଯାଏ, ସେହି ମନୁଷ୍ୟମାନଙ୍କର ବହୁକାଳ ପର୍ଯ୍ୟନ୍ତ ନରକବାସ ହୁଏ ବୋଲି ଆମେ ଶୁଣି ଆସିଛୁ।

ଅହୋ ବତ ମହତ୍ପାପଂ କର୍ତ୍ତୁଂ ବ୍ୟବସିତା ବୟମ୍।
ଯଦ୍ରାଜ୍ୟସୁଖଲୋଭେନ ହନ୍ତୁଂ ସ୍ୱଜନମୁଦ୍ୟତାଃ।।୪୫।।

ବଡ ଆଶ୍ଚର୍ଯ୍ୟ ଓ ଦୁଃଖର କଥା ଯେ ଆମ୍ଭେମାନେ ଘୋର ପାପ କରିବାକୁ ନିଶ୍ଚୟ କରିନେଇଛୁ; ରାଜ୍ୟ ଓ ସୁଖ ଲୋଭରେ ନିଜର ସ୍ୱଜନମାନଙ୍କୁ ମାରିବା ପାଇଁ ପ୍ରସ୍ତୁତ ହୋଇଯାଇଛୁ!

ଯଦି ମାମପ୍ରତୀକାରମଶସ୍ତ୍ରଂ ଶସ୍ତ୍ରପାଣୟଃ।
ଧାର୍ତ୍ତରାଷ୍ଟ୍ରା ରଣେ ହନ୍ୟୁସ୍ତନ୍ମେ କ୍ଷେମତରଂ ଭବେତ୍।।୪୬।।

ଯଦି ହାତରେ ଅସ୍ତ୍ରଶସ୍ତ୍ର ଧରିଥିବା ଏହି ଧୃତରାଷ୍ଟ୍ରଙ୍କ ପକ୍ଷର ଲୋକେ ରଣପ୍ରାଙ୍ଗଣରେ ପ୍ରତିକାରରହିତ ଓ ଶସ୍ତ୍ରବିହୀନ ମୋତେ ମାରି ଦିଅନ୍ତି, ତଥାପି ତାହା ମୋ ପାଇଁ ଅତି ହିତକର ହେବ।

ସଞ୍ଜୟ ଉବାଚ
ଏବମୁକତ୍ୱାର୍ଜୁନଃ ସଙ୍ଖ୍ୟେ ରଥୋପସ୍ଥ ଉପାବିଶତ୍।
ବିସୃଜ୍ୟ ସଶରଂ ଚାପଂ ଶୋକସଂବିଗ୍ନମାନସଃ।।୪୭।।
ସଞ୍ଜୟ କହିଲେ-
ଏପରି କହି ଶୋକାକୁଳମନା ଅର୍ଜୁନ ଧନୁର୍ବାଣ ତ୍ୟାଗ କରି ଯୁଦ୍ଧଭୂମିରେ ରଥର ମଧ୍ୟଭାଗରେ ବସି ପଡିଲେ।

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦଗୀତାସୁନିଷତ୍ସୁ ବ୍ରହ୍ମବିଦ୍ୟାୟାଂ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନସଂବାଦେଽର୍ଜୁନବିଷାଦଯୋଗୋ ନାମ ପ୍ରଥମୋଽଧ୍ୟାୟଃ।।୧।। 

ମୂଳ ଆଧାର- ଶ୍ରୀମଦ୍ ଭଗବଦଗୀତା, ସଚିତ୍ର ସାଧକ- ସଞ୍ଜୀବନୀ ଟିକା (ଓଡିଆ ଅନୁବାଦ)
ବର୍ଣ୍ଣନା-ସ୍ୱାମୀ ରାମସୁଖଦାସ, ମୁଦ୍ରକ ଓ ପ୍ରକାଶକ- ଗୀତା ପ୍ରେସ୍, ଗୋରଖପୁର-୨୭୩୦୦୫ (ଇଣ୍ଡିଆ)

Leave a Reply

Your email address will not be published. Required fields are marked *