ସ୍ୱାସ୍ଥ୍ୟ

ପ୍ରଜନନ କ୍ଷମତା ହରାଉଛନ୍ତି ମହିଳା

ଶୁଭ୍ ଭାରତ ଟାଇମ୍ସ, ୧୯/୨- ସମ୍ପ୍ରତି ମହିଳାଙ୍କ ପ୍ରଜନନ କ୍ଷମତା ଗୁରୁତର ଭାବରେ ପ୍ରଭାବିତ ହେଉଛି। ଆବଶ୍ୟକତା ଠାରୁ ଓଜନ କମ୍ ଥିଲେ ସନ୍ତାନ ଜନ୍ମ ବା ପ୍ରଜନନ କ୍ଷମତା ସ୍ୱାଭାବିକ ଭାବେ ଦୁର୍ବଳ ହୋଇଥାଏ। ଏଥିପାଇଁ ଟିଭି ଚ୍ୟାନେଲରେ ପ୍ରସାରିତ ବିଭିନ୍ନ ପ୍ରକାର ବ୍ୟାୟାମ ଦେଖି ମହିଳା ନିଜେ ଫିଟ୍ ରହିବାକୁ ଚେଷ୍ଟା କରନ୍ତି। ସ୍ଲିମ୍ ଓ ଶକ୍ତିଶାଳୀ ହେବାରେ ବ୍ୟାୟାମ ସହାୟକ ହେଉଥିଲେ ବି ଅଧିକ ବ୍ୟାୟାମ କରିବା ଯୋଗୁ ଗର୍ଭାଶୟ ପ୍ରଭାବିତ ହେଉଛି। ୩୫ବର୍ଷରୁ ଅଧିକ ବୟସର ମହିଳା ଗର୍ଭବତୀ ହେବାରେ ସମସ୍ୟା ଦେଖାଦିଏ। ଋତୁସ୍ରାବରେ ଅନିୟମିତତାରୁ ଡିମ୍ବାଣୁ ସଂଖ୍ୟା ହ୍ରାସ ପାଏ। ତା’ଛଡା ଥାଇରଏଡ଼ ରୋଗରେ ପୀଡିତା ମହିଳା, ଗର୍ଭନିରୋଧକ ବଟିକା, ଯୌନ ସମ୍ପର୍କ ଓ ଯୌନାଙ୍ଗ ସଂକ୍ରମଣ ଏବଂ ମଦ୍ୟପାନ ବା ପ୍ରଚୁର ଧୂମପାନ କରୁଥିବା ମହିଳାମାନେ ପ୍ରଜନନ କ୍ଷମତା ହରାଉଛନ୍ତି > ପରାମର୍ଶ- ଡାକ୍ତର କାନ୍ତୀ ନାୟକ, Email: drkanti111nayak@gmail.com ForDetails: www.suvbharattimes.in FollowUs: twitter.com/@suvbharat_times

