International

ପାକିସ୍ତାନ ଅଧିକୃତ କଶ୍ମୀରରେ ଭୂକମ୍ପ, ୨୬ମୃତ ୩ ଶହ ଆହତ

ଶୁଭ୍ ଭାରତ ଟାଇମ୍ସ(ବ୍ୟୁରୋ), ୨୪.o୯- ମଙ୍ଗଳବାର ଅପରାହ୍ଣ ୪.୩୨ ମିନିଟ। ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ନୁଆ ମୀରପୁର୍ ସହର ଛାରଖାର ହୋଇଯାଇଛି। ରିକ୍ଟର୍‌ ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ପ୍ରଥମେ ୬.୩ ଥିବା କୁହାଜିଵ ପରେ ପ୍ରକୃତରେ ଏହା ୫.୮ ବୋଲି ଜଣାପଡ଼ିଛି। ମୀରପୁର ଡିଆଇଜିଙ୍କ ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଶହ ରୁ ଅଧିକ ଆହତ ଏବଂ ସେମାନଙ୍କ ମଧ୍ୟରୁ ଶହେ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

ଭୂକମ୍ପର କେନ୍ଦ୍ର ସ୍ଥଳ ଥିଲା ପିଓକେର ନୂଆ ମୀରପୁର ସହର ବୋଲି ରିପୋର୍ଟରେ କୁହାଯାଇଛି। ମୀରପୁର, ଜରିକାସ୍‌ ଏବଂ ଜଟ୍‌ଲାନ୍‌ ଆଦି ଅଞ୍ଚଳରେ ଆକାଶମାର୍ଗରୁ କ୍ଷୟକ୍ଷତି ଆକଳନ କରାଯାଇଛି। ଭୂମିକମ୍ପ ପ୍ରଭାବରେ ପିଓକେର ନୂଆ ମୀରପୁର ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପ ପରେ କିଛି ଫଟୋ ଜାତୀୟ ଗଣମାଧ୍ୟମର ହସ୍ତଗତ ହୋଇଛି, ଯାହା ଦର୍ଶାଉଛି କିଛି ମିନିଟ୍‌ରେ ପ୍ରକୃତି କିଭଳି ଭୟଙ୍କର ତାଣ୍ଡବ ରଚିଛି। ଏଥିରେ ନୂଆ ମୀରପୁର ସହର ସମେତ ଉତ୍ତର ଭାରତ ଏବଂ ପାକିସ୍ତାନର କିଛି ଅଞ୍ଚଳରେ କ୍ଷୟକ୍ଷତି ଘଟିଛି।

ମୀରପୁରର ଜାତୀୟ ରାଜପଥରେ ବିରାଟ ଫାଟ ସୃଷ୍ଟି ହୋଇଥିବା ବେଳେ ଘର ଦ୍ୱାରା ସଂପୂର୍ଣ୍ଣ ମାଟିରେ ମିଶି ଯାଇଛି। ରାସ୍ତା ମଝିରୁ ଦୁଇ ଫାଳ ହୋଇଯିବାରୁ ଏକାଧିକ ଗାଡ଼ି ଏହା ମଧ୍ୟରେ ଫସି ରହିଛି ଏବଂ ଯାତାୟାତ ବନ୍ଦ ହୋଇ ଯାଇଛି। ରାସ୍ତାଘାଟ ବନ୍ଦ ହୋଇଯାଇଥିବାରୁ ଉଦ୍ଧାରକାରୀ ଦଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି। ଝେଲମ୍‌ ନଦୀଠାରେ ସଡ଼କ ଭୁଷୁଡ଼ିଯିବା କାରଣରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିଭଳି ମଙ୍ଗଳା ଡ୍ୟାମ୍‌ର ପାଣି ଝେଲମ୍‌ ନଦୀରେ ପଶିଆସିଥିବା ସୂଚନା ମିଳିଛି। ଏଥିପାଇଁ ପିଓକେର ହସ୍ପିଟାଲଗୁଡ଼ିକ ପାଇଁ ପାକିସ୍ତାନ ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିବା ଡେପୁଟୀ କମିଶନର ଏଜେକେ ରାଜା କାସିର ସୂଚନା ଦେଇଛନ୍ତି। ସେ ଆହୁରି କହିଥିଲେ ଯେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ତ୍ୱରିତ ଉଦ୍ଧାର କାର୍ଯ୍ୟ ସହ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସରକାରୀ ହସ୍ପିଟାଲକୁ ଆଲର୍ଟ ରହିବାକୁ କୁହାଯାଇଛି। ସେନା ପକ୍ଷରୁ ଯବାନ ଓ ମେଡିକାଲ ଟିମ୍‌କୁ କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠାଯାଇଥିବା ପାକିସ୍ତାନ ସେନାଧ୍ୟକ୍ଷ କମାର ଜାଭେଦ୍‌ ବଜ୍‌ୱା କହିଛନ୍ତି। ସେମାନେ ବିମାନ ଏବଂ ମେଡିକାଲ ଉପକରଣ ସହ ପ୍ରସ୍ତୁତ ଥିବା ସେ ଜଣାଇଛନ୍ତି।

ଭୂକମ୍ପର ଝଟକା ସିଆଲକୋଟ୍‌, ସରଗୋଧା, ମନଶେହରା, ଗୁଜରାଟ, ଚିତ୍ରାଲ, ମଲକାନ୍ଦା, ସଂଘଲା, ବାଜାଉର, ସ୍ୱତ, ସାହିୱଲ, ରହିମ ୱାର ଖାନ ଓ ମୀରପୁରରେ ଅନୁଭୂତ ହୋଇଛି। ଏହାବାଦ୍‌ ପାକିସ୍ତାନର ଲାହୋର, ଇସ୍‌ଲାମାବାଦ, ରାୱଲପିଣ୍ଡି ଓ ପେଶୱାର ଭଳି ବଡ଼ବଡ଼ ସହରରେ ମଧ୍ୟ ଲୋକମାନେ ଭୂକମ୍ପ ପରେ ଦୀର୍ଘ ସମୟ ଧରି ଘର ବାହାରେ ଆଶ୍ରୟ ନେଇଥିଲେ। ପାକିସ୍ତାନ ସରକାରଙ୍କ ପକ୍ଷରୁ କୁହାଯାଇଛି, ଆଜିର ଭୂମିକମ୍ପ ୨୦୦୫ ମସିହାର ଭୂମିକମ୍ପ ପରି ଏତେ ମଧ୍ୟ ଭୟଙ୍କର ନୁହେଁ। ୧୪ ବର୍ଷ ତଳେ ଏହି ଘଟଣାରେ ୮୭,୩୫୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ କେବଳ ୧୯ ହଜାର ଜଣ ଶିଶୁଙ୍କର ପ୍ରାଣ ଯାଇଥିବା କୁହାଯାଏ। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୬ ଥିଲା। ଏହା ୧୯୩୫ ପରଠାରୁ ଦକ୍ଷିଣ ଏସିଆର ସବୁଠାରୁ ଭୟଙ୍କର ଭୂମିକମ୍ପ କୁହାଯାଏ।

ଭାରତରେ ମଧ୍ୟ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଉତ୍ତର ଭାରତର ପଞ୍ଜାବ, ହରିଆଣା ଏବଂ ଚଣ୍ଡୀଗଡ଼ ସମେତ ରାଜଧାନୀ ନୂଆଦିଲ୍ଲୀରେ ମଧ୍ୟ ଅନୁଭୁତ ହୋଇଛି। ତେବେ ଜମ୍ମୁ-କଶ୍ମୀରର କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ନାହିଁ ବୋଲି କହିଛନ୍ତି ଡିଜି ଦିଲ୍‌ବାଗ ସିଂହ। ଏପରିକି କୌଣସି ନିର୍ମାଣ ଏବଂ ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *