Editorial

ପ୍ରତିଶୃତି

ମନୋରଞ୍ଜନ ପଟ୍ଟନାୟକ / www.suvbharattimes.in/ ମୁଁ କଳ୍ପନା କରେ, ତୁମ ସହ ସମ୍ପର୍କର ଖିଅ ଏତେ ମଜବୁତ୍ ହେଉ ଯାହା ଈଶ୍ୱରଙ୍କ ଇଚ୍ଛା ବିନା କେବେ ଅନ୍ୟ କାହାର ଚେଷ୍ଟାରେ ଛିଣ୍ଡିନଯାଉ। ଖୁସି ଟିକେ ପାଇଁ ତୁମେ ଏତେ ଦିନ ଧରି ମୋତେ ଟଲରେଟ୍ କରି ଆସିଛ। ସେଥିପାଇଁ ପରୀକ୍ଷା ପରେ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡୁଛି ତୁମକୁ। ତୁମ ଆଗରେ ତୁମ ପରିବାର ଓ ମୁଁ। ଏଇ ଦୁଇଟି ସମସ୍ୟାରୁ ଗୋଟିଏ ଚିରାଚରିତ; ଯେଉଁଥିରେ ସୁଖ ଦୁଃଖ, ଆଶା, ସ୍ୱପ୍ନ ଆଉ ଭବିଷ୍ୟତ ଜଡିତ। ଅନ୍ୟ ସମସ୍ୟାଟି ମୁଁ। ଅନିଚ୍ଛା ସତ୍ୱେ ତୁମକୁ ଜଣାଇବାକୁ ପଡୁଛି, ତୁମ ପାଇଁ ମୋ’ ଭଳି ଜଣେ ବନ୍ଧୁର ଆବଶ୍ୟକତା ନାହିଁ। ମୋ’ ହରକତ୍ ତୁମ ଜୀନା ହାରାମ୍ କରି ଚାଲିଛି। 

ତୁମକୁ ନଦେଖି, ତୁମ ସହ ନମିଶି ମୋର ଯେଉଁଭଳି ମନସ୍ତାପ ହେଉଛି ତାହା ଠାରୁ ବଳିଯାଇଛି ତୁମ ସମସ୍ୟା। ଆରମ୍ଭରୁ ଆମେ ସବୁ ଜାଣିଥିଲେ। ମୁଁ ତୁମକୁ ପ୍ରପୋଜ୍ କରିଥିଲି। ତୁମେ ଆଜି ସୁଦ୍ଧା କୌଣସି ରିପ୍ଳାଏ କରିନ। କିନ୍ତୁ ମୁଁ କଣ ଅନୁଭବ କଲି କେଜାଣି, ମୋତେ ଲାଗିଲା ତୁମେ ମୋତେ ଗ୍ରୀନ୍ ସିଗନାଲ୍ ଦେଇଛ, ମୋ’ ଚଲାପଥକୁ ଆଲୋକିତ କରିଛ। ମୁଁ ଚାଲିବା ଆରମ୍ଭ କରିଥିଲି, ଲକ୍ଷସ୍ଥଳରେ ପହଂଚିବା ପାଇଁ ବେଗ ବଢାଇ ଦେଇଥିଲି।

ବାସ୍, ଏହିଠାରୁ ସମସ୍ୟାର ଆରମ୍ଭ। କିଛି ରାସ୍ତା ଅତିକ୍ରମ କରିବା ପରେ ତୁମକୁ ପଚାରିଛି, ‘ଘରେ କିଛି ପ୍ରୋବଲେମ୍ ହେଉନି ତ’, ତୁମେ କୁହ ‘ଏବେ ତ ହେଇନି, ଆଗକୁ ହେବ’। ମୋଟାମୋଟି ଆମେ ଜାଣିଛେ ପ୍ରୋବଲେମସ୍ ଆସିବ। ଏଇଟା ସ୍ୱାଭାବିକ। ଏଭଳି ବିଭିନ୍ନ ସମୟରେ ଅନେକ ମୋଡ ଦେଇ ଏକାଧିକ ହମ୍ପସ୍ ପାର କରି ମୁଁ ଚାଲିବା ଜାରି ରଖିଥିବା ସହ ତୁମ ପ୍ରତିଶୃତି ମୋ’ ମନରେ ସ୍ୱପ୍ନ ଭରି ଦେଇଥିଲା। ମନକୁ ଆସୁଥିବା ଅନେକ ଉନ୍ମାଦନାର କୌଣସି ସ୍ୱର ନଥିଲା କିମ୍ବା ଶବ୍ଦ ବି ନଥିଲା, ବରଂ ଥିଲା ତୁମକୁ ନିକଟରୁ ଦେଖିବାର ଦୁର୍ବାର ଇଚ୍ଛା।

ସମୟର କାଳଚକ୍ରରୁ ପାର ହେବା ଏତେ ସହଜ ନୁହେଁ, ଏସବୁ ସ୍ପଷ୍ଟ ଭାବେ ମୋର ଅନୁଭବ ହେଇଛି। ମୁଁ ଏଥିପାଇଁ କେବେ ତୁମ ଉପରେ ଦୋଷ ଲଦି ଦେବିନି। ତୁମର କିଛି ଭୂଲ୍ ନାହିଁ। ସବୁକଥା ଲୁଚିଯିବ। କିନ୍ତୁ ମନର ପରିଭାଷାକୁ ଓପାଡି ଫୋପାଡି ଦେବା ଏତେ ସହଜ ନୁହେଁ। ତୁମେ ଆଉ ମୁଁ ସବୁ ଘଟଣା ଜାଣିପାରୁଛେ। ଖୁବ୍ ଚେଷ୍ଟା ବି କରୁଛେ ସବୁକିଛି ଆୟତ କରିବା ପାଇଁ। ଜୀବନ ଜୀବୀକାର ଗତାନୁଗତିକ ପଦ୍ଧତି ଯେଉଁ ନୂଆ ପରିଚୟର ଅନୁସନ୍ଧାନ ପାଇଛି, ତାହା ଆମ ଭଳି ପରିପକ୍ୱମାନଙ୍କ ମନକୁ ନିଶ୍ଚୟ ଶାନ୍ୱନା ଦେଉଛି। ଆଜିଠାରୁ ଯେତେ ବାଧାବିଘ୍ନ ଆସୁନା କାହିଁକି ମୁଁ ପଥଭ୍ରଷ୍ଟ ହେବିନି। ତୁମେ ସ୍ୱପ୍ନ ଦେଖିଛ, ମୋତେ ନିରବରେ ସମ୍ମତି ଦେଇଛି ତୁମ ହୃଦୟ, ତୁମେ ଅସ୍ୱୀକାର କରି ଭଲପାଇବାର ଶ୍ରେଷ୍ଠତ୍ୱକୁ ଅସମ୍ନାନ କରିବନି ବୋଲି ମୁଁ ଆଶା ରଖିବି। ମୋ’ ଭିତରେ ତୁମ ପ୍ରତି ବହୁ ସମ୍ନାନ ରହିଛି। ତୁମର ସମ୍ନାନ ହାନୀ ହେବା ଭଳି ଘଟଣାର ସୂତ୍ରପାତ ମାତ୍ରେ ମୋର ବଂଚି ରହିବାର କୌଣସି ଆବଶ୍ୟକତା ମୁଁ ମନେ କରିବିନି।

ତୁମକୁ ଅନୁରୋଧ କରୁଛି,  ତୁମେ ନିଶ୍ଚିନ୍ତ ରୁହ। ତମେ ଏଣିକି ଆଉ କେବେ ବି କୌଣସି ପରିସ୍ଥିତିରେ ମନରେ ଭୟ ଆଶଙ୍କା ରଖିବନି। ମୁଁ ବଂଚିଥିବା ଯାଏଁ ତୁମର କୌଣସି କ୍ଷତି ହେବାକୁ ଦେବିନି। ତୁମ ସମସ୍ୟାର କାରଣଟି ‘ମୁଁ’ ବୋଲି ଏହି ଫର୍ଦ୍ଦକୁ ସାକ୍ଷୀରଖି ମୁଁ ସ୍ୱୀକାର କରୁଛି, ଏଥିପାଇଁ ଆଉ କେବେ ତୁମେ ତମ ନିଜକୁ ମୋ’ ଆଗରେ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବା ଆବଶ୍ୟକ ନାହିଁ। ତୁମର ଅନେକ ଦାୟିତ୍ୱ ମୋ’ ଉପରେ ନ୍ୟସ୍ତ ହୋଇଛି। ମୁଁ ଅନେକ ଥର ଏକଥା କହି ଆସିଛି, ମୁଁ ତୁମ ଠାରୁ କିଛି ଆଶା ରଖିନି। ଆଜି ବି ଆଉ ଥରେ ଦୋହରାଉଛି, ମୋର ସାମାନ୍ୟ ଥ୍ୟାଙ୍କ ୟୁ’ ଶୁଣିବା ବି ଦରକାର ନାହିଁ। କିନ୍ତୁ ଦରକାର ଅଛି ତୁମ ଭଲପାଇବା। ସେଥିପାଇଁ ମୁଁ ତୁମ ହସଖୁସିର ସଂସାର କେବେ ଧ୍ୱଂସ ହେବାକୁ ଦେବିନି କିମ୍ବା ନିଜକୁ ଜାଳିପୋଡି ପାଉଁଶ କରିଦେବିନି। ଆମେ ମିତ୍ରତାର ସମ୍ପର୍କ ଯୋଡିଥିଲେ। ଆଗକୁ ଯେମିତି ବି ପରିସ୍ଥିତି ଆସୁନା କାହିଁକି ମୁଁ ଅପେକ୍ଷା କରିବି।

ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି, ପ୍ରଭୂ ମୋ’ର ଏତିକି ନିବେଦନ ରଖନ୍ତୁ; ମୋ’ ମୃତ୍ୟୁ ପରେ ମୁଁ ମୋ’ ପାଇଁ କୀଟ, ପତଙ୍ଗ, ପଶୁ, ପକ୍ଷୀ. ଦେବ, ଦାନବ କିମ୍ବା ବାରମ୍ବାର ମନୁଷ୍ୟ ଜନ୍ମ ପାଇବା ପାଇଁ କେବେ ଅଭିଳାଷ ରଖିନି। ବରଂ ମୋତେ ନିର୍ଜିବ କରିଦିଅନ୍ତୁ, ଶରଧାବାଲିର ବିନ୍ଦୁଏ ଧୂଳି କଣିକାଟିଏ କରି ଗରୁଡ ସ୍ତମ୍ଭ ତଳେ ସ୍ଥାନ ଦିଅନ୍ତୁ, ଯେଉଁଠି ଦିନେ ମୋ’ ପ୍ରିୟା ମୋ’ ଉପରେ ପାଦ ରଖି ଆପଣଙ୍କୁ ପ୍ରାର୍ଥନା କରିବେ। ମୋତେ ପିତଳ କଣିକାଟିଏ କରି ଆପଣଙ୍କ ସମ୍ମୁଖରେ ଝୁଲୁଥିବା ଘଂଟିରେ ସ୍ଥାନ ଦିଅନ୍ତୁ, ମୋର ବିଶ୍ୱାସ ଅଛି ଦିନେ ଆପଣଙ୍କ ଦର୍ଶନ ଲାଗି ଆସିବା ବେଳେ ସେ ପ୍ରଥମେ ମୋତେ ଛୁଇଁବେ। ମୁଁ ଏକଥା ବି ଜାଣିଛି ଆପଣ ଗଢିଥିବା ସଂସାର ଆମକୁ ତା’ର ପରିସରରେ କେବେ ସ୍ଥାନ ଦେବନି। ଯାହା କେବଳ କବି ଓ ଲେଖକର କଲମ ମୁନରେ ସିମୀତ।

ଭଲ ପାଇବାକୁ ସମାଜ କେବେ ସହ୍ୟ କରିନି। ତେଣୁ ମନରେ ପ୍ରଶ୍ନ ଆସେ ଆପଣ ଭଲ ପାଇବାର ଭାବନାକୁ ହୃତପିଣ୍ଡରେ ଯୋଡନ୍ତି କାହିଁକି ? ବଂଚିରହି ବାରମ୍ବାର ମରିବାର ଅନୁଭବ ପାଇଁ ନା ରାଧାଙ୍କ ପ୍ରତି ଆପଣଙ୍କ ମନରେ ଥିବା ପ୍ରେମ ଭାବନାକୁ ଚରିତାର୍ଥ କରିବା ପାଇଁ ! ପ୍ରେମର ସଜ୍ଞା, ପ୍ରେମର ପରିଣତି ଯଦି ଏତେ ଭୟାବହ, ଆପଣ ଏହାର ପରୀକ୍ଷା ପାଇଁ ଆମ ଭଳି କ୍ଷଣଭଙ୍ଗୁରଙ୍କ ଛୋଟ ଛୋଟ ହୃଦୟକୁ ବାଛନ୍ତି କାହିଁକି ?

ପ୍ରବାଦ ଅଛି ୧୬ ସହସ୍ର ଗୋପାଙ୍ଗନାଙ୍କୁ ଆପଣ ହୃଦୟରେ ବାନ୍ଧି ରଖିଥିଲେ। ଆପଣଙ୍କୁ ତ ଏଥିପାଇଁ କେହି କେବେ ଚରିତ୍ରହୀନ ବୋଲି ଆକ୍ଷା ଦେଇନହାଁନ୍ତି। ଆପଣ ମାଇଁ ରାଧାଙ୍କୁ ପ୍ରେମ କରି ମାମୁଁଙ୍କୁ ଶିଶୁପାଳ ସଜାଇ ଦେଇଥିଲେ। ଏଥିଲାଗି ଦ୍ୱାପର ଯୁଗରେ କିମ୍ବା ଏହି କଳି ଯୁଗରେ କୌଣସି କେହି ହେଲେ ଆପଣଙ୍କୁ ଲମ୍ପଟ ବୋଲି କହିନାହାଁନ୍ତି। ପରୋକ୍ଷରେ କୃଷ୍ଣଙ୍କ ପ୍ରେମରେ ଛନ୍ଦି ହୋଇ ନିଜ ନିଜକୁ ସମସ୍ତେ ସୌଭାଗ୍ୟଶାଳୀ ମନେକରୁଛନ୍ତି। ଆପଣଙ୍କର ଏ’ କି ମାୟା ପ୍ରଭୂ। ଆପଣ ଯଦି ପ୍ରତ୍ୟେକ ହୃଦୟରେ ଆସ୍ଥାନ ବିଛାଇଛନ୍ତି ତେବେ ମୋ’ତେ କାହିଁକି ଅବହେଳା କରୁଛନ୍ତି ? ଆପଣ ସମସ୍ତଙ୍କ ମନକୁ ପଢି ପାରନ୍ତି। ଆପଣଙ୍କୁ କ’ଣ ଆମ ଘଟଣାର ଉପଲବଧି ହୁଏନି !

ମୁଁ ତ କେବେ ମୋ’ ପ୍ରିୟାର ଚେହେରାକୁ ନେଇ ରଙ୍ଗୀନ୍ ସ୍ୱପ୍ନ ଦେଖିନି କିମ୍ବା କେବେ ଅନୁଭବ କରିନି ସେ ତାଙ୍କ ମନରେ ମୋ’ ପ୍ରତି କିଛି ଦୁର୍ବଳତା ରଖିଛନ୍ତି ବୋଲି। ମୋ’ ଅନୁଭବ କହୁଛି ସେ ତୁଳସୀ ଭଳି ପବିତ୍ର। ମୁଁ କେବେ ବି ତାଙ୍କ ରାସ୍ତାରେ କଂଟା ହୋଇ ଠିଆ ହେବିନି କିମ୍ବା ତାଙ୍କୁ ଭୂଲି ପାରିବିନି। ବରଂ ତାଙ୍କୁ ଜଣାଇ ଦେବାକୁ ଚାହିଁବି, ମୁଁ ରୋଡ୍ ରୋମିଓ ନୁହେଁ ଲୁଚି ଛପି ତୁମକୁ ଲାଇନ୍ ମାରିବି, ତୁମକୁ ଦେଖିବା ପାଇଁ ତୁମ ରାସ୍ତାରେ ଛକି ବସିବି କିମ୍ବା କାହାର ସାହାଯ୍ୟ ନେବି। ଆଇ ହେଟ୍ ଦିଜ୍ ଆଟିଟ୍ୟୁଡ୍।

ମୁଁ ଆଦୌ ସେମିତି ନୁହେଁ। ମୁଁ ମୋ ମନକୁ ଶୁଣେ, ତାର ଉଦ୍ଦେଶ୍ୟକୁ ବୁଝିବାକୁ ଚେଷ୍ଟା କରେ, କିନ୍ତୁ ଆୟତ ଠାରୁ ଅଧିକ ଦୂର ଯିବାକୁ ଦିଏନି। ତୁମେ ଭାଙ୍ଗି ପଡନି। ମୁଁ ତୁମକୁ ଭଲଭାବରେ ବୁଝିପାରିଛି। ତୁମେ ପରିସ୍ଥିତିକୁ ସାମ୍ନା କରିବା ପାଇଁ ମୋତେ ଟିପ୍ସ ଦେଇଛ, ମୁଁ ରିକଲ୍ କରେ। ତୁମକୁ ସବୁବେଳେ ମନେ ପକାଏ। ବେଳେ ବେଳେ ବଡ ବିଚିତ୍ର ଲାଗେନି କି, ତୁମେ ଆଉ ମୁଁ ପରସ୍ପର ଠାରୁ କେତେ ନିକଟରେ ଓ କେତେ ଦୂରରେ।

ବିନା କୌଣସି ମତଲବରେ ଆମ ଭିତରେ ଗଢି ଉଠିଛି ନିବିଡ ସମ୍ପର୍କ। ଏଇ ସମ୍ପର୍କ ଦିନେ ଅନ୍ଧକାର ଦୂରକରିବ। ପ୍ରେମ ଯେ କେତେ ପବିତ୍ର ତାହା ଆଉ ଥରେ ପ୍ରମାଣିତ ହେବ। ମୁଁ ସବୁବେଳେ ଅପେକ୍ଷା କରିଛି ସେହି ସୁନ୍ଦର ମୁହୂର୍ତଟିକୁ, ଯେଉଁଦିନ ତୁମ ନିମନ୍ତ୍ରଣରେ ତୁମକୁ ଦେଖା କରିବାକୁ ପହଂଚିବି। ଏନେଇ ମନରେ ବ୍ୟାକୁଳତା ସତ୍ୱେ ମୁଁ ଆଦୌ ଅଧର୍ଯ୍ୟ ହେଉନି। କାରଣ କୌଣସି ପରିସ୍ଥିତିରେ ମୁଁ ତୁମକୁ ହରାଇବାର ଦୁର୍ଗମ ରାସ୍ତା ନିର୍ମାଣ କରିବିନି। ତୁମର ବିଶ୍ୱାସ କେବେ ଠୋକ୍କର୍ ଖାଇବନି । ସାରା ଜୀବନ ପାଇଁ ଏଇ ମୋ’ର ଅନ୍ତିମ ପ୍ରତିଶୃତି -ସମ୍ପାଦକ, ଶୁଭ୍ ଭାରତ  ଟାଇମ୍ସ FollowUs: twitter.com/@Suvbharat_Times

2 Replies to “ପ୍ରତିଶୃତି

  1. Good day! This is kind of off topic but I need some help from an established blog. Is it very difficult to set up your own blog? I can figure things out pretty fast. I’m thinking about setting up my own but I’m not sure where to begin. Do you have any tips or suggestions? Appreciate it

  2. I like what you guys are up also. Such smart work and reporting! Carry on the superb works guys I?¦ve incorporated you guys into my blogroll. I think it will improve the value of my site.

Leave a Reply

Your email address will not be published. Required fields are marked *