ସ୍ୱାସ୍ଥ୍ୟ

ଆଧ୍ୟାତ୍ମିକତା ଓ ଭାରତର ଯୋଗ ବିଜ୍ଞାନ

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର, ମିଡିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ- ଆଜିର କର୍ମବ୍ୟସ୍ତ ଜୀବନରେ ମଣିଷ ସବୁବେଳେ ଦୌଡ଼ିବାରେ ଲାଗିଛି। ମାତ୍ର ବେଳେବେଳେ ପରିସ୍ଥିତି ଏହି ଗତିରେ ବାଧା ଉତ୍ପନ୍ନ କରିଥାଏ। ରୋଗ ଓ ବିଷାଦ ମଣିଷର ମନ ଓ ଶରୀରକୁ ଭାରାକ୍ରାନ୍ତ କରିଦିଏ। ଏହାସହ କର୍ମରେ ସର୍ବଦା ବ୍ୟସ୍ତ ରହି ଆମୋଦପ୍ରମୋଦ ପାଇଁ ସମୟ ବାହାର କରିପାରେନି। ତେଣୁ ଚିନ୍ତା, ବିଷାଦ, ଚିଡ଼ିଚିଡ଼ାପଣ ଆଦି ମନ ଭିତରେ ଘର କରିନିଏ। ଶରୀର କ୍ଲାନ୍ତ ହୋଇପଡ଼େ। ଏହାପରେ ମଣିଷ ହୋଇଯାଏ ଡାକ୍ତର ଓ ଔଷଧର କ୍ରୀତଦାସ।

ଏହି ସବୁ ମଧ୍ୟରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ ପାଇବାର ଏକମାତ୍ର ପନ୍ଥା ହେଉଛି ଯୋଗ। ଶରୀରକୁ ସୁସ୍ଥ ରଖିବା ସହ ଶରୀରର ଶକ୍ତି ବଢ଼ାଇବା, ମନକୁ ଶୀତଳତା ପ୍ରଦାନ କରିବାରେ ଯୋଗର ଭୂମିକା ଅପରିହାର୍ଯ୍ୟ। ଯୋଗ ଦ୍ୱାରା ଆପଣଙ୍କ ବ୍ୟସ୍ତମୟ ଜୀବନକୁ ଏକ ସୁନ୍ଦର ସଙ୍ଗୀତମୟ ଗତି ମିଳିଯାଏ।

ଯୋଗ ଆମ ପ୍ରାଚୀନ ଭାରତର ପରିଚୟ ଅଟେ। ସଂସାରର ପ୍ରଥମ ପୁସ୍ତକ ରକବେଦର କେତେକ ସ୍ଥାନରେ ଯୋଗକ୍ରିୟାର ବିଶେଷ ଉଲ୍ଲେଖ ରହିଛି। ପ୍ରାୟ ହଜାର ବର୍ଷ ପୁରୁଣା ଏହି ଯୋଗ କ୍ରିୟା କେବଳ ରୋଗକୁ ଦୂର କରିବାର ପ୍ରକ୍ରିୟା ଭାବେ ନିଜର ଉପସ୍ଥିତି ଜାହିର କରିନାହିଁ ବରଂ ଶରୀରର ସମସ୍ତ ରୋଗେ ଦୂର କରିବା ସହ ମସ୍ତିଷ୍କକୁ ଚିନ୍ତାମୁକ୍ତ କରେ ଓ ମନକୁ ପବିତ୍ର କରି ଆତ୍ମାକୁ ଈଶ୍ୱରଙ୍କ ନିକଟବର୍ତ୍ତୀ କରାଇଥାଏ। 

“ଓଁ ଭୂର୍ଭୁବଃ ସ୍ୱଃ ତତ୍ସର୍ବିତୁର୍ବରେଣ୍ୟଂ ଭର୍ଗୋଦେବସ୍ୟ ଧୀମହି ଧିୟୋ ୟୋନଃ ପ୍ରଚୋଦୟାତ୍’- ବେଦରୁ ହିଁ ସର୍ବ ପ୍ରଥମେ ପ୍ରାଚୀନ ଯୋଗର ଉଦ୍ଭବ। ଆଉ ଯୋଗ ହେଉଛି ଆମର ପ୍ରାଚୀନ ଯୋଗୀ, ମୁନିଋଷି ମାନଙ୍କ ଦୀର୍ଘ ସାଧନାର ଫଳସ୍ୱରୂପ ଏକ ଦାନ। ସେମାନଙ୍କର ଆଧ୍ୟାତ୍ମିକ ଅନୁଭୂତି ତଥା ଗଭୀର ଅନୁଶୀଳନ ଦ୍ୱାରା ସମଗ୍ର ବିଶ୍ୱବାସୀଙ୍କ ପାଇଁ ଏହି ଶ୍ରେଷ୍ଠ ସମ୍ପତି ରଖିଯାଇଛନ୍ତି।

ବେଦାନ୍ତ ତତ୍ତ୍ୱର ତିନୋଟି ଗ୍ରନ୍ଥ ଉପନିଷଦ, ବ୍ରହ୍ମସୂତ୍ର ଓ ଶ୍ରୀମଦଭାଗବତ ଗୀତାରେ ଏହି ଯୋଗତତ୍ତ୍ୱ ନିହିତ। ମହାଭାରତର ଯୁଦ୍ଧଭୂମି କୁରୁକ୍ଷେତ୍ରରେ ନିଜର ମିତ୍ର ଅର୍ଜ୍ଜୁନଙ୍କ ଭାବାନ୍ତରକୁ ଦୃଷ୍ଟିରେ ରଖି ଭଗବାନ ଶ୍ରୀକୃଷ୍ଣଙ୍କ ମୁଖରୁ ଗୀତା ରୂପେ ମୁଖରିତ ହୋଇଥିଲା। ଆଜିର ସମୟରେ ଯୋଗ କେବଳ ମଣିଷ ସମାଜର ସ୍ୱାସ୍ଥ୍ୟ ସମସ୍ୟା ନୁହେଁ ବିଭିନ୍ନ ସାମଗ୍ରୀକ ଚିନ୍ତନ ଓ ସମସ୍ୟାକୁ ସମାଧାନ କରିପାରୁଛି।

ଏହା ସେମାନଙ୍କୁ ଶାନ୍ତି ଓ ଦିବ୍ୟାନନ୍ଦର ଅନୁଭୂତି ପ୍ରଦାନ କରିବା ସହ ମନର ସନ୍ତୁଳନ, ବ୍ୟକ୍ତିତ୍ୱର ବିକାଶ ଓ ଜୀବନକୁ ଦିବ୍ୟମୟ କରିବା ପାଇଁ ପଥ ପ୍ରଦର୍ଶନ କରୁଛି।ସଂପ୍ରତି ଭାରତୀୟ ଯୋଗବିଜ୍ଞାନ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ସହ ପ୍ରାୟ ପୃଥିବୀର ଅଳ୍ପ ବହୁତ ଅଧିକାଂଶ ରାଷ୍ଟ୍ରରେ ଏ କ୍ଷେତ୍ର ଉପରେ ବିଜ୍ଞାନୀଗଣ ଗବେଷଣା ଓ ପରୀକ୍ଷଣ ଜାରି ରଖିବା ସହ ଯୋଗ ପ୍ରତି ଦିନକୁ ଦିନ ଉତ୍କଣ୍ଠା ଓ ଆଗ୍ରହ ବଢ଼ିବାରେ ଲାଗିଛି।

ଭାରତ ହେଉଛି ଯୋଗର ଉଦଗମ ଓ ପ୍ରୟୋଗର କ୍ଷେତ୍ର। ଯୋଗ, ଧ୍ୟାନ, ପ୍ରାଣାୟମ, ଆସନ, ବନ୍ଧମୁଦ୍ରା, ସମାଧି ପରି ବିଭିନ୍ନ କ୍ଷେତ୍ର ଉପରେ ଯୋଗ ବିଜ୍ଞାନର ଗବେଷଣା ବି ଚାଲିଛି। ଯୋଗର ପରମ ଲକ୍ଷ୍ୟ ହେଉଛି ଜୀବାତ୍ମାର ପରମାତ୍ମାଙ୍କ ସହିତ ଯୋଗ ବା ମିଳନ। ଯୋଗ ଦ୍ୱାରା ମନୁଷ୍ୟ ଜନ୍ମ-ମୃତ୍ୟୁ ରୂପକ ସଂସାରଚକ୍ରରୁ ମୁକ୍ତି ପାଏ, ଏବଂ ଅମରତ୍ୱ ଲାଭ କରିଥାଏ। 

