ଆନ୍ତର୍ଜାତୀୟ

ବିଶ୍ୱ ଆର୍ଦ୍ରଭୂମି ଓ ଜୈବ ବିବିଧତା

ଡ଼ଃ.ଅରୁନ୍ଧତୀ ଦେବୀ, ମିଡିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ, ୨/୨/୧୯- ପ୍ରତିଦିନ ସମଗ୍ର ପୃଥିବୀରୁ ଟନ୍ ଟନ୍ ଆକାରର ପାହାଡ଼ ସଦୃଶ ବର୍ଯ୍ୟ ସାମଗ୍ରୀ ସମଗ୍ର ବିଶ୍ୱକୁ ଭୟଙ୍କର ଭାବେ ପ୍ରଦୂଷିତ କରି ନାନା ସମସ୍ୟା ସୃଷ୍ଟି କରୁଛି। ଦିନଥିଲା ପ୍ରକୃତିର ସୁନ୍ଦର ସଂରଚନାରେ ଛଅ ଗୋଟି ଋତୁକୁ ମଣିଷ ସମାଜ ଅନୁଭବ କରିବା ସହ ଉପଭୋଗ କରିବାକୁ ସକ୍ଷମ ହେଉଥିଲେ। ବର୍ତ୍ତମାନ କୌଣସି ଗୋଟିଏ ଋତୁର ନିର୍ଦ୍ଦିଷ୍ଟ ଦିନ ପର୍ଯ୍ୟନ୍ତ ତାର ଅବଧି ଶେଷ କରିପାରୁନାହିଁ।

ଯାହାଦ୍ୱାରା ତୀବ୍ର ଖରାଯୁକ୍ତ ଗ୍ରୀଷ୍ମ ଦିନରେ କେଉଁଠି ବର୍ଷା ହେଉଛି ତ ଶୀତ ଦିନରେ କେତେକ ସ୍ଥାନରେ ଟାଣ ଖରା ଅନୁଭବ କରାଯାଉଛି। ଆଜି ସମଗ୍ର ବିଶ୍ୱରେ ଅନେକ ଦୁର୍ଲଭ ଓ ଦୁଃସ୍ପ୍ରାପ୍ୟ ବିରଳ ପ୍ରଜାତିର ଜୀବଜନ୍ତୁଙ୍କ ଅବସ୍ଥିତି ଲୋପ ପାଇବାକୁ ବସିଲାଣି। ପରିବେଶକୁ ସଠିକ୍ ଭାବରେ ସନ୍ତୁଳନ ମାଧ୍ୟମରେ ମଣିଷର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଥିବା ଆର୍ଦ୍ରଭୂମି ଆଜି ସଙ୍କଟରେ।

ବିଶ୍ୱର ଜୈବ ବିବିଧତା ମଧ୍ୟରେ ଆର୍ଦ୍ରଭୂମି ଅଞ୍ଚଳ ଗୁରୁତ୍ୱପୂର୍ଣ୍ଣ। ଏହା ଅନେକ ବିରଳ ପ୍ରଜାତିର ପ୍ରାଣୀଙ୍କ ବାସସ୍ଥଳୀ। ପରିବେଶ ସନ୍ତୁଳନ ରକ୍ଷା ଦିଗରେ ଆର୍ଦ୍ରଭୂମି ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଣୁ ବିଶ୍ୱରେ ଥିବା ଆର୍ଦ୍ରଭୂମି ଅଞ୍ଚଳର ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବୃୟାରୀ ୨ ତାରିଖକୁ ବିଶ୍ୱ ଆର୍ଦ୍ରଭୂମି ଦିବସ ଭାବେ ପାଳନ କରାଯାଇଥାଏ।

ଫେବୃୟାରୀ ୨ ତାରିଖକୁ ବିଶ୍ୱ ଆର୍ଦ୍ରଭୂମି ଦିବସ ଭାବେ ପାଳନ କରିବାକୁ ୧୯୯୭ରେ ବିଶ୍ୱର ବିଭିନ୍ନ ସଂଗଠନ ନିଷ୍ପତ୍ତି ନେଇଥିଲେ। ସେବେ ଠାରୁ ପ୍ରତିବର୍ଷ ଫେବୃୟାରୀ ୨ ତାରିଖକୁ ବିଶ୍ୱ ଆର୍ଦ୍ରଭୂମି ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଦିବସରେ ଆର୍ଦ୍ରଭୂମି ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥାଏ।

ସଂପ୍ରତି ଦ୍ରୁତ ସହରୀକରଣ ଅଭିବୃଦ୍ଧି ଓ ତୁଳନାତ୍ମକ ଭାବେ ବ୍ୟାପକ ଭାବରେ ଗଛ କଟାଯାଉଥିବାରୁ ପରିବେଶର ସନ୍ତୁଳନ ରହୁନାହିଁ ଯାହାର ପ୍ରତ୍ୟେକ୍ଷ ଓ ପରୋକ୍ଷ ପ୍ରଭାବ ଜୀବଜନ୍ତୁଙ୍କ ଠାରୁ ମଣିଷଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ପଡ଼ୁଛି। ମଣିଷର ଖାଦ୍ୟ ପାଇଁ ସବୁଠାରୁ ଅତ୍ୟାବଶ୍ୟକ ଓ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ମୂର୍ତ୍ତିକା ସାଙ୍ଘାତିକ ଭାବେ ପ୍ରଦୂଷିତ ହେଉଛି।

ଭୂଗର୍ଭରୁ ଜଳର ମାତ୍ରା ଦିନକୁ ଦିନ ଉଦ୍ବେଗଜନକ ଭାବରେ କମି କମି ଯାଉଥିବାରୁ ଆଗାମୀ ଦିନରେ ବିଶ୍ୱ ଜଳ ପାଇଁ ହା ହାକାର ଓ ଅନାଟନ ଭିତରୁକ ପେଷି ହୋଇଯିବ ଏ ନେଇ ପରିବେଶ ବିଜ୍ଞାନୀ, ବୁଦ୍ଧିଜୀବୀ ମହଲ ଗଭୀର ଉଦବେଗ ପ୍ରକାଶ କରୁଥିଲେ ମଧ୍ୟ ଏ ସବୁ ଦାୟିତ୍ୱ ଓ ନିର୍ଦ୍ଦେଶାବଳୀକୁ ଗ୍ରହଣ କରିବା ପାଇଁ ସବୁ କ୍ଷେତ୍ରରେ କେବଳ ସରକାରଙ୍କ ଉପରେ ଦାୟିତ୍ୱ ଛାଡ଼ିଦେଲେ ହେବନାହିଁ। ଏ କ୍ଷେତ୍ରରେ ଆମ ସମସ୍ତଙ୍କର ସଚେତନଧର୍ମୀ ଗୁରୁ ଦାୟିତ୍ୱ ଯେ ରହିଛି ଏହାକୁ ଆମେ ଭୁଲିଯିବା ଅନୁଚିତ।
ଶୋଭନୀୟ ଆନ୍ଦୋଳନ, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *