Metro

କୃଷି ଋଣରୁ ବଞ୍ଚିତ ହେଲେ ୪ ହଜାର ଚାଷୀ

ଚିଲିକା, ଶୁଭ୍ ଭାରତ ଟାଇମ୍ସ, ୨୭ ଜୁଲାଇ- ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ଦ୍ୱାରା ପରିଚାଳିତ ସୋରଣ ସେବା ସମବାୟ ସମିତିରୁ କୃଷି ଋଣ ପାଇବାରୁ ବଞ୍ଚିତ ହୋଇଛନ୍ତି ସମିତିର ୪ ହଜାର ଚାଷୀ। ପୂର୍ବରୁ ରବି ଋଣ ହରାଇବା ପରେ ଏବେ ଖରିଫ୍ ଋଣ ମଧ୍ୟ ସେମାନଙ୍କ ପାଖରେ ପହିଁଚପାରିନି। ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି ସମିତିରୁ ଲଜ୍ଜିତ ଅବସ୍ଥାରେ ବିଦାୟ ନେଇଥିବା ସମିତି ପରିଚାଳନା ପରିଷଦର ୬ ଜଣ ସଦସ୍ୟ। ଏମାନେ ସମିତି ସମ୍ପାଦକଙ୍କ ବିରୋଧରେ ମିଥ୍ୟା ମାମଲା ଋଜୁ କରି ଋଣ ବଣ୍ଟନ ବନ୍ଦ କରିବାକୁ ବାରମ୍ବାର ଅଦାଲତର ଦ୍ୱାରସ୍ଥ ହେଉଛନ୍ତି। ଅଦାଲତରେ ମାମଲା ପଡ଼ିରହି ମାମଲାର ଶୁଣାଣୀରେ ଅହେତୁକ ବିଳମ୍ବ ଘଟିଛି। ଏନେଇ ସମିତି ସମ୍ପାଦକ ପ୍ରମୋଦ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ ଅଦାଲତରେ ଫୈସଲା ନହେଲା ପର୍ଯ୍ୟନ୍ତ ଋଣ ବଣ୍ଟନ ସମ୍ଭବ ନୁହେଁ ବୋଲି ରୋକଠୋକ୍ ଉତ୍ତର ରଖିଛନ୍ତି।

ଏନେଇ ତଥ୍ୟ ସଂଗ୍ରହ ବେଳେ ଜଣାଗଲା ଯେ, ସୋରଣ ସେବା ସମବାୟ ସମିତିର କେତେକ ସଦସ୍ୟ ସମିତିରୁ ଋଣ ଆକାରେ ଲକ୍ଷାଧିକ ଟଙ୍କା ନେଇ ପରିଶୋଧ କରିନଥିଲେ। ସମିତି ସମ୍ପାଦକ ସେମାନଙ୍କୁ ଋଣ ପରିଶୋଧ ପାଇଁ ଅନୁରୋଧ କରିବାରୁ ସେମାନେ ଅନନ୍ୟୋପାୟ ହୋଇ ସମ୍ପାଦକଙ୍କ ବିରୋଧରେ କୋ-ଅପରେଟିଭ୍ ଟ୍ରିବ୍ୟୁନାଲରେ ମାମଲା ଋଜୁ କଲେ। ଭାରତରେ ଅଦାଲତରୁ ତୁରନ୍ତ ନ୍ୟାୟ ପାଇବା ଅସମ୍ଭବ। ଏଥିପାଇଁ ସୋରଣ ସମିତି ଅଧିନରେ ପଞ୍ଜିକୃତ ୩ ଟି ପଂଚାୟତର ୪ ହଜାର ଚାଷୀ ଗତ ୬ ମାସ ତଳେ ଗୃହିତ ରବି ଋଣ ହରାଇବା ସହ ଚଳିତ ଖରିଫ୍ ଋତୁରେ ମଧ୍ୟ ଋଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ଗତ ଦେଢ ବର୍ଷ ଧରି ସମିତି ସମ୍ପାଦକ ଓ ପରିଚାଳନା ପରିଷଦ ସଦସ୍ୟମାନଙ୍କ ମଧ୍ୟରେ ବିବାଦ ଉପୁଜିଛି। ତେଣୁ ସରକାରଙ୍କର ଏହି ଫଳପ୍ରଦ ଯୋଜନାରୁ ଚାଷୀ ବାଦ୍ ପଡ଼ିଛନ୍ତି। ଏହି ଘଟଣା ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ରାଜଧାନୀ ସହ ଯୋଡ଼ି ହୋଇଥିବା ଖୋର୍ଦ୍ଧା ଜିଲ୍ଲାରେ ସରକାରୀ ଶାସନକଳ ଅଛି କିମ୍ବା ନାହିଁ ତାହା ସମସ୍ତଙ୍କୁ ଚକିତ କରିଛି। ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଉପ-ଜିଲ୍ଲାପାଳ, ସମବାୟ ସଚିବ, ଏଆରସିଏସ୍, ଡିଆରସିଏସ୍ ଓଗେର ପଦାଧିକାରୀ ଏଦିଗରେ କ’ଣ ପଦକ୍ଷେପ ନେଇଛନ୍ତି, ତାକୁ ନେଇ ଚର୍ଚ୍ଚା ଯୋର ଧରିଛି।

ରାଜ୍ୟ ସରକାର ରାଜ୍ୟରେ ଚାଷୀଙ୍କୁ ମୋହରା କରି ପ୍ରତି ବର୍ଷ କୃଷି କର୍ମଣ ପୁରସ୍କାର ପାଇଚାଲିଛନ୍ତି। ହେଲେ କେଉଁ ମୁର୍ଖ ଏ ସରକାରକୁ ଏତେବଡ଼ ପୁରସ୍କାର ଦେବାକୁ ଚୟନ କରୁଛି ଏହାକୁ ନେଇ ଚାଷୀକୂଳ ପ୍ରଶ୍ନ ଉଠାଇଛନ୍ତି। ଏବେ ରାଜ୍ୟରେ ବିରୋଧୀ ବିଜେପି ଓ ଶାସକ ବିଜେଡି ମଧ୍ୟରେ ଚାଲିଛି ଅନାବିଳ ପ୍ରେମ। ଏଥିରେ ଭାଷି ଗଲାଣି ଚାଷୀର ଶାଗ ଲୁଣର ସଂସାର। ଜିଲାର କୌଣସି ଅଧିକାରୀ ଏନେଇ ଆଦୌଁ ସଚେତନ ନୁହଁନ୍ତି। ସାଧାରଣ ଲୋକଙ୍କ ପ୍ରଶ୍ନ ସମିତିକୁ ସୂଚାରୁ ରୂପେ ପରିଚାଳନା ପାଇଁ ଗଠିତ ବୋର୍ଡ ବା ପରିଚାଳନା ପରିଷଦର ସଦସ୍ୟମାନେ ସମିତିରୁ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇ ନଶୁଝିବା କେତେଦୂର ଠିକ୍ ! ସମିତିର ଋଣ ଭରଣ ପାଇଁ ନିଯୁକ୍ତ ସମ୍ପାଦକ ଏହି ଲାଭଖୋର ସଦସ୍ୟମାନଙ୍କ ଠାରୁ ଋଣ ଅସୁଲ ପାଇଁ ଦାବି କରି ଯଦି ସମବାୟ ଟ୍ରିବ୍ୟୁନାଲରେ ଛିଡ଼ା ହେଉଛି, ତେବେ ରାଜ୍ୟ ସମବାୟ ବିଭାଗରେ ନିୟୋଜିତ ବିଭାଗୀୟ ସଚିବ ଏବଂ ସମବାୟ ମନ୍ତ୍ରୀ ଏଭଳି ପରିସ୍ଥିତିରେ ଚାଷୀଙ୍କୁ ଋଣ ଦେବା ପାଇଁ କଣ ବିକଳ୍ପ ବ୍ୟବସ୍ଥା କରିଛନ୍ତି !

ସୋରଣ ସମବାୟ ସମିତି ମାମଲାକୁ ନେଇ ଆଉ ଯେଉଁକଥା ଶୁଣିବାକୁ ମିଳୁଛି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଘଇତା ପଛେ ମରୁ, ସଉତୁଣୀ ରାଣ୍ଡ ହେଉ ନ୍ୟାୟରେ ନିଷ୍ପତ୍ତି ନେଇଛନ୍ତି ବିବାଦୀୟ ସଭାପତି ଓ ସଦସ୍ୟ। ନିକଟରେ ଅପଦସ୍ଥ ଅବସ୍ଥାରେ ତଥା ସମିତି ସମ୍ପାଦକ ନାଁରେ କରିଥିବା ମାତ୍ରାଧିକ ମାମଲାରେ ପରାଜୟ ବରଣ କରିଥିବା ତଡ଼ାଖିଆ ସଦସ୍ୟମାନେ ଗାଁଗଣ୍ଡା ବୁଲି ଋଣ କରାଇଦେବା ଆଳରେ ଚାଷୀଙ୍କ ଠାରୁ ଟଙ୍କା ଲୁଟୁଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ବରୁଣପଡ଼ା ଗ୍ରାମର ଗୋବର୍ଦ୍ଧନ ଘଡେଇଙ୍କ ପତ୍ନୀ ଲିଜା ଘଡେଇ ଆମକୁ ଫୋନ୍ କରି ଜଣାଇଛନ୍ତି କି, ଚିତ୍ତରଂଜନ ପଟ୍ଟନାୟକ ଓରଫ୍ ବୁଢା ଓ ଲଳିତ ମହାରଣା ନାମକ ୨ ଜଣ ବ୍ୟକ୍ତି ତାଙ୍କ ପାଇଁ ସମବାୟ ଋଣ କରାଇ ଦେବାକୁ କହି ୧୫ ହଜାର ଟଙ୍କା ଲାଞ୍ଚ ନେଇଛନ୍ତି। ଏହି ଟଙ୍କା ଫେରିପାଇବାକୁ ସେ ଏମାନଙ୍କ ଘରେ ପହଁଚିବାରୁ ସେ ଦୁହେଁ ଲିଜାଙ୍କୁ ଧମକ ଦେଇଥିଲେ। ଘଟଣାର ସତ୍ୟାସତ୍ୟ ଜାଣିବାକୁ ଲାଞ୍ଚ ନେଇଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ। ତେବେ ସମିତିରୁ ଋଣ ନେଇ ପାଲଟା ସମିତିରେ ତାଲା ଝୁଲାଇବାକୁ ଚେଷ୍ଟା କରୁଛନ୍ତି ଏଭଳି ଦୁର୍ବୃତ୍ତ। ଜିଲ୍ଲ। ପ୍ରଶାସନ ଏମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଚାଷୀଙ୍କୁ ତୁରନ୍ତ କୃଷିଋଣ ପ୍ରଦାନ କରୁ। ଶୁଭ୍ ଭାରତ ଟାଇମ୍ସ ମାଧ୍ୟମରେ ସେମାନେ ଦାବି କରିଛନ୍ତି > ରିପୋର୍ଟ- ହରିହର ରଣା, ସ୍ୱତନ୍ତ୍ର ପ୍ରତିନିଧି, ଚିଲିକା

Leave a Reply

Your email address will not be published. Required fields are marked *