ଜାତୀୟ

ଦଙ୍ଗାରୁ ବଂଚାଇଥିବା ପରିବାର ସହ ଭେଟ

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ, ୧୫/୬/୨୦୧୮- ୨୬ ବର୍ଷ ପରେ ମିଳିଲେ। ଦଙ୍ଗାରୁ ବଂଚାଇଥିବା ମୁସଲମାନ ପରିବାର ୧୯୯୨ ଦଙ୍ଗା ବେଳେ ଯେଉଁ ମୁସଲମାନ ପରିବାର ଲୋକପ୍ରିୟ ସେଫ୍ ବିକାଶ ଖାନ୍ନାଙ୍କ ଜୀବନ ବଂଚାଇ ଥିଲେ, ୨୬ ବର୍ଷ ପରେ ସେହି ପରିବାରକୁ ଭେଟିଛନ୍ତି ବିକାଶ। ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତିରେ ଭାରତ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରସିଦ୍ଧ ସେଫ୍ ବିକାଶ ଖାନ୍ନାଙ୍କ ସମ୍ପର୍କରେ କୌଣସି ଟିପ୍ପଣିର ଆବଶ୍ୟକତା ନାହିଁ।

ସେ ନା କେବଳ ଭଲ ସେଫ୍, ବରଂ ଜଣେ ଭଲ ମଣିଷ ମଧ୍ୟ। ବିକାଶଙ୍କ ବିନମ୍ର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରେ। କେବଳ ସେତିକି ନୁହେଁ, ବିକାଶ ପ୍ରତି ବର୍ଷ ରମଜାନ ମାସରେ ଦିନଟିଏ ରୋଜା ରଖନ୍ତି। ୧୯୯୨ ଦଙ୍ଗା ସମୟରେ ଗୋଟିଏ ମୁସଲମାନ ପରିବାର ତାଙ୍କର ଜୀବନ ବଂଚାଇ ଥିଲେ ଏବଂ ତାଙ୍କୁ ସମ୍ନାନ ଦେବା ଖାତିରରେ ବିକାଶ ପ୍ରତି ବର୍ଷ ରୋଜା ଉପବାସ କରନ୍ତି। ଏବେ ୨୬ ବର୍ଷ ପରେ ବିକାଶ ସେହି ମୁସଲମାନ ପରିବାର ସହ ମିଶିବାରେ ସଫଳ ହୋଇଛନ୍ତି।

ସୋମବାର ବିକାଶ ଏସଂକ୍ରାନ୍ତରେ ନିଜେ ଟୁଇଟ୍ କରି ଜଣାଇଛନ୍ତି। ସେ କହିଛନ୍ତି ଯେ, ତାଙ୍କୁ ଶେଷରେ ସେହି ମୁସଲମାନ ପରିବାର ମିଳିଗଲେ, ଯିଏ ଦଙ୍ଗାରେ ତାଙ୍କ ଜୀବନ ରକ୍ଷା କରିଥିଲେ ଏବଂ ଏବେ ସେ ସେହିମାନଙ୍କ ସହ ରୋଜା ପାଳିବେ। ପରେ ସେ ସେହି ପରିବାର ସହ ମିଶିବାରେ ଟୁଇଟ୍ କରିଥିଲେ ଯେ ”ହାର୍ଟ ଓାର୍ମିଂ ଇଭିନିଂ. ଅଲ୍ ହାର୍ଟ. ଟିଅର୍ସ. ପେନ୍. ପ୍ରାଇଡ୍. କରେଜ୍. ହ୍ୟୁମାନିଟି. ଗ୍ରାଟିଟ୍ୟୁଡ୍. ଦିସ୍ ଓିଲ୍ ବି ମୋଷ୍ଟ ସିଗ୍ନିଫିକାଣ୍ଟ୍ ଆଣ୍ଡ୍ ଇମ୍ପୋଟାଣ୍ଟ୍ ଇଦ୍ ଅଫ୍ ମାଇଁ ଲାଇଫ୍. ଥ୍ୟାଙ୍କ୍ ୟୁ ଏର୍ଭି ଓାନ୍ ଟୁ କନେକ୍ଟ ମି ଉଇଥ୍ ମାଇଁ ସୋଲ୍ସ.”।

