Editorial

ମାଫିଆ କବ୍ଜାରେ ଚିଲିକା ଉପକୂଳ

ଇକୋ ଟୁରିଜିମ୍ ଯୋଜନା ବିଫଳ, ୨ଶହ ବର୍ଗ କି.ମି ଉପକୂଳରେ ନଳଘାସ ଜଙ୍ଗଲ, ଗରିବ ଗ୍ରାମବାସୀଙ୍କ ସମସ୍ୟାକୁ ପର୍ଯ୍ୟଟକଙ୍କ ଦୃଷ୍ଟିକୁ ନଆଣିବାକୁ ରାଜ୍ୟ ସରକାରର ଷଡଯନ୍ତ୍ର

Maoranjan Patnaik | 21 July, 2021 | www.suvbharattimes.in ଚିଲିକା ହ୍ରଦ ଉପକୂଳରୁ ନଳଘାସ ମୁଳୋତ୍ପାଟନ ଯୋଜନା କେବଳ ପ୍ରହସନ। ୯୯ ସୁପର ସାଇକ୍ଲୋନ ପରେ ଚିଲିକା ଉତ୍ତର-ପୂର୍ବ ଉପକୂଳରେ ପତଳା ବାଉଁଶ ଭଳି ଯେଉଁ ଉଦ୍ଭିଦ ଦେଖିବାକୁ ମିଳିଥିଲା, ଏହି ୨୧ ବର୍ଷ ମଧ୍ୟରେ ତାହା ପୁରୀ ଜିଲ୍ଲା ବୋରବକୁଦୀ ଠାରୁ ଖୋର୍ଦ୍ଧା ଜିଲ୍ଲା କୁମାଣ୍ଡଳପାଟଣା ଉପକୂଳ ଯାଏଁ ଦୀର୍ଘ ୨ଶହ ବର୍ଗ କି.ମି ଉପକୂଳରେ କାୟା ବିସ୍ତାର କରିଛି। ଇକୋ ଟୁରିଜିମ୍ ଆଳ ଦେଖାଇ ବିଦେଶୀ ଅର୍ଥ ଲୁଟିବାକୁ ଉର୍ବର ମସ୍ତିସ୍କ ପ୍ରୟୋଗ କରାଯାଇଛି ଏବଂ ଏହି ଷଡଯନ୍ତ୍ରକୁ ସଫଳ କରିଛି ଚିଲିକା ଉନ୍ନୟନ କର୍ତୃପକ୍ଷ(ସି.ଡି.ଏ)।

ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଚାହୁଁଛି ଉପକୂଳର ଗରିବ ଗାଁଗଣ୍ଡା ସ୍ଥିତି ଉପରେ ପର୍ଯ୍ୟଟକଙ୍କ ଦୃଷ୍ଟି ନପଡୁ। ଏଥିପାଇଁ ନଳଘାସ ଜଙ୍ଗଲକୁ ପ୍ରୋତ୍ସାହିତ କରୁଛନ୍ତି ସରକାର। ରାଜ୍ୟ ସରକାରର ଏହି ଷଡଯନ୍ତ୍ରରେ ପେଷି ହେଉଛନ୍ତି ଅବବାହିକାର ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ଓ ଅଣ-ମତ୍ସ୍ୟଜୀବୀ। ପୂରୁଷାନୁକ୍ରମେ ଯେଉଁମାନେ ଖେପାଜାଲ, ପୋଳୁହ, ବନିସୀ ମାଧ୍ୟମରେ ଚିଲିକା କୂଳରୁ ମାଛ, ଚିଙ୍ଗୁଡ଼ି, କଙ୍କଡା ଧରି ଦୈନ୍ୟନ୍ଦିନ ଜୀବିକା ନିର୍ବାହ କରୁଥିଲେ, ସେମାନେ ନଳଘାସ ଯୋଗୁ ଉପକୂଳରୁ ଉତ୍ପାଦ ନପାଇ ତଳିତଳାନ୍ତ ହୋଇଗଲେଣି। ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ କୌଳିକ ବୃତ୍ତି ହରାଇ ଦାଦନ ଖଟୁଛନ୍ତି।

ଚିଲିକା ଉପକୂଳର ସୌନ୍ଦର୍ଯ୍ୟ ନଷ୍ଟ କରୁଛି ନଳଘାସ। ଏଥିପାଇଁ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ସି.ଡି.ଏ ରିପୋର୍ଟ ମୁତାବକ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସମାଗମ ଦେଖିବାକୁ ବିଦେଶୀ ପର୍ଯ୍ୟଟକ ଚିଲିକା ଭ୍ରମଣକୁ ଅଗ୍ରାଧିକାର ଦିଅନ୍ତି। କିନ୍ତୁ ସି.ଡି.ଏ କର୍ତ୍ତୃପକ୍ଷ ଚିଲିକାର ମୁଖ୍ୟ ପ୍ରସଙ୍ଗକୁ ଏଡାଇ ଦେଇ ପ୍ରତିବର୍ଷ ମିଥ୍ୟା ପକ୍ଷୀ ଗଣନା ରିପୋର୍ଟ ମାଧ୍ୟମରେ ବିଶ୍ୱର ପରିବେଶବିତଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି। ପରୋକ୍ଷରେ କେତେକ ଚକ୍ରାନ୍ତକାରୀ ଗୋଷ୍ଠୀ ନିଜ ଚେଷ୍ଟାରେ ଉପକୂଳରୁ ନଳଘାସ କାଟି ଜଳଜମି ଅକ୍ତିଆର କରିବାରେ ଲାଗିଛନ୍ତି।

ରାଜ୍ୟ ସରକାର ଚିଲିକା ଉପକୂଳ ସୁରକ୍ଷା ଏବଂ ଚିଲିକାର ସୌନ୍ଦର୍ଯ୍ୟ ବୃଦ୍ଧି ଆଡକୁ ଆଦୌ ଦୃଷ୍ଟି ଦେଉନଥିବା ପ୍ରମାଣିତ ହୋଇଛି। ଚିଲିକା ଦିନେ ଅବବାହିକାର ମତ୍ସ୍ୟଜୀବୀ ଓ ଅଣ-ମତ୍ସ୍ୟଜୀବୀଙ୍କ ପାଇଁ ଭାଗ୍ୟଦେବୀ ସାଜିଥିଲା। କିନ୍ତୁ, ୨ଶହ ବର୍ଗ କି.ମି ଉପକୂଳରେ ନଳଘାସ ଜଙ୍ଗଲ ସେମାନଙ୍କହାତରୁ ରୋଜଗାର ଛଡାଇ ନେଇଛି। ବୁଦ୍ଧିଜୀବୀଙ୍କ ମତ ସିଡିଏ, ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଅଜିତ୍ ପଟ୍ଟନାୟକ, ଯିଏ ପେଡ୍ ନିୟୁଜ ମାଧ୍ୟମରେ ନିଜର ବୀରତ୍ୱ ପ୍ରଦର୍ଶନ କରନ୍ତି ଆଜି ସ୍ପଷ୍ଟ କରିବା ଉଚିତ ଚିଲିକାର ଉତ୍ତର-ପୂର୍ବ ଉପକୂଳ ସ୍ଥିତିରେ କେତେଦୂର ଉନ୍ନତି ଘଟିଛି! (email:suvbharattimes@gmail.com / linkedin.com/in/editor.suvbharattimes)

Leave a Reply

Your email address will not be published. Required fields are marked *