ମହାନଗର

ଅନ୍ଧାରରେ ଉଜାଲା ଏଲିଡି ବଲବ୍ ଯୋଜନା

ପୁରୀ(ସଞ୍ଜୀବ ମହାପାତ୍ର), ଶୁଭ୍ ଭାରତ ଟାଇମ୍ସ, ୦୩.୧୧- ସରକାରଙ୍କ ଉଜାଲା ଏଲ‌ଇଡି ବଲବ୍ ଯୋଜନା ବେଲଗାମ୍। ଉପଯୁକ୍ତ ତଦାରଖ ଅଭାବରୁ ଏଭଳି ଏକ ବୈପ୍ଳବିକ ଯୋଜନା ବର୍ତ୍ତମାନ ହଜାର ହଜାର ଗ୍ରାହକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଯେଉଁମାନେ ୩ ବର୍ଷର ୱାରେଣ୍ଟି ମିଳିବା ଆଶାରେ ସରକାରୀ ଘୋଷଣା ଉପରେ ଭରଷା କରି ଉଜାଲା ଏଲ‌ଇଡି ବଲବ୍ କିଣିଥିଲେ, ସେଗୁଡିକ ୪/୫ ମାସ ମଧ୍ୟରେ ଫ୍ୟୁଜ୍ ହୋଇଯିବା ପରେ ସରକାରୀ ୱାରେଣ୍ଟିର ସୁବିଧା ନପାଇ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି।

କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ଗୋଟିଏ ବଲବ୍ କିଣିଲେ ୩ ବର୍ଷ ଯାଏଁ ୱାରେଣ୍ଟି ମିଳିବ। ଏଥିରେ ଆକୃଷ୍ଟ ହୋଇ ସାଧାରଣ ଜନତା ଗୋଟିଏ ଗୋଟିଏ ବଲବକୁ ୭୫ ଟଙ୍କା ମୁଲ୍ୟ ଦେଇ କିଣିବାରେ ଲାଗିଗଲେ। ହେଲେ ଏହି ବଲବ୍ ଗୁଡିକ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ୪ରୁ ୫ମାସ ଯାଏଁ ବ୍ୟବହାର କରିବା ପରେ ଫ୍ୟୁଜ୍ ହୋଇଗଲା। ଏଭଳି ସ୍ଥିତିରେ ସରକାର ଦେଇଥିବା ପ୍ରତିଶ୍ରୁତି ଭୁଲିଗଲେ। ସରକାରୀ ମାର୍ଗଦର୍ଶିକା ମୁତାବକ ସରକାରୀ ସ୍ୱୀକୃତି ପ୍ରାପ୍ତ ଡିପୋ ପକ୍ଷରୁ ୱାରେଣ୍ଟି ଅବଧି ମଧ୍ୟରେ ଥିବା ଫ୍ୟୁଜ୍ ବଲବ୍ ବଦଳରେ ଗ୍ରାହକଙ୍କୁ ତୁରନ୍ତ ନୁଆ ଏଲ‌ଇଡି ବଲବ୍ ଯୋଗାଣ ବିଧେୟ। ମାତ୍ର ଉପଯୁକ୍ତ ତଦାରଖ ଅଭାବରୁ ଡିପୋ କର୍ତ୍ତୃପକ୍ଷ ମାସ ମାସ ଧରି ଗ୍ରାହକଙ୍କୁ ଲଣ୍ଠନ ଦେଖାଇ ଚାଲିଛନ୍ତି। ଫଳରେ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ଗତ ୮ ମାସ ଧରି ନୁଆ ବଲବ୍ ପାଇବାକୁ ଅପେକ୍ଷା କରି ଗ୍ରାହକ ଚିନ୍ତାରେ ଅଛନ୍ତି।

ପ୍ରଥମେ ଏହି ଯୋଜନା ଆରମ୍ଭରେ ବିଭିନ୍ନ ସ୍ଥାନରେ ଷ୍ଟଲରେ ବଲବ୍ ବିକ୍ରି କରାଯାଉଥିଲା। କିନ୍ତୁ ପରିବର୍ତ୍ତିତ ବ୍ୟବସ୍ଥା ଅନୁସାରେ ଉଜାଲା ଏଲ‌ଇଡି ବଲବ୍ ଗ୍ରାହକମାନେ କେବଳ ସହରର ଗୋଟିଏ ସ୍ଥାନରେ ଥିବା ଷ୍ଟଲରେ ନିଜର ପୁରୂଣା ବଲବ୍ ବଦଳାଇ ନୁଆ ବଲବ୍ ଫେରିପାଇବେ। କିନ୍ତୁ ଉକ୍ତ ଷ୍ଟଲଗୁଡିକରେ ଆବଶ୍ୟକତା ମୁତାବକ ବଲବ୍ ଉପଲବ୍ଧ ହୁଏନି। ଯଦ୍ୱାରା ସେଠାରୁ ୪/୫ ଥର ଖାଲି ହାତରେ ଫେରିବା ପରେ ଗ୍ରାହକ ଏହି ଯୋଜନାକୁ ଧିକ୍କାର କରିବା ସହ ବିକଳ୍ପ ରାସ୍ତା ବାଛି ନେଉଛନ୍ତି। ଏ ସଂକ୍ରାନ୍ତରେ ଜାଣିବା ପାଇଁ ବିତରଣ ସଂସ୍ଥାଗୁଡ଼ିକ ସହ ଯୋଗାଯୋଗ କରିବାବେଳେ ସେମାନେ କୈାଣସି ସନ୍ତୋଷଜନକ ଉତ୍ତର ଦେଇ ପାରୁନାହାନ୍ତି। ସେପାଖେ ସରକାର ଵଲବ୍ ବିତରଣ ସଂଖ୍ୟାର ଭୁଲ୍ ତଥ୍ୟ ଦେଖାଇ ବାହାବା ଗୋଟାଇବାରେ ଲାଗିଛନ୍ତି, ଯାହାର ବାସ୍ତବତା ବିଲକୁଲ୍ ଭିନ୍ନ ଏବଂ ଜନବିରୋଧୀ ଯୋଜନା ଭାବେ ସାବ୍ୟସ୍ତ ହୋଇଛି ବୋଲି ପ୍ରତିକ୍ରିୟାରୁ ଅନୁମାନ କରାଯାଉଛି > ବ୍ୟୁରୋ ହେଡ୍, ପୁରୀ ଡିଷ୍ଟ୍ରିକ୍ଟ, ଶୁଭ୍ ଭାରତ ଟାଇମ୍ସ

Leave a Reply

Your email address will not be published. Required fields are marked *