Metro

ସରକାରୀ ଜାଗାରେ କଲେ ଅଧା ଅଧା, ନିଜ ଜାଗା ଥିଲେ ୧୦ ହଜାର

ଚିଲିକା, ଶୁଭ୍ ଭାରତ ଟାଇମ୍ସ, ୩୦.୭- ଖୋର୍ଦ୍ଧା ଜିଲ୍ଲାରେ ଭୁଷୁଡ଼ି ପଡ଼ିଛି ଶାସନ ବ୍ୟବସ୍ଥା। ଏହି ଜିଲ୍ଲ। ଅନ୍ତର୍ଗତ ଚର୍ଚ୍ଚିତ ଚିଲିକା ନିର୍ବାଚନମଣ୍ଡଳୀରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି। ଏଠାରେ ସୋରଣ ଏବଂ ଚଣ୍ଡେଶ୍ୱର, ଏହି ୨ଟି ପଞ୍ଚାୟତରେ ଚାଲିଥିବା ଦୁର୍ନୀତିକୁ ପ୍ରଥମେ ନମୂନା ଆକାରେ ନିଆଯାଉ। ନିକଟରେ ସୋରଣ ସେବା ସମବାୟ ସମିତିରୁ ବିଦାୟ ନେଇଥିବା ପରିଚାଳନା ପରିଷଦର କେତେକ ସଭ୍ୟ କୃଷିଋଣ କରାଇଦେବା ନାଁରେ ଚାଷୀଙ୍କଠୁଁ ଲାଞ୍ଚ ଆଦାୟ କରୁଥିବା ନେଇ ଅଭିଯୋଗ ହେଉଥିଲା। ଆଜି ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି ଯେ, ସମିତି ପରିଚାଳନା ପରିଷଦରୁ ବିଦା ହୋଇଥିବା ସଭାପତି ଓ ତାଙ୍କ ପରାମର୍ଶଦାତା ଲଳିତ ମହାରଣା ସୋରଣ ସମବାୟ ସମିତିର ଜଣେ କର୍ମଚାରୀଙ୍କର ପ୍ରମୋଶନ କରାଇଦେବା ପାଇଁ ତାଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଇଛନ୍ତି। ମାତ୍ର ସୋରଣ ସମବାୟ ସମିତିର ବୋର୍ଡ ସଦସ୍ୟମାନେ ସମିତିରୁ ରୁଣ ନେଇ ସୁଝିନପାରିବାରୁ ବୋର୍ଡକୁ ଅସିଦ୍ଧ ଘୋଷଣା କରାଯାଇଛି। ଏଥିରେ ପ୍ରମୋଶନ ପାଇଁ ଚାହିଁ ରହିଥିବା କର୍ମଚାରୀ ସମସ୍ତ ଆଶା ହରାଇ ବିଦାୟୀ ସଭାପତି ବେହେରା ଓ ଲଳିତଙ୍କୁ ଦେଇଥିବା ଟଙ୍କା ଫେରସ୍ତ ମାଗିବାରୁ ସେମାନେ କହୁଛନ୍ତି ଯେ, ତୁମେ ଦେଇଥିବା ଅର୍ଥ ଉପଯୁକ୍ତ ଅଧିକାରୀଙ୍କୁ ଦିଆଯାଇଛି। ଟଙ୍କା ଦିଆଯିବା ପରେ ଖୋର୍ଦ୍ଧା ମୁଖ୍ୟ ଶାଖା ସେକ୍ରେଟାରୀ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ତୁମ କାମ ନିଶ୍ଚିତ ହେବ। ଏହି ଘଟଣା ସ୍ପଷ୍ଟ କରୁଛି କି ବିଦାୟୀ ବିବାଦୀୟ ସଭାପତି ଏବଂ ଲଳିତଙ୍କ ସହ ଖୋର୍ଦ୍ଧା ମୁଖ୍ୟ ଶାଖା ସେକ୍ରେଟାରୀଙ୍କର ନିବିଡ ସମ୍ପର୍କ ଅଛି।

ସେପାଖେ ସୋରଣ ସମିତିର ୪ ହଜାର ଚାଷୀ ଗତ ରବି ରୁଣ ସମେତ ଚଳିତ ଖରିଫ୍ ରୁଣ ନପାଇ ହନ୍ତସନ୍ତ ହେଉଥିବା ବେଳେ ଖୋର୍ଦ୍ଧା ମୁଖ୍ୟ ଶାଖା ସେକ୍ରେଟାରୀ ଦରିନ୍ଦାଙ୍କ ପ୍ରେମରେ ପଡି ୪ ହଜାର ଚାଷୀଙ୍କୁ ଆତ୍ମହତ୍ୟାର ରାସ୍ତା ଦେଖାଉଛନ୍ତି। ରାଜ୍ୟ ରାଜଧାନୀ ଜିଲ୍ଲାରେ ଏଭଳି ଲାଞ୍ଚଖୋର ଅଧିକାରୀଙ୍କୁ ନିଯୁକ୍ତି ଦେଇ ସରକାର କିଭଳି କୃଷି କର୍ମଣ ପୁରସ୍କାର ପାଉଛନ୍ତି ତାକୁ ନେଇ ବିଭିନ୍ନ ଚା’ଖଟିରେ ଚର୍ଚ୍ଚା ଯୋର୍ ଧରିଛି।