୨୦୧୫ରେ ବିକାଶ ଖାନ୍ନା ମୁମ୍ବାଇ ଦଙ୍ଗାର କଷ୍ଟକୁ ବର୍ଣ୍ଣନା କରି ଫେସବୁକରେ ପୋଷ୍ଟ୍ କରିଥିଲେ ଯେ, ”୧୯୯୨ ଡିସେମ୍ବରରେ ଯେତେବେଳେ ଦଙ୍ଗା ଆରମ୍ଭ ହୋଇଥିଲା, ସେତେବେଳେ ମୁଁ ମୁମ୍ବାଇର ସେରାକ ସେରାଟନ ହୋଟେଲରେ ଟ୍ରେନିଂ ନେଉଥିଲି । ଆମେ କିଛି ଦିନ ଧରି ହୋଟେଲରେ ବନ୍ଦୀ ରହିଲୁ। ଇକବାଲ୍ ଖାନ୍, ଓାସିମ୍ ଭାଇ(ଟ୍ରେନି ସେଫ୍ ଏବଂ ଓଏଟର୍ ଯାହାଙ୍କ ସହ ମୋର ସବୁଦିନ ପାଇଁ ସମ୍ପର୍କ ତୁଟି ଯାଇଥିଲା) ଏବଂ ତାଙ୍କ ପରିବାର ସଦସ୍ୟ ମୋତେ ଆଶ୍ରୟ ଦେଲେ ଓ ମୋର ଦାୟିତ୍ୱ ନେଲେ। ସେବେଠାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଦେବା ପାଇଁ ଏବଂ ସେମାନଙ୍କୁ ମୋର ପ୍ରାର୍ଥନାରେ ମନେ ରଖିବା ପାଇଁ ରମଜାନ୍ ପୂର୍ବ ମାସରେ ଗୋଟିଏ ଦିନର ରୋଜା ରଖୁଛି।

ଆପଣ ସମସ୍ତଙ୍କୁ ଭଲପାଏ।’ ଗତବର୍ଷ ଏକ ଟେଲିଭିଜନ ଚାନାଲକୁ ସାକ୍ଷାତକାର ଦେବାବେଳେ ବିକାଶ ଖାନ୍ନା ଘଟଣାର ବର୍ଣ୍ଣନା କରି କହିଥିଲେ ଯେ, ”କର୍ଫ୍ୟୁ ଯୋଗୁ ହୋଟେଲର କୌଣସି ଷ୍ଟାଫ୍ ନା ବାହାରକୁ ଯାଇପାରୁଥିଲେ, ନା ଭିତରକୁ ଆସିପାରୁଥିଲେ।” ଗୋଟିଏ ଦିନ ସେ ଶୁଣିବାକୁ ପାଇଲେ ଘାଟକୋପରରେ ଦଙ୍ଗା ପାଇଁ ପରିସ୍ଥିତି ବିଗିଡି ଯାଇଛି ଏବଂ କିଛି ଲୋକ ଆହାତ ହୋଇଛନ୍ତି। ସେତେବେଳେ ତାଙ୍କୁ ନିଜ ଭାଇର ସମସ୍ୟା ଚିନ୍ତାରେ ପକାଇଥିଲା, ଯିଏକି ସେହି ଅଂଚଳରେ ରହୁଥିଲା। ବିକାଶଙ୍କୁ ସେଠାର ରାସ୍ତା ଜଣାନଥିଲା। ତଥାପି ସେ ଘାଟକୋପର ଅଭିମୁଖେ ବାହାରିଥିଲେ।

ସାକ୍ଷାତକାରରେ ବିକାଶ କହିଥିଲେ କି, ରାସ୍ତାରେ ଗୋଟିଏ ମୁସଲମାନ ପରିବାର ତାଙ୍କୁ ଆଗକୁ ନଯିବାକୁ ପରାମର୍ଶ ଦେଇଥିଲେ ଏବଂ ସେମାନେ ତାଙ୍କୁ ଘର ଭିତରକୁ ନେଇ ଯାଇଥିଲେ। ସେତିକିବେଳେ ସେହି ପରିବାର ପାଖରେ ଦଙ୍ଗାକାରୀ ଦଳ ପହଂଚି ସେ ପିଲା କିଏ ବୋଲି ପଚାରିଥିଲେ। ସେହି ମୁସଲମାନ ସଦସ୍ୟ ଦଙ୍ଗାକାରୀଙ୍କୁ ଯବାବ୍ ଦେଇଥିଲେ କି ”ଇଏ ଆମର ପୁଅ।” ତା’ପରେ ଦଙ୍ଗାକାରୀ ସେଠାରୁ ପଳାୟନ କଲେ। ଦୁଇ ଦିନ ଧରି ବିକାଶ ସେହି ପରିବାର ସହ ସେଠାରେ ରହିଲେ। ସେହି ଭୟାନକ ପରିସ୍ଥିତିକୁ ମନେପକାଇ ବିକାଶ କହିଥିଲେ, ”ସେମାନେ କିଏ ମୋତେ ଜଣା ନଥିଲା, କେବଳ ସେତିକି ନୁହେଁ ସେମାନେ ତାଙ୍କର ଜଣେ ପରିବାର ଲୋକଙ୍କୁ ଘାଟକୋପର ପଠାଇ ଖବର ରଖିଲେ କି ମୋ’ଭାଇ ସେଠାରେ ସୁରକ୍ଷିତ ଅଛି।” ମାନବତାର ଧର୍ମ ରକ୍ଷାକାରୀ ସେହି ପୂଜନୀୟ ମୁସଲମାନ ପରିବାର ସହ ବିକାଶଙ୍କ ସମ୍ପର୍କ ବିଷୟ ସୋସିଆଲ୍ ମେଡିଆରେ ଭୂରିୟସୀ ପ୍ରଶଂସା ଲାଭ କରିଛି।

Leave a Reply

Your email address will not be published. Required fields are marked *