ଯୋଗକୁ କୌଣସି ନୀତି ରୂପେ ନୁହେଁ ବରଂ ମାନବ ଜୀବନର ମୂଳଭୂତ ଆଧାରଶିଳା ଭାବେ ଗ୍ରହଣ କରିବା ଉଚିତ। ଧର୍ମ ପାଳନ ଏବଂ ସାଧନା ହେଉଛି ଯୋଗର ଦୁଇଟି ବାହୁ। ଏହିପରି ଯୋଗ ହେଉଛି ଏକ ସାମଗ୍ରୀକ ଜୀବନ ପଦ୍ଧତି। ଯୋଗ ସାଧନାର ମୂଳ ଉଦ୍ଦେଶ୍ୟ ହେଉଛି ବ୍ୟକ୍ତିତ୍ୱର ଜୀବନରେ ସରସତା ଆନନ୍ଦ ଆଣିବା ସହ ସନ୍ତୁଳନ ସାଧନା କରିବା।ଆମର ଭାରତୀୟ ମହର୍ଷୀଗଣ ଆଧ୍ୟାତ୍ମିକ ଜୀବନର ପ୍ରତିଟି ମୁହୂର୍ତ୍ତକୁ ତତ୍ତ୍ୱ ଦର୍ଶନର ଅନୁସନ୍ଧାନ ତଥା ନିଜର କଠୋର ତପସ୍ୟା ଓ ସାଧନାତ୍ମକ ପ୍ରୟୋଗର ନିଷ୍କର୍ଷରେ ପହଁଚି ମାର୍ଗଦର୍ଶନ କରିଛନ୍ତି ଯେ ପରମାତ୍ମା ହେଉଛନ୍ତି ଅସୀମ ଅନନ୍ତ ସମଷ୍ଟି ସତ୍ତା।

ମହାନ ହେବାକୁ ହେଲେ ବ୍ୟକ୍ତିସତ୍ତାକୁ ସମଷ୍ଟି ସତ୍ତା ସହିତ ସଂଯୋଗ କରିବାର ଆବଶ୍ୟକତା ରହିଛି। ବିଶ୍ୱରେ ସତ୍-ଚିତ୍-ଆନନ୍ଦମୟ ଚେତନାର ଯେଉଁ ଦିବ୍ୟାନୁଭୂତି ମିଳିଛି ସେସବୁ ହେଉଛି ଯୋଗ ପଦ୍ଧତିର ବିଭିନ୍ନ ଅଙ୍ଗ। ଭାରତୀୟ ବେଦ, ଉପନିଷଦ, ପୁରାଣ ହେଉ ମହାଭାରତ ବା ଭାଗବତ ଯୋଗବାଶିଷ୍ଠ ହେଉ ବା ଯାଜ୍ଞବଳକ୍ୟସ୍ମୃତି ସବୁ ଗ୍ରନ୍ଥରେ ଅନନ୍ତ ଯୋଗସୂତ୍ରର ଉଲ୍ଲେଖ ଦେଖିବାକୁ ମିଳେ।

ମହାତ୍ମା ବୁଦ୍ଧଦେବ ଯୋଗଶାସ୍ତ୍ର ନିର୍ଦ୍ଦେଶିତ ଆସନ, ପ୍ରାଣାୟମ, ଧ୍ୟାନ, ମୁଦ୍ରା ଅଭ୍ୟାସ କରି ସମାଧି ସାଧନା କରିଥିଲେ। ଋଗବେଦ, ଅଥର୍ବବେଦରେ ଯୋଗଭ୍ୟାସକୁ ନେଇ ଅନେକ ମନ୍ତ୍ର ସ୍ଥାନିତ ହୋଇଛି। ଜୈନ ଧର୍ମରେ ଭଗବାନ ମହାବୀର ଜୈନ ସ୍ୱୟଂ ସିଦ୍ଧଯୋଗୀ ଥିଲେ। ତାଙ୍କ ପଥ ପ୍ରଦର୍ଶିତ ପଞ୍ଚଜମ ହିଁ ଯୋଗର ମୁଖ୍ୟ ଉପାୟ।ସେହିପରି ପାତଞ୍ଜଳୀ ଯୋଗରେ ବର୍ଣ୍ଣିତ ଅହିଂସା ସହିତ ଜୈନ ସମତ ଅହିଂସା ମହାବ୍ରତର ସ୍ୱରୂପ ଅନେକ କ୍ଷେତ୍ରରେ ସମାନ। ଈଶ୍ୱରଙ୍କ ସହିତ ସଂଯୁକ୍ତ ହେବା ହିଁ ଯୋଗ। ଯାହାକି ଏକ ଆଧ୍ୟାତ୍ମିକ ବିଜ୍ଞାନ। ଯୋଗର ଲକ୍ଷ୍ୟ ହେଉଛି ମନୁଷ୍ୟକୁ ପ୍ରକୃତିର ଦାସତ୍ୱରୁ ମୁକ୍ତ କରି ତାକୁ ନିଜ ସ୍ୱରୂପର ସାକ୍ଷାତକାର କରାଇବା।