ସେପାଖେ ଚଣ୍ଡେଶ୍ୱର ପଞ୍ଚାୟତରେ ଇନ୍ଦିରା ଆବାସ କରାଇଦେବା ପାଇଁ ଜାଗା ଥିଲାବାଲାଙ୍କ ଠାରୁ ୧୦ ହଜାର ଓ ସରକାରୀ ଯାଗାରେ ଆଇଏୱାଇ ଗୃହ ମଞ୍ଜୁର କରାଇବା ଲାଗି ୬୦ ହଜାର ଟଙ୍କା ଲାଞ୍ଚ ଆକାରେ ଆଦାୟ ଚାଲିଛି। ଯଦ୍ୱାରା ଆଇଏୱାଇ ଯୋଜନାରେ ଗୃହ ନିର୍ମାଣ ପାଇଁ ମଞ୍ଜୁର ହେଉଥିବା ୧ ଲକ୍ଷ ୨୦ ହଜାର ଟଙ୍କାରୁ ଅଧା ଟଙ୍କା ଟାଉଟରଙ୍କ ପକେଟକୁ ଯାଉଛି। ରାଜ୍ୟ ସରକାର ପିସି କାରବାର ରୋକିବାରେ ପୁରା ଦମ୍ ଲଗାଇଥିବା କହୁଥିବାବେଳେ ଏଭଳି ଲାଞ୍ଚ କାରବାରରେ ମୁଖ୍ୟ କାରପଟଦାର ସାଜିଛନ୍ତି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କେତେକ କର୍ମୀ।

ଉଲ୍ଲେଖନୀୟ ଯେ, ଖୋର୍ଦ୍ଧା ଜିଲ୍ଲ। ଅନ୍ତର୍ଗତ ଚଣ୍ଡେଶ୍ୱର ପଞ୍ଚାୟତର ଲୋକସଂଖ୍ୟା ୯୭୬୫ ଓ ଭୋଟରଙ୍କ ସଂଖ୍ୟା ୬୨୧୦। ପଞ୍ଚାୟତ ଅଧିନରେ ଥିବା ଗାଁ ଗୁଡ଼ିକ ମଧ୍ୟରେ ଅଛି ଆରଡ଼ା ନରସିଂହପୁର, ରଘୁନାଥପୁର, ଦାରୁଗାଁ, କୃଷ୍ଣପୁର, ବଡ଼ପୋଖରିଆ ପାଟଣା, ହଳଦିଆ ପାଟଣା, ଅଁଳାଡ଼ିହ, ଚଢେଇଗୁଆଁ, ଫୁଲଗୋରଡ଼ା, ମୁଣ୍ଡାଳ, ନୋଧାସାହି, କବାରୀ ସାହି, ଆଦିବାସୀ ଇନ୍ଦିରା କଲୋନୀ ଓ ପୁତନା। ପ୍ରସିଦ୍ଧ ଶୈବକ୍ଷେତ୍ର ଭାବେ କଳିଙ୍ଗ ଇତିହାସରେ ଲିପିବଦ୍ଧ ହୋଇ ରହିଥିବା ଚଣ୍ଡେଶ୍ୱର ପଞ୍ଚାୟତଟି ବିଶେଷ କରି ସଭ୍ୟ ଶିକ୍ଷିତ ଓ ଧର୍ମ ପରାୟଣ ବ୍ୟକ୍ତିବିଶେଷଙ୍କ ଆବାସସ୍ଥଳୀ ବୋଲି ପଡ଼ୋଶୀ ପଞ୍ଚାୟତର ଲୋକଙ୍କ ମନରେ ଧାରଣା ଅଛି। କିନ୍ତୁ ବାସ୍ତବତା ଭିନ୍ନ। ସବୁଠାରୁ ଶିକ୍ଷିତ ଲୋକଙ୍କ ଗ୍ରାମଭାବେ ପରିଚିତ ପୁତନା ଗ୍ରାମର କିଛି ବ୍ୟକ୍ତି ଏହି ବିଶ୍ୱାସକୁ ପାଣିଚିଆ କରିଦେଇଛନ୍ତି। ରