Metro

ଫାଇଭ୍-ଟି’ ପ୍ରଭାବ: ସରକାରୀ କର୍ମଚାରୀଙ୍କୁ ମାସ ଶେଷରେ ମିଳିବ ଦରମା

ଭୁବନେଶ୍ୱର(ବ୍ୟୁରୋ), ଶୁଭ୍ ଭାରତ ଟାଇମ୍ସ, ୨୪.o୯- ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ନିୟମିତ ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ପ୍ରତ୍ୟେକ ମାସର ଶେଷଦିନ ହିଁ ଦରମା ଓ ପେନସନ ମିଳିବ। ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ଅର୍ଥ ବିଭାଗ। ଏଥିପାଇଁ ପ୍ରତିମାସର ୧୫ରୁ ୧୪ତାରିଖ ପର୍ଯ୍ୟନ୍ତ କର୍ମଚାରୀମାନଙ୍କର ଅଫିସ ଉପସ୍ଥାନକୁ ହିସାବକୁ ନିଆଯାଇ ଦରମା ବିଲ୍ ପ୍ରସ୍ତୁତ ହେବ। ଯଦି ମାସର ଶେଷଦିନ ବ୍ୟାଙ୍କ ଛୁଟି ଥାଏ ତା’ହେଲେ ଦିନେ ଅବା ଦୁଇଦିନ ପୂର୍ବରୁ ଏହି ଦରମା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ। ପରୀକ୍ଷାମୂଳକ ଭାବେ ଭୁବନେଶ୍ୱର ସ୍ପେଶାଲ ଟ୍ରେଜେରୀ-୧ରୁ ଦରମା ନେଉଥିବା ସମସ୍ତ କର୍ମଚାରୀଙ୍କୁ ଚଳିତମାସ ୩୦ତାରିଖରୁ ଦରମା ମିଳିବ। ସରକାର ‘ଫାଇଭ୍-ଟି’ କାର୍ଯ୍ୟକ୍ରମକୁ ପାଳନ କରି କେବଳ ସରକାରୀ କର୍ମଚାରୀଙ୍କ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ ୧ରୁ ୨୫ତାରିଖ ପର୍ଯ୍ୟନ୍ତ ଉପସ୍ଥାନକୁ ଦୃଷ୍ଟିରେ ରଖି ଡିଡିଓମାନେ ପ୍ରତ୍ୟେକ ମାସର ଦରମା ନିର୍ଦ୍ଧାରଣ କରୁଥିଲେ ଓ କର୍ମଚାରୀମାନଙ୍କୁ ପ୍ରତିମାସର ପ୍ରଥମ ତାରିଖ ଅବା ସପ୍ତାହରେ ଦରମା ମିଳୁଥିଲା। ଦରମା ଓ ପେନସନ୍ ପ୍ରସ୍ତୁତ ପାଇଁ ଡିଡିଓମାନେ ୫ଦିନ ସମୟ ନେଉଥିଲେ। ମାତ୍ର ଚଳିତମାସଠୁ ଡିଡିଓମାନେ ପ୍ରତ୍ୟେକ ମାସର ୧୫ରୁ ପରବର୍ତ୍ତୀ ମାସ ୧୪ତାରିଖକୁ ଉପସ୍ଥାନ ଭାବେ ବିବେଚନା କରିବେ ଏବଂ ଦରମା ବିଲ୍ ୨୦ତାରିଖ ମଧ୍ୟରେ ସମ୍ପାଦନ କରିବେ। ଡିଡିଓମାନଙ୍କୁ ଏଣିକି ଅର୍ଥ ବିଭାଗ ଦ୍ୱାରା ଏକ ପୃଷ୍ଠାର ନିର୍ଦ୍ଧାରିତ ଫର୍ମାଟରେ ଏହି ଦରମା ବିଲ୍ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, କର୍ମଚାରୀଙ୍କ ଦରମା ବିଲ୍ ପ୍ରସ୍ତୁତରେ ‘ଫାଇଭ-ଟି’ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରି ସମୟ ଅପଚୟ ଓ ମାନବ ସମ୍ବଳ ବିନିଯୋଗକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଉଛି। ଏବେ ଦରମା ବିଲ୍ ପ୍ରସ୍ତୁତି ପାଇଁ ପ୍ରାୟ ୧୫ଲକ୍ଷରୁ ଅଧିକ ‘ଏ-ଥ୍ରୀ’ ସାଇଜ୍ ପେପର ମଧ୍ୟ ନଷ୍ଟ ହେଉଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଅର୍ଥ ବିଭାଗ ପରୀକ୍ଷାମୂଳକ ଭାବେ ଚଳିତମାସରୁ ଭୁବନେଶ୍ୱର ସ୍ପେଶାଲ ଟ୍ରେଜେରୀ-୧ରୁ ଦରମା ଉଠାଣ କରୁଥିବା ସମସ୍ତ ଡିଡିଓ (ଡ୍ରଇଂ ଆଣ୍ଡ ଡିସର୍ବସ ଅଫିସର)ଙ୍କୁ ୩୦ତାରିଖରେ କର୍ମଚାରୀଙ୍କୁ ଦରମା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ମାସରୁ ଏହା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସମସ୍ତ ଡିଡିଓମାନଙ୍କ ପାଇଁ ଲାଗୁ ହେବ। ୨୦୨୦ ଜାନୁୟାରୀ ମାସରୁ ଏହି ନିୟମ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହେବ। ଅର୍ଥାତ୍ ରାଜ୍ୟର ସବୁ ନିୟମିତ ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ୨୦୨୦ ଜାନୁୟାରୀରୁ ମାସର ଶେଷ ତାରିଖରେ ହିଁ ଦରମା ମିଳିବ। ତେବେ କେବଳ ମାର୍ଚ୍ଚ ମାସର ଦରମା ଓ ପେନସନ୍ ଏପ୍ରିଲ ପହିଲାରେ ମିଳିବ। ଏହି ସମାନ ନିୟମ ପେନସନଧାରୀଙ୍କ ପାଇଁ ବି ପ୍ରଯୁଜ୍ୟ ହେବ।

Leave a Reply

Your email address will not be published. Required fields are marked *