International

ଭାଇରାଲ୍ ହେଉଛି ଇମରାନଙ୍କୁ ଗୁଳିମାଡ

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ସୋସିଆଲ୍ ମିଡିଆରେ ହଲଚଲ୍ ସୃଷ୍ଟି କରିଥିବା ଭାଇରାଲ୍ ଖବର ଆପଣଙ୍କୁ ହୁଏତ ବିଚଳିତ କରିପାରେ। କିନ୍ତୁ ଘଟଣାର ସତ୍ୟତା ଜାଣିବା ଜରୁରୀ। ଖବର ଉପରୁ ପର୍ଦ୍ଦା ହଟାଇ ସତ୍ୟ ଘଟଣା ଆପଣଙ୍କ ସାମ୍ନାକୁ ଆଣିବୁ। ହେଲେ ଏକ ଭାଇରାଲ୍ ଖବରକୁ ବିନା କୌଣସି ପ୍ରମାଣରେ ତାହା ସତ୍ୟ ଘଟଣା ବୋଲି କେହି ଗ୍ରହଣ କରିବେନି। ଏଭଳି ଖବର ଜଣାଇବାକୁ ଯାଉଛୁ ଯାହା ସୋସିଆଲ୍ ମିଡିଆରେ ଦାବି କରାଯାଉଛି ଓ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ପାକିସ୍ତାନ ଟିମ୍’ର ପୂର୍ବ କପ୍ତାନ ବା ପିଟିଆଇ ମୁଖିଆ ଥିବା ଇମ୍ରାନ ଖାନଙ୍କୁ ଗୁଳି ଲାଗିଛି। ସେ ଗୁରୁତର ଘାୟଲ ଅବସ୍ଥାରେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋସିଆଲ୍ ମିଡିଆରେ ସେହି ଘଟଣାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। କିନ୍ତୁ ଭିଡିଓର ତର୍ଜମା ପରେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଆପଣଙ୍କ ମନରେ ନିଶ୍ଚୟ ଆଶ୍ୱସ୍ତି ଆଣିବ। 

ଭିଡିଓ ଆରମ୍ଭରୁ କିଛି ଲୋକ ଦୌଡୁଥିବାର ଦେଖିବାକୁ ମିଳୁଛି। ଦୌଡୁଥିବା ସୁରକ୍ଷା ବାହିନୀ ଓ ଲୋକଙ୍କୁ ଦେଖି ଲାଗୁଛି ଯେମିତିକି ସେମାନେ କେଉଁଆଡେ ଯିବାପାଇଁ ଦୌଡୁଛନ୍ତି। ୨୨ ସେକେଣ୍ଡର ଏହି ଭିଡିଓର ଦାବି ମୁତାବକ ପାକିସ୍ତାନ ତେହେରିକ୍-ଇ-ଇନସାଫ୍ ପ୍ରମୁଖ ଇମରାନ ଖାନ୍, ଯାହାଙ୍କୁ ଲୋକମାନେ ହାତରେ ଟେକି ଆଗକୁ ନେଇଯାଉଛନ୍ତି। ଇମରାନଙ୍କ ମୁଣ୍ଡରେ ଆଘାତ ଲାଗିଛି, ରକ୍ତ ବାହାରୁଛି। ଘାୟଲ ଇମରାନଙ୍କୁ ସାଧା ବେଶଭୂଷାରେ ଦେଖୁଥିବା ଲୋକ ଓ ସୁରକ୍ଷା କର୍ମୀମାନେ ସହାୟତା କରୁଛନ୍ତି। ଇମରାନଙ୍କୁ ଗୋଟିଏ ଗାଡିରେ ବସାଇ ଦିଆଯାଉଛି ଏବଂ ଭିଡଓ ଏହିଠାରେ ଶେଷ ହୋଇଯାଉଛି। ଦାବି କରାଯାଉଛି କି ଏହି ଭିଡିଓ ଇମରାନଙ୍କୁ ଗୁଳି ଲାଗିବା ପରବର୍ତ୍ତୀ ଘଟଣା। ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଲୋକ ଲେଖୁଛନ୍ତି, “ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କୁ ଗୁଳିମାଡ ଏବେ ଏବେ।”

ଭିଡିଓ ଆସିଗଲାତ ଖବର ବ୍ୟାପିଗଲା। ହେଲେ ଗୁଳି କେବେ ମାଡହେଲା, କେଉଁଠି ଲାଗିଛି, କିଏ ମାରିଛି ? ଏମିତି କୌଣସି ସୂଚନା ଦିଆଯାଇନାହିଁ। ଭିଡିଓ ଉପରେ ବିଶ୍ୱାସ ନଆସିବାରୁ ଅନୁସନ୍ଧାନ କରାଗଲା। ଜଣାପଡିଲା ଯେ, ଯେଉଁ ଭିଡିଓକୁ ତତ୍କାଳ ଖବର ଭାବେ ପ୍ରସାରିତ କରାଯାଉଛି, ପ୍ରକୃତରେ ସେହି ଭିଡିଓ ୫ ବର୍ଷ ତଳର।

୫ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୩ ମେ ମାସ ୧୩ ତାରିଖରେ ଇମରାନ ଏଭଳି ଆହତ ହୋଇଥିଲେ। ଲାହୋରରେ ନିର୍ବାଚନ ପ୍ରଚାର ଲାଗି ପହଁଚିଥିଲେ ଇମରାନ। ମଞ୍ଚର ଉଚ୍ଚତା ଥିଲା ପ୍ରାୟ ୧୫/୨୦ ଫୁଟ। ମଞ୍ଚରେ ଚଢିବା ପାଇଁ ସିଡି ଲାଗିଥିଲା। ଇମରାନ ମଞ୍ଚ ଉପରେ ଚଢିବା ପରେ ଅସନ୍ତୁଳନ ଅବସ୍ଥାରେ ମଞ୍ଚ ଭୁଷୁଡି ପଡିଥିଲା। ଯେଉଁଥିରେ ଇମରାନ ଓ ତାଙ୍କ ସୁରକ୍ଷା କର୍ମୀ ଆହତ ହୋଇଥିଲେ। ଇମରାନଙ୍କ ମୁଣ୍ଡରେ ଆଘାତ ଲାଗିବା ଦ୍ୱାରା ରକ୍ତ ସ୍ରାବ ହୋଇଥିଲା। ମାତ୍ର ୫ ବର୍ଷ ତଳର ଏଭଳି ଏକ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରି ଇମରାନଙ୍କୁ ଗୁଳି ଲାଗିଥିବାର ଗୁଜବ ଚାରିଆଡେ ବ୍ୟାପି ଯାଇଛି । ଯାହା ସଦ୍ୟ ସମାପ୍ତ ପାକିସ୍ତାନ ସାଧାରଣ ନିର୍ବାଚନରେ ବିଜୟୀ ହୋଇ ପାକିସ୍ତାନର ୨୨ ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ଇମରାନଙ୍କ ସଫଳତା ପ୍ରତି ଇର୍ଶାଳୁଙ୍କ ପ୍ରଳାପ ବୋଲି ସାବ୍ୟସ୍ତ ହୋଇଛି।

One Reply to “ଭାଇରାଲ୍ ହେଉଛି ଇମରାନଙ୍କୁ ଗୁଳିମାଡ

  1. I think you have remarked some very interesting details, regards for the post.

Leave a Reply

Your email address will not be published. Required fields are marked *