National

ପରଲୋକରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ

ନୂଆଦିଲ୍ଲୀ, ଶୁଭ୍ ଭାରତ ଟାଇମ୍ସ (ବ୍ୟୁରୋ), ୨୪ ଅଗଷ୍ଟ- ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ପରଲୋକ ହୋଇଯାଇଛି। ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବା ଯୋଗୁ  ତାଙ୍କୁ ଅଗଷ୍ଟ ୯ ତାରିଖରେ ଏମ୍ସରେ ଭର୍ତ୍ତି କରାଯାଇ ଲାଇଫ୍ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଥିଲା। ବରିଷ୍ଠ ଡାକ୍ତରମାନଙ୍କର ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ। ତେବେ ଲଗାତାର ଭାବେ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ପରିଲକ୍ଷିତ ହେଉଥିବାବେଳେ ଶେଷରେ ଶନିବାର ମଧ୍ୟାହ୍ନ ୧୨ଟା ୦୭ ମିନିଟ୍‌ରେ ତାଙ୍କର ପରଲୋକ ହୋଇଥିବା ନେଇ ଏମ୍ସ ପକ୍ଷରୁ ବୟାନ ଜାରି କରାଯାଇଥିଲା। ଶ୍ରୀ ଜେଟ୍‌ଲୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସମେତ ବିଭିନ୍ନ ଦଳର ନେତାମାନେ ଦୁଃଖ ପ୍ରକାଶ କରିଛନ୍ତି। ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ଲୋକଙ୍କ ସହିତ କଥା ହୋଇ ସମବେଦନା ଜଣାଇଛନ୍ତି।

୧୯୫୨ ମସିହା  ଡିସେମ୍ୱର ୨୮ ତାରିଖରେ ମହାରାଜ କିଶେନ୍ ଜେଟଲୀ ଏବଂ ମାତା ରତନ ପ୍ରଭାଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ଅରୁଣ  ଜେଟ୍‌ଲୀ । ପିତା ପେସାରେ ଜଣେ ଆଇନଜୀବୀ ଥିଲେ। ଅରୁଣ  ଜେଟ୍‌ଲୀ ଦିଲ୍ଲୀ ସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲରେ ସେ ୧୯୬୦-୬୯ ଯାଏ ପଢ଼ିଥିଲେ। ଏହାପରେ ଦେଶର ଖ୍ୟାତନାମା କମର୍ସ କଲେଜ ଦିଲ୍ଲୀର ଶ୍ରୀରାମ କଲେଜ ଅଫ କମର୍ସରୁ ୧୯୭୩ରେ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୧୯୭୭ରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନରେ ପିଜି କରିଥିଲେ। ଏହି ସମୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ଯୋଗ ଦେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ୟୁନିଅନର ସଭାପତି ନିର୍ବାଚିତ ହୋଇଥିଲେ।

୧୯୭୫ରୁ ୭୭ ଦେଶରେ ଜରୁରୀକାଳୀନ ପରିସ୍ଥିତି ବେଳେ ଜେଟଲୀଙ୍କୁ ହରିଆନାର ଅମ୍ୱାଲା ଓ ଦିଲ୍ଲୀ ସ୍ଥିତ ତିହାର ଜେଲରେ ବନ୍ଦୀ କରାଯାଇଥିଲା। ଏହି ସମୟରେ ସେ ଲୋକତାନ୍ତ୍ରିକ ଯୁବମୋର୍ଚ୍ଚାର ଆବାହକ ଥିଲେ। ଆଇନରେ ପିଜି ପାସ୍‌ କରିବା ପରେ ସେ ୧୯୭୭ ଯାଏ ଦେଶର ବିଭିନ୍ନ ହାଇକୋର୍ଟରେ ଓକିଲାତି କରିଥିଲେ। ଏପରିକି ୧୯୮୯ରେ ସେ ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ଭାବରେ ମଧ୍ୟ ସେ ନିଯୁକ୍ତ ହୋଇଥିଲେ। ୧୯୮୨ରେ ସେ ସଙ୍ଗୀତା ଡୋଗ୍ରାଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି। ୧୯୯୦ରେ ସେ ଦିଲ୍ଲୀ ହାଇକୋର୍ଟର ବରିଷ୍ଠ ଓକିଲ ଭାବରେ ମାନ୍ୟତା ପାଇଥିଲେ।

୧୯୯୧ରେ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ ଅରୁଣ ଜେଟଲୀ। ୧୩ ଅକ୍ଟୋବର ୧୯୯୯ରେ ବାଜପେୟୀ ସରକାରରେ ସେ ସୂଚନା ପ୍ରସାରଣ ମନ୍ତ୍ରୀ (ସ୍ୱାଧୀନ) ଥିଲେ। ୨୩ ଜୁଲାଇ ୨୦୦୦ରେ ଅତିରିକ୍ତ ଦାୟିତ୍ୱ ଭାବରେ ଆଇନ ଓ କମ୍ପାନୀ ଆଫାଏର୍ସ ମନ୍ତ୍ରୀ ହୋଇଥିଲେ। ଏହାପରେ ମନମୋହନ ସିଂହ ସରକାର ସମୟରେ ରାଜ୍ୟସଭାର ବିରୋଧୀ ଦଳ ନେତା ଭାବରେ ଶ୍ରୀ ଜେଟଲୀ ୩ ଜୁନ୍ ୨୦୦୯ରେ ଦାୟିତ୍ୱ ଗ୍ରହଣ କରିଥିଲେ।

ଶ୍ରୀ ଜେଟ୍‌ଲୀ ଲୋକସଭାକୁ କେବେ ନିର୍ବାଚିତ ହୋଇ ନଥିଲେ। ବିଜେପିରୁ ସେ କେବଳ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।  ଅନ୍ତିମ ଥର ସେ ୨୦୧୪ରେ ପଞ୍ଜାବ ଅମୃତସର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ କଂଗ୍ରେସ ପ୍ରାର୍ଥୀ ତଥା ବର୍ତ୍ତମାନର ପଞ୍ଜ।ବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ପାଖରୁ ପରାଜିତ ହୋଇଥିଲେ। ଏହା ପରେ ସେ ୨୦୧୪ ମେ’ ୨୬ ତାରିଖରେ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ମୋଦିଙ୍କ ପ୍ରଥମ ସରକାର (୨୦୧୪-୧୭)ରେ ଦୁଇ ପ୍ରମୁଖ ମନ୍ତ୍ରଣାଳୟ- ଅର୍ଥ ଓ ପ୍ରତିରକ୍ଷା ବିଭାଗର ମନ୍ତ୍ରୀ ହୋଇଥିଲେ। ଏଥିସହିତ ୨୦୧୪ରୁ ୨୦୧୬ ଯାଏ ସେ କେନ୍ଦ୍ର ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ମଧ୍ୟ ଥିଲେ। ରାଜନୀତି ଓ ଓକିଲାତି ବ୍ୟତୀତ ସେ ବିଭିନ୍ନ ଖେଳରେ ରୁଚି ରଖୁଥିଲେ। ସେ ଭଲ ଟେବଲ୍‌ ଟେନିସ୍‌ ଖେଳୁଥିଲେ। ସେ ଦିଲ୍ଲୀ କ୍ରିକେଟ୍‌ ଆସୋସିଏସନ୍‌ର ସଭାପତି ମଧ୍ୟ ଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ସରକାରରେ ଅରୁଣ ଜେଟଲୀ ସଙ୍କଟମୋଚକ ସାଜିଥିଲେ। ଦଳୀୟ ନେତାଙ୍କ ଭଳି ଦଳ ବାହାରେ ଥିବା ନେତାଙ୍କ ସହ ତାଙ୍କର ଅନ୍ତରଙ୍ଗ ସମ୍ପର୍କ ରହିଥିଲା। ସେଥିପାଇଁ ଯେବେ ବି ମୋଦି ସରକାର ଅଡ଼ୁଆରେ ପଡ଼ୁଥିଲେ, ଜେଟଲୀ ହିଁ ତ୍ରାଣକର୍ତ୍ତା ସାଜି ଉଭା ହେଉଥିଲେ। ଖାସ୍ ସେଥିପାଇଁ ଏଥର ଲୋକସଭା ନିର୍ବାଚନରେ ଜେଟଲୀ ଭାଗ ନେଇ ନଥିଲେ ମଧ୍ୟ ନୂଆ ସରକାର ଗଠନ ହେବା ବେଳେ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଜେଟଲୀଙ୍କୁ ମନ୍ତ୍ରୀପଦ ଯଚା ଯାଇଥିଲା। ଏଥିପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଘରକୁ ମଧ୍ୟ ଯାଇଥିଲେ। ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ମୋଦିଙ୍କ ପ୍ରସ୍ତାବକୁ ବିନମ୍ରତାର ସହିତ ମନା କରି ଦେଇଥିଲେ।

Leave a Reply

Your email address will not be published. Required fields are marked *