Metro

ବାଣପୁର ଅଧିଷ୍ଠାତ୍ରୀ ମାତା ଭଗବତୀଙ୍କ ପୀଠରେ ନରବଳି !

ଚିଲିକା, ଶୁଭ୍ ଭାରତ ଟାଇମ୍ସ, ୨୪.୦୯- ପବିତ୍ର ପାର୍ବଣର ଷୋଡ଼ଶ ପର୍ବ କେଉଁଠି କେମିତି। ଭିନ୍ନ ଭିନ୍ନ ପୀଠ ସହ ଯୋଡ଼ି ହୋଇଛି ପାରମ୍ପରିକ ରୀତିନୀତି। ସମଗ୍ର ୫୨ଟି ଶକ୍ତି ଉପାସନା ପୀଠ ମଧ୍ୟରୁ ବାଣପୁର ବାସିନୀ ମା’ଭଗବତୀଙ୍କ ପୀଠ ତନ୍ତ୍ରପୂଜା ତଥା ବାମାଚାର ପୂଜା ପାଇଁ ଖୁବ୍ ପ୍ରସିଦ୍ଧ। ତନ୍ତ୍ରସାଧକ, ଐତିହାସିକ, ପୁରାଣକାର ଓ ଗ୍ରନ୍ଥ ରଚୟିତାଙ୍କ ମତ ଅନୁସାରେ ପାର୍ବଣ ପୂଜାରେ ମା’ଭଗବତୀଙ୍କ ପୀଠରେ ନରବଳି ଦିଆଯାଉଥିଲା। ପ୍ରଥା ବଦଳିଯାଇଛି, ମାତ୍ର ବଦଳିନାହିଁ ପରମ୍ପରା। ଅତୀତର ନରବଳି ଅଧୂନା ପ୍ରତିକାତ୍ମକ ନରବଳି ଭାବେ ମା’ଭଗବତୀଙ୍କୁ ସମର୍ପଣ କରାଯାଏ।

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଉପକଣ୍ଠ ସିଙ୍ଗେଶ୍ୱର ଗ୍ରାମର ‘ବଳିଜେନା’ ଉପାଧିଧାରୀ ଏକ ଖଣ୍ଡାୟତ ପରିବାର ମା’ଭଗବତୀଙ୍କ ପୀଠରେ ପ୍ରଚଳିତ ନରବଳି ସେବାରେ ନିୟୋଜିତ ହୋଇଛନ୍ତି। ଉତ୍ତରାଧିକାରୀ ସୂତ୍ରରେ ପରିବାରର ଜଣେ ପୁରୁଷ ସଦସ୍ୟ ମା’ଭଗବତୀଙ୍କ ପାର୍ବଣ ପୂଜା ସମୟରେ ନିଜକୁ ନରବଳି ଭାବେ ସମର୍ପିତ କରନ୍ତି। ଆଶ୍ୱିନ ମାସ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ମଧ୍ୟରେ ନିର୍ଦ୍ଧାରିତ ପାର୍ବଣ ପୁଜା ସମୟରେ ଏକ ନିର୍ଦ୍ଧିଷ୍ଟ ତିଥିରେ ବଳିଜେନା ମା’ଭଗବତୀଙ୍କ ନିକଟରେ ନରବଳି ଉଦ୍ଦେଶ୍ୟରେ ବାଣପୁର ଠାରେ ପହଞ୍ଚି ‘ସାତବଖରା’ ମନ୍ଦିରରେ ରାତ୍ରିଯାପନ କରନ୍ତି। ପୂଜାବିଧି ଅନୁସାରେ କେତେକ ଆବଶ୍ୟକୀୟ ମୁହୂର୍ତ୍ତରେ ବଳିଜେନାଙ୍କୁ ମା’ଙ୍କ ସମ୍ମୁଖରେ ପୂଜକ ସମର୍ପଣ କରନ୍ତି। ହେଲେ ପରମ ବୈଷ୍ଣବୀ ମାତା ଭଗବତୀ ବଳିଜେନାଙ୍କ ନିଷ୍ଠାପର ଭକ୍ତିରେ ସନ୍ତୁଷ୍ଟ ହୋଇ ତାଙ୍କୁ ସ୍ୱଦେହରେ ଫେରାଇଦେବା ସହ ପୁନର୍ଜନ୍ମ ଦେଇଥାନ୍ତି। 

