National

ଓଡିଶାର ଅର୍ଥନୀତି ସମୃଦ୍ଧ ହେବ- ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ, ୨୭/୨- ଝାରସୁଗୁଡା ଏୟାରପୋର୍ଟ ଓଡିଶାର ନୂଆ ଅର୍ଥନୀତିକୁ ସମୃଦ୍ଧ କରିବ। ଏହି ଏୟାରପୋର୍ଟ ସହ ଏଣିକି ଦେଶର ନୂଆ ନୂଆ ଉଦ୍ୟୋଗ ଯୋଡି ହେବେ। ଆଜି ପଶ୍ଚିମ ଓଡିଶା ପାଇଁ ବଡ ଭାବନାତ୍ମକ ଦିନ, ଏହି ବ୍ୟବସ୍ଥା ବିଶେଷ କରି ପଶ୍ଚିମ ଓଡିଶାକୁ ସୁବିଧା ଯୋଗାଇବ। ନୂଆଦିଲ୍ଲୀରେ ସ୍ପାଇଶଜେଟ୍ ବିମାନ ଟିକେଟ ବିକ୍ରି ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏହି ବାର୍ତ୍ତା ଦେଇଛନ୍ତି। ସେ ଆହୁରି କହିଛନ୍ତି କି ଖୁବଶୀଘ୍ର ମୁମ୍ବାଇ, ଭୁବନେଶ୍ୱର ଓ ରାୟପୁରକୁ ବିମାନସେବା ଯୋଡ଼ିବାର ପ୍ରକ୍ରିୟା ଆରମ୍ଭ ହୋଇଛି।

୨୨ ସେପ୍ଟେମ୍ବର, ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡା ଏୟାରପୋର୍ଟର ନାମ ବୀର ସୁରେନ୍ଦ୍ର ସାଏ ନାମରେ ନାମିତ କରି ଏହାକୁ ଲୋକାର୍ପିତ କରିଥିଲେ। ଆଗାମୀ ଦିନରେ ଝାରସୁଗୁଡା ବିମାନବନ୍ଦରରୁ ମୁମ୍ବାଇ, ଭୁବନେଶ୍ୱର ଓ ରାୟପୁରକୁ ବିମାନ ଯାତ୍ରା ସମ୍ଭବ ହେବ। ସଂପ୍ରତି ଉଡାନ- ୩ ଯୋଜନାରେ ସ୍ପାଇଶ ଜେଟ୍ ତରଫରୁ ଟିକେଟ ବିକ୍ରି ଶୁଭାରମ୍ଭ କରାଗଲା। ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରୁ ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦ ଯାତ୍ରା ଲାଗି ଆଗ୍ରହୀ ଯାତ୍ରୀ ଆଜି ଠାରୁ ଟିକେଟ୍ କିଣିବା ଆରମ୍ଭ କରିଛନ୍ତି। ଆସନ୍ତା ମାର୍ଚ୍ଚ ୩୧ରୁ ସ୍ପାଇଶଜେଟ୍ ବିମାନ ଝାରସୁଗୁଡା ବିମାନବନ୍ଦରରୁ ଉଡାଣ ଭରିବ। ଏଥିପାଇଁ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ କୃତଜ୍ଞତା ଜଣାଇଛନ୍ତି। କଥା ପ୍ରସଂଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ବାୟୁସେନାର ସଫଳତାକୁ ବାରମ୍ବାର ଦୋହରାଇଛନ୍ତି। ଆଜି ବାୟୁସେନାର ବିର ଯୋଦ୍ଧାଙ୍କ ଲାଗି ଦେଶବାସୀ ଗର୍ବିତ। ଭାରତୀୟ ବାୟୁସେନା ଦେଶବାସୀଙ୍କ ସମ୍ମାନ ଓ ମର୍ଯ୍ୟାଦା ବଢାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ନୂଆଦିଲ୍ଲୀ ଠାରେ ଝାରସୁଗୁଡା ବିମାନବନ୍ଦରରୁ ସ୍ପାଇଶଜେଟ୍ ଟିକେଟ୍ ବିକ୍ରିର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ପାଇଶ ଜେଟ୍ ଝାରସୁଗୁଡା- ଦିଲ୍ଲୀ- ଝାରସୁଗୁଡା, ଝାରସୁଗୁଡା- ହାଇଦ୍ରାବାଦ- ଝାରସୁଗୁଡା, ଝାରସୁଗୁଡା- କୋଲକାତା- ଝାରସୁଗୁଡା ୬ ଟି ଗନ୍ତବ୍ୟ ସ୍ଥାନକୁ ଯୋଡିବ। ପ୍ରତିଦିନ ବିମାନ ଦିନ ୧.୧୫ରେ ଦିଲ୍ଲୀରୁ ବାହାରି ୩.୧୦ ରେ ଝାରସୁଗୁଡାରେ ପହଁଚିବ। ସେହିପରି ଝାରସୁଗୁଡାରୁ ଅପରାହ୍ଣ ୩.୪୦ରେ ବିମାନ ବାହାରି ୫.୩୫ରେ ଦିଲ୍ଲୀରେ ପହଁଚିବ। ଅପରପକ୍ଷେ ବିମାନଟି ୪.୧୦ରେ ଝାରସୁଗୁଡାରୁ ବାହରି ହାଇଦ୍ରାବାଦରେ ସନ୍ଧ୍ୟା ୬.୦୦ରେ ପହଁଚିବ ଏବଂ ହାଇଦ୍ରାବାଦରୁ ସାଢେ ୬ଟାରୁ ଉଡାଣ କରି ଝାସରୁଗୁଡାରେ ରାତି ୮.୨୦ ସୁଦ୍ଧା ପହଁଚିଯିବ। କୋଲକାତାରୁ ଅପରାହ୍ଣ ୨.୨୫ ରୁ ଉଡାଣ କରିବା ପରେ ୩.୫୦ ଝାରସୁଗୁଡା ପହଁଚିପାରିବ ଏବଂ ଝାରସୁଗୁଡାରୁ ରାତି ୮.୪୦ରେ ବାହାରି କଲିକତାରେ ରାତି ୧୦ଟାରେ ପହଁଚିବ। ଯାତ୍ରୀମାନଙ୍କ ପାଇଁ ଏହି ବ୍ୟବସ୍ଥା ଅନେକ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହାସହିତ କେନ୍ଦ୍ର ସରକାର ଭୁବନେଶ୍ୱରରେ ୯୦୦ କୋଟି ଟଙ୍କା ଖର୍ଚ୍ଚ କରି ନୂଆ ଟର୍ମିନାଲ ମଧ୍ୟ ନିର୍ମାଣ କରୁଛନ୍ତି ବୋଲି ସେ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *