ମହାନଗର

ତୁମ ଇଛା ପୂର୍ଣ୍ଣ ହେଉ

ମନୋରମା ସାହୁ
ମିଡିଆ ସପୋର୍ଟ > ଶୁଭ୍ ଭାରତ ଟାଇମ୍ସ

ମା’ ତୁମେ ଅଛ ଆଭୂମ ଆକାଶେ ଆଦ୍ୟ ଓଁକାର ସ୍ୱରେ,
ଶତ ସାହାନାଇ ମୁଗ୍ଧ ମୂର୍ଚ୍ଛନା ତବ ନାମେ ସ୍ୱର ତୋଳେ।

ନଭ ନୀଳୟର ପାବନ ପ୍ରାଙ୍ଗଣୁ ଝରେ ତୁମ ଦିବ୍ୟ ଜ୍ୟୋତି,
ଅମ୍ଳାନ ଆଭାରେ ଅବଗାହିତ ଯେ ତନ୍ଦ୍ରା ବିଜଡିତ ରାତି।

ଚିନ୍ତନ ଠାରୁ ଯେ ଚିରନ୍ତନ ଯାଏ ପରିବ୍ୟାପ୍ତ ତୁମେ ମାଆ,
ସୃଜନୀ ସ୍ୱପ୍ନର ସ୍ପନ୍ଦନେ ମନ ଆଲୋଡ଼ିତ ଆଜି ଆହା।

ଶୁଭ୍ର ଶେଫାଳୀର ବର୍ଣ୍ଣିଳ ବିନ୍ୟାସେ ରଜନୀଗନ୍ଧାର ରାସେ,
କୃଷ୍ଣଚୂଡ଼ାର ଲୋହିତ ଉତ୍ସବେ ମଲ୍ଲୀ, କନିଅର ହସେ।

ପ୍ରାଚୀ ପଟଳର ସିକ୍ତ ଅରୁଣିମା ଅପୂର୍ବ ଆଭାର ଶୋଭା,
ମଗ୍ନ ମାନସରେ ତୁମ ରୂପ ମା’ ଆହା କେଡ଼େ ମନଲୋଭା।

ଶିଶିର ସ୍ନାତ ପତ୍ରରେ ପତ୍ରରେ ମାଆ ତୁମ ନାମ ଲେଖା,
କୋଟି ଜନ୍ମର ତପସ୍ୟା ଯେ ତୁମେ ହୃଦୟରେ ଦିଅ ଦେଖା।

ଅଭୁଲା ଅଲିଭା ତୁମରି ସ୍ୱାକ୍ଷର ମୃଦୁ ମଳୟର ସ୍ପର୍ଶ,
କାନ୍ତ କମନୀୟ କୋମଳ କରୁଣା ଢାଳିଦିଅ ଶୁଭାଶିଷ।

ଅୟୁତ ମନ୍ତ୍ରରେ ଅଭିମନ୍ତ୍ରିତ ତୁମ ପୟ ନାମ ଧରି,
ଅନନ୍ତ ଆହ୍ୱାନେ, ସତ୍ୟର ସନ୍ଧାନେ ଚାଲୁଥିବି ଅନୁସରି।

ଆଶାର ଅର୍ଣ୍ଣବେ ଭରିଦିଅ ମା’ ପ୍ରାପ୍ତିର ନୀଳ ଢେଉ,
ପୂର୍ଣ୍ଣ ବଳୟକୁ ସ୍ପର୍ଶ କରି ମା’ ତୁମ ଇଚ୍ଛା ପୂର୍ଣ୍ଣ ହେଉ।
ସରକାରୀ ଉ.ପ୍ରା ବିଦ୍ୟାଳୟ, ପାରିଓରଡ଼, ଖୋର୍ଦ୍ଧା-୭୫୨୦୨୩

Leave a Reply

Your email address will not be published. Required fields are marked *