ଦଶମହାବିଦ୍ୟା ମନ୍ତ୍ରରେ ପୂଜିତା ମା’ଭଗବତୀଙ୍କୁ ନରବଳି ଦିଆଯିବା ପ୍ରସଙ୍ଗ ଖୁବ୍ ପ୍ରାଚୀନ ଏବଂ ଉତ୍କଣ୍ଠାପୂର୍ଣ୍ଣ। ବହୁ ଇତିହାସକାର ଏସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ପ୍ରସିଦ୍ଧ ତନ୍ତ୍ରପୀଠର ଅଧିଷ୍ଠାତ୍ରୀ ଦେବୀ ମା’ଭଗବତୀ ପରମ ବୈଷ୍ଣବୀ। ଏହା ସତ୍ୱେ ପାର୍ବଣର ସର୍ବାଦୌ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଅର୍ଥାତ ମହାନବମୀ ନିଶାର୍ଦ୍ଧରେ ମହାପଶୁ, ଉପପଶୁ ଏବଂ ପଶୁଙ୍କ ବଳି ଦ୍ୱାରା ମା’ଭଗବତୀଙ୍କ ମହାପୂଜା ସମାପନ ହୁଏ।

ମହାନବମୀ ତିଥିର ନିଶାର୍ଦ୍ଧ ପୂଜା ପାଇଁ ଶ୍ରୀକ୍ଷେତ୍ରରୁ ଆସିଥିବା ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ସହ ମହିଷ, ମେଣ୍ଢା, ବୋଦା ଆଦି ପଶୁମାନଙ୍କର କଟାମୁଣ୍ଡ ଓ ପୋଡ଼ା ମାଛ ଏବଂ ମହୁଲି ମଦ ସମୁହ ଭୋଗସାମଗ୍ରୀ ଏକସଙ୍ଗେ ମା’ଭଗବତୀଙ୍କ ସମ୍ମୁଖରେ ରଖାଯାଇ ତୁଳସୀ ଓ ବେଲପତ୍ରରେ ପାଣିଛଡ଼ା ଯାଏ। ଏହି ବିରଳ ପରମ୍ପରା ପାଇଁ ମା’ଭଗବତୀଙ୍କ ପାବନ ଶକ୍ତିକ୍ଷେତ୍ର ଭାରତର ୫୨ଟି ଶକ୍ତି ଉପାସନା ପୀଠ ମଧ୍ୟରୁ ଗୋଟିଏ ବୋଲି ଭକ୍ତ, ଶ୍ରଦ୍ଧାଳୁ ଓ ବିଦ୍ୱାନମାନେ ବିଶ୍ୱାସ କରନ୍ତି। ମା’ ପରମ ବୈଷ୍ଣବୀ ଦେବୀ ଭଗବତୀ ପରମ ଦୟାଳୁ। କିନ୍ତୁ ମହିଷମର୍ଦ୍ଧନୀ ଦଶଭୂଜା ଦୁର୍ଗାଭଗବତୀଙ୍କ ମହାପୂଜାରେ ସମର୍ପିତ ପଶୁବଳି ବା ପାକ୍ଷିକ ମାଂସ ପରୋକ୍ଷରେ ଦୁର୍ଦ୍ଧର୍ଷ ମହିଷାସୁରର ସହଚର ମଧୂକୈଠବ, ଚଣ୍ଡମୁଣ୍ଡ, ଧୂମ୍ର ଲୋଚନ, ରକ୍ତବୀଜ, ଶୁମ୍ଭ ନିଶୁମ୍ଭ ଆଦି ରାକ୍ଷସମାନଙ୍କ ଉଦ୍ଦେଶ୍ୟରେ ତନ୍ତ୍ର ବିଧାନରେ ସମର୍ପଣ କରାଯିବା ଷୋଡ଼ଶ ପର୍ବର ରୀତିନୀତି ସହ ସଂଶ୍ଲିଷ୍ଟ। ଏ ସମ୍ପର୍କରେ ମା’ଭଗବତୀଙ୍କ ଶ୍ରେଷ୍ଠ ପୂଜକଙ୍କ ମୁହଁରୁ ବିସ୍ତୃତ ଭାବେ ଶୁଣିବାକୁ ମିଳିଛି > ଚିଲିକାରୁ ସ୍ୱତନ୍ତ୍ର ପ୍ରତିନିଧି ହରିହର ରଣାଙ୍କ ରିପୋର୍ଟ୍, ଶୁଭ୍ ଭାରତ ଟାଇମ୍ସ

Leave a Reply

Your email address will not be published. Required fields are marked *