ଶରୀରର ଓଜନ ଆବଶ୍ୟକତା ଠାରୁ କମ୍ ଥିଲେ ସନ୍ତାନ ଜନ୍ମ ବା ପ୍ରଜନନ କ୍ଷମତା ଦୁର୍ବଳ ହେବା ସ୍ୱାଭାବିକ। ଅତ୍ୟଧିକ ପତଳା ମହିଳାମାନେ ଗର୍ଭଧାରଣ କରିପାରନ୍ତି ନାହିଁ। ଭୋକ ଓ ଦୁର୍ବଳତାକୁ ନିୟନ୍ତ୍ରଣ କରିବାରେ ସହାୟକ ହେଉଥିବା ହର୍ମୋନ୍ ଏଥିପାଇଁ ଦାୟୀ। ତେଣୁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ସହ ବ୍ୟାୟାମ କରିବା ଦରକାର। ମହିଳାମାନେ ବ୍ୟବହାର କରୁଥିବା ଗର୍ଭନିରୋଧକ ଟୀକା ମଧ୍ୟ ଏ କ୍ଷେତ୍ରରେ ଗୁରୁତର ପ୍ରଭାବ ରଖିଥାଏ। ଯଦି ଗର୍ଭନିରୋଧକ ବଟିକା ଖାଉଥାନ୍ତି କିମ୍ବା ଗର୍ଭନିରୋଧକ ଇଂଜେକ୍‌ସନ ନେଉଥାନ୍ତି, ତେବେ ଏହା ମଧ୍ୟ ପ୍ରଜନନ କ୍ଷମତା ହ୍ରାସ ହେବାର ଅନ୍ୟ ଏକ କାରଣ। ଏଥିରେ ଅନ୍ୟତମ ପ୍ରତିବନ୍ଧକ ସାଜିଥାଏ ମେଦବହୁଳତା। ଆଜିକାଲି ଫାଷ୍ଟଫୁଡ଼୍‌, ପ୍ରଚୁର ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କେତେକ ମହିଳା ମୋଟା ହୋଇଯାଉଛନ୍ତି। ମେଦ ବୃଦ୍ଧି ଯୋଗୁଁ ହର୍ମୋନ ନିର୍ଗତ ହେବାରେ ବାଧା ସୃଷ୍ଟି ହୁଏ। ବିଶେଷକରି ୩୫ବର୍ଷରୁ ଅଧିକ ବୟସର ମହିଳାଙ୍କ ପ୍ରଜନନ କ୍ଷମତା କମି ଯାଇଥାଏ। କମ୍ ବୟସ ମହିଳାଙ୍କର ଋତୁସ୍ରାବରେ ଅନିୟମିତତା ଦେଖାଗଲେ ମଧ୍ୟ ସେମାନଙ୍କର ପ୍ରଜନନ କ୍ଷମତା ହ୍ରାସ ପାଇବା ସହ ଡିମ୍ବାଣୁ ସଂଖ୍ୟା ହ୍ରାସ ପାଏ। ଅଧିକାଂଶ ମହିଳା ହୁଏତ ଜାଣିନଥାନ୍ତି ଥାଇରଏଡ଼କୁ ନେଇ ଉପୁଜୁଥିବା ସମସ୍ୟା। ଏହା  ପ୍ରଭାବରେ ମହିଳାମାନେ ସନ୍ତାନ ଜନ୍ମ କରିବା ସମସ୍ୟାକୁ ସାମ୍ନା କରିଥାନ୍ତି। ଥାଇରଏଡ଼ ହର୍ମୋନ୍‌ରେ ପରିବର୍ତ୍ତନ ଦେଖାଦେଲେ ଏହା ଗର୍ଭଧାରଣରେ ସମସ୍ୟା ସୃଷ୍ଟି କରେ।

ଯୌନ ସମ୍ପର୍କ ଓ ଯୌନ ସମ୍ପର୍କ ସମୟରେ ଯୌନାଙ୍ଗ ଯଦି ସଂକ୍ରମଣ ହୋଇ ଏଥିରେ ପ୍ରମେହ ରୋଗ ହୋଇଥିଲେ ପ୍ରଜନନ କ୍ଷମତା ହ୍ରାସ ପାଏ। ଫଳରେ ଦମ୍ପତି ସହଜରେ ପିତାମାତା ହୋଇପାରନ୍ତି ନାହିଁ। ଆଜିକାଲି ଫିଟ୍‌ଫାଟ୍ ରହିବା ସହ ସୁନ୍ଦର ଓ ସତେଜତା ପାଇଁ କେବଳ ମହିଳାମାନେ ନୁହେଁ ଯୁବତୀମାନେ ନାନା ପ୍ରକାର ଟିପ୍ସ ଗ୍ରହଣ କରିବା ସହ ନିଜେ ନିଜେ ଡାକ୍ତର ବନିଯାଇ ବିଭିନ୍ନ ପ୍ରକାର ବ୍ୟାୟାମ ଚାଲୁ ରଖନ୍ତି। ଏ କ୍ଷେତ୍ରରେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞଙ୍କ ପରାମର୍ଶ ନନେଇ ଟିଭି ଚ୍ୟାନେଲରେ ପ୍ରସାରିତ ବିଭିନ୍ନ ପ୍ରକାର ବ୍ୟାୟାମ ଦେଖି ନିଜେ ଫିଟ୍ ରହିବାକୁ ଚେଷ୍ଟା କରିଥାନ୍ତି। କଥା ହେଉଛି ସ୍ଲିମ୍ ଓ ଶକ୍ତିଶାଳୀ ହେବାରେ ବ୍ୟାୟାମ ସହାୟକ ହୁଏ। ହେଲେ ମହିଳାମାନେ ସ୍ଲିମ୍ ହେବା ଲକ୍ଷ୍ୟରେ ଆବଶ୍ୟକତା ଠାରୁ ଅଧିକ ବ୍ୟାୟାମ କରନ୍ତି । ଏହା ଗର୍ଭାଶୟ ଉପରେ ପ୍ରଭାବ ପକାଏ। ଫଳରେ ପ୍ରଜନନ କ୍ଷମତା ହ୍ରାସ ପାଏ। ସ୍ଲିମ୍ ହେବା ପାଇଁ ଯେଉଁ ମହିଳାମାନେ ସପ୍ତାହକୁ ୫ ଘଣ୍ଟାରୁ ଅଧିକ ବ୍ୟାୟାମ କରନ୍ତି ସେମାନଙ୍କ ପ୍ରଜନନ କ୍ଷମତା ହ୍ରାସ ପାଏ। ସେମାନେ ମା’ ହେବା ମଧ୍ୟ କଷ୍ଟସାଧ୍ୟ ହୋଇଥାଏ।

ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ବା ହାଇସୋସାଇଟିରେ ଷ୍ଟାଟସ୍ ଦେଖାଇ ହେବାରେ ଅଭ୍ୟସ୍ତ ମହିଳା ପ୍ରଜନନ କ୍ଷମତା ହରାଇଥାନ୍ତି। ବିଶେଷ କରି ମଦ୍ୟପାନ ବା ପ୍ରଚୁର ଧୂମପାନ କରୁଥିବା ମହିଳା ଏବଂ ବିଭିନ୍ନ ପ୍ରକାର ନିଶା ସେବନରେ ଅଭ୍ୟସ୍ତ ମହିଳାଙ୍କ କ୍ଷେତ୍ରରେ ପ୍ରଜନନ ସମସ୍ୟା ଦେଖାଯାଇଥାଏ। ମଦ୍ୟପାନ କରୁଥିବା ମହିଳାଙ୍କ ହର୍ମୋନ୍‌ରେ ସନ୍ତୁଳନ ରହେନାହିଁ। ଯାହାକି ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ। ପ୍ରାୟ ୭ ହଜାର ମହିଳାଙ୍କୁ ନେଇ ହୋଇଥିବା ଗବେଷଣାରୁ ଜଣାଯାଇଛି ଯେ, ଯେଉଁମାନେ ଅଧିକ ପରିମାଣରେ ମଦ୍ୟପାନ କରୁଥିଲେ ସେମାନଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇଥିଲା। ଆମେରିକାର ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ପ୍ରାୟ ୧୩ ପ୍ରତିଶତ ମହିଳାଙ୍କ ଧୂମପାନ ଯୋଗୁଁ ପ୍ରଜନନ କ୍ଷମତା ହ୍ରାସ ପାଇଛି। ଧୂମପାନ କରୁଥିବା ମହିଳାଙ୍କ ସନ୍ତାନର ମଧ୍ୟ ପ୍ରଜନନ କ୍ଷମତା ହ୍ରାସ ପାଏ। ସିଗାରେଟରେ ଥିବା କେମିକାଲ ହର୍ମୋନକୁ ଅସନ୍ତୁଳନ କରିବା ସହ ଡିଏନ୍‌ଏ ଉପରେ କୁ-ପ୍ରଭାବ ପକାଏ। ଉଭୟ ମହିଳା ଓ ପୁରୁଷ ଏଥିରେ କ୍ଷତିଗ୍ରସ୍ତ ହୋଇଥାନ୍ତି। ତେଣୁ ଗର୍ଭଧାରଣ ପାଇଁ ଯୋଜନା କରୁଥିଲେ ମଦ୍ୟପାନ ଛାଡ଼ିଦିଅନ୍ତୁ। ମଦ୍ୟପାନ ଯୋଗୁଁ ମଧ୍ୟ ସମୟ ପୂର୍ବରୁ ପ୍ରସବ ହୋଇଥାଏ। ଯାହାକି ମା’ ଓ ଛୁଆ ପାଇଁ ବିପଦ। ତା’ସହ ସର୍ବଦା ଚିନ୍ତାଗ୍ରସ୍ତ ରହୁଥିବା ମହିଳା ଚାହିଁଲେ ବି ଗର୍ଭଧାରଣ କରିପାରନ୍ତି ନାହିଁ। କାରଣ ସେମାନଙ୍କର ପ୍ରଜନନ କ୍ଷମତା ବହୁତ କମ୍‌। ଚିନ୍ତା ପ୍ରଜନନ ହର୍ମୋନର ସ୍ତରକୁ ବହୁତ କମେଇ ଦେଇଥାଏ। ତେଣୁ ଚିନ୍ତା ଦୂର କରିବା ପରେ ହିଁ ଜଣେ ମା’ ହେବାର ଦକ୍ଷତା ଫେରି ପାଏ। ଏଥିପାଇଁ ପ୍ରଜନନ କ୍ଷମତା ହ୍ରାସ ହେବା ପୂର୍ବରୁ ମହିଳାମାନେ ନିଶ୍ଚିତ ଭାବରେ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ > ଅଧୀକ୍ଷକ, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ, ଅର୍ବାନ ସିଏଚ୍‌ସି, ସିଡ଼ିଏ, କଟକ FollowUs: twitter.com/@suvbharat_times

Leave a Reply

Your email address will not be published. Required fields are marked *