ସଂପ୍ରତି ଭାରତୀୟ ଯୋଗଦର୍ଶନ ଗିରିକନ୍ଦର ତଥା ପାହାଡ଼ ପର୍ବତର ଗୁମ୍ଫାରୁ ବାହାରି ସମଗ୍ର ବିଶ୍ୱର ପ୍ରତିଟି କୋଣ ଅନୁକୋଣରେ ପହଁଚିଛି। ମୋଟାମୋଟି ଭାବରେ ଯୋଗର ଅର୍ଥ ଜୀବାତ୍ମାଙ୍କ ସହ ପରମାତ୍ମାଙ୍କ ମିଳନ। ଯୋଗ ମନୁଷ୍ୟର ଚେତନା ବିକାଶର ବିଜ୍ଞାନ। ଯୋଗ ସାଧନା ଏକ ବିଂଶ ଶତାବ୍ଦୀରେ ପ୍ରତ୍ୟେକ ମାନବର ଅନିର୍ବାର୍ଯ୍ୟ କର୍ତ୍ତବ୍ୟ ରୂପେ ପରିଣତ ହୋଇଛି।ଏହି ସାଧନା ଦ୍ୱାରା ଜଣେ ନିଜକୁ ଠିକ୍ ଭାବରେ ଜାଣିବା ସହ ନିଜକୁ ଅନୁଶାସନରେ ରଖିବା ପାଇଁ ସମର୍ଥ ହୋଇପାରିବ। ମଣିଷର ଉଜୁଡି ଯାଇଥିବା ମୁହୂର୍ତ୍ତ ପୁଣିଥରେ ଗଢ଼ାଯାଇ ପାରିବ।

ଯୋଗ ସାଧନାର ତତ୍ତ୍ୱ ଦର୍ଶନ ସହିତ ପରିଚିତ ହୋଇ ମଣିଷ ନିଜକୁ ଜାଣିପାରେ। ହଜିଯାଇଥିବା ଶାନ୍ତିକୁ ପୁନର୍ବାର ଫେରି ପାଇପାରେ। ଏହାର ନିୟମିତ ଅଭ୍ୟାସ ଦ୍ୱାରା ଆମ୍ଭେମାନେ ସ୍ୱାସ୍ଥ୍ୟ, ସୌନ୍ଦର୍ଯ୍ୟ, ପ୍ରତିଭା, ବିଦ୍ୟା, ଆନନ୍ଦ ଓ ସର୍ବୋପରି ଶାନ୍ତି ଭଳି ବରଦାନ ପ୍ରାପ୍ତ ହୋଇପାରିବା। ତେଣୁ ଆଜି ଆନ୍ତର୍ଜାତିକ ଯୋଗ ଦିବସରେ ଉଜ୍ଜଳ ଭବିଷ୍ୟତର ଆଧ୍ୟାତ୍ମିକ ସମ୍ଭାବନାକୁ ସାକାର କରିବାଲାଗି ଯୋଗ ସାଧନାର ତତ୍ତ୍ୱ ଦର୍ଶନକୁ ହୃଦୟଙ୍ଗମ କରିବା ଏବଂ ଏହାକୁ ଜୀବନର ଦିବ୍ୟମୟ ପଥପାଇଁ ପ୍ରଶସ୍ଥର କ୍ଷେତ୍ର ଭାବେ ଗ୍ରହଣ କରିବା। – ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜ, କଟକ, ଦୂରଭାଷ: ୯୪୩୭୦୫୧୯୫୭

Leave a Reply

Your email address will not be published. Required fields are marked *