ସ୍ୱାସ୍ଥ୍ୟ

ଏସସିବି ହୃଦରୋଗ ବିଭାଗରେ ଇସିଜି ପରୀକ୍ଷା ବେହାଲ

ସମ୍ପାଦକଙ୍କୁ ପତ୍ର

କଟକ ବଡ଼ମେଡ଼ିକାଲ ହୃଦରୋଗ ବିଭାଗ ଅଧିନରେ ପରିଚାଳିତ ଇସିଜି କକ୍ଷରେ ନିୟମିତ କର୍ମଚାରୀମାନେ ଯୋଗ ଦେଉନାହାଁନ୍ତି। ଯାହାଦ୍ୱାରା ଚୁକ୍ତିଭିତ୍ତିକଙ୍କ ଉପରେ ଅଯଥା ଚାପ ପଡ଼ିବା ସହ ଅନେକ ସମୟରେ ରୋଗୀ ଓ ସେମାନଙ୍କ ଆତ୍ମୀୟ ସ୍ୱଜନଙ୍କ ସହ ଅଯଥାରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେଉଛି। ସରକାରୀ ବ୍ୟବସ୍ଥାରେ ହୃଦରୋଗ ବିଭାଗରେ ଦୁଇଜଣ ରେଗୁଲାଇ ଷ୍ଟାଫ୍ ଓ ଦୁଇଜଣ ଚୁକ୍ତିଭିତ୍ତିକ ରହିଛନ୍ତି। ବର୍ଷ ବର୍ଷ ଧରି ଗାଦି ମାଡି ବସିଥିବା ତଥା ବିଭାଗକୁ ନିଜ ହସ୍ତମୁଦିମାହାଲ୍ ବୋଲି ଭାବୁଥିବା ଏହି ରେଗୁଲାର କର୍ମଚାରୀ କେବଳ ଦସ୍ତଖତ କରି ସେମାନଙ୍କୁ ନିର୍ଦ୍ଧାରଣ କରାଯାଇଥିବା ଦାୟିତ୍ୱରେ ଠକୁଛନ୍ତି। “ଆମର ଉପର ମହଲରେ ଭଲ ରକମର ନାଳି ଅଛି.” ବୋଲି ଦାବି କରୁଥିବା ଏହି ଦଳ ଦୀର୍ଘଦିନରୁ ହାରକିନ୍ ଦେଖାଇ ଆସୁଛନ୍ତି। ଆଜି ଏଭଳି ପରିସ୍ଥିତି ସୃଷ୍ଟି ହେଲାଣି ଯେ, ସେମାନଙ୍କ ହାତିମାତିରେ ବଳି ପଡୁଛନ୍ତି ଚୁକ୍ତିଭିତ୍ତିକ କର୍ମଚାରୀ। କାରଣ ସେମାନେ ନିଜ ଚାକିରୀକୁ ଗୁରୁତ୍ୱ ଦେବା ସହ ପ୍ରତିଦିନ ପଚାଶରୁ ଉର୍ଦ୍ଧ ରୋଗୀ ଇସିଜି ପରୀକ୍ଷାରୁ ବଂଚିତ ହେଉଛନ୍ତି। ଏ ନେଇ ବିଭାଗର ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଉତ୍ତମ କୁମାର ପଟ୍ଟନାୟକ ଜାରି କରିଥିବା ନିର୍ଦ୍ଦେଶାବଳୀ ସରକାରୀ ନାଲି ଫିତାରେ ବନ୍ଧାହୋଇ ଧୂଳି ଖାଉଛି। ହୃଦରୋଗ ବିଭାଗରେ ପ୍ରତିଦିନ ଇସିଜି, ଇକୋ ଓ ଆଞ୍ଜିଓ, ଟିଏମ୍ଟି, ହୁଲଟର, ଆଞ୍ଜିଓପ୍ଲାସ ପରି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରାଯାଉଛି। ପ୍ରତିଦିନ ହାରାହାରି ଦେଢ଼ ଶହରୁ ଉର୍ଦ୍ଧ ଇସିଜି ପରୀକ୍ଷା କରାଯାଉଛି। ସରକାରଙ୍କ ବ୍ୟବସ୍ଥାରେ ଥିବା ଦୁଇଜଣ ରେଗୁଲାର ଓ ଦୁଇଜଣ ଚୁକ୍ତିଭିତ୍ତିକ ମିଳିତ ଭାବେ କାର୍ଯ୍ୟ କଲେ ଦୂର ଦୂରାନ୍ତର ରୋଗୀ ଇସିଜି ପରୀକ୍ଷାରୁ ବଂଚିତ ହୁଅନ୍ତେ ନାହିଁ। ପ୍ରତିଦିନ ପାଖାପାଖି ପଚାଶ ଇକୋ ପରୀକ୍ଷା କରାଯାଏ। ଟିଏମ୍ଟି ଓ ହୋଲଟର ହୃଦରୋଗ ବିଶେଷଜ୍ଞ ଜରୁରୀ ଓ ସ୍ୱତନ୍ତ୍ର ପରାମର୍ଶ କ୍ରମେ ପ୍ରତିଦିନ ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛି। ହୃଦରୋଗ ବିଭାଗରେ ଏହି ପରୀକ୍ଷା ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ସମୟ ଅବଧି ଆଠଘଣ୍ଟା। ନିକଟରେ ରାଜ୍ୟ ସରକାର ଶିଳ୍ପ ମହାକୁମ୍ଭ କରି ବିଦେଶୀ ଓ ବାହାର ରାଜ୍ୟର ଶିଳ୍ପପତିଙ୍କୁ ଓଡ଼ିଶାରେ ସ୍ୱାସ୍ଥ୍ୟ ଉଦ୍ୟୋଗରେ ପୁଞ୍ଜିବିନିଯୋଗ ପାଇଁ ନିମନ୍ତ୍ରଣ କରୁଥିବାବେଳେ ଭାତ ହାଣ୍ଡିରୁ ଗୋଟିଏ ପରି କଟକ ବଡ଼ମେଡ଼ିକାଲ ହୃଦରୋଗ ବିଭାଗର କର୍ମଚାରୀଙ୍କ ବେପରୁଆ କାର୍ଯ୍ୟକଳାପ ଜନସାଧାରଣଙ୍କୁ ଅତିଷ୍ଠ କରୁଛି। ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କରୁଛୁ।

Leave a Reply

Your email address will not be published. Required fields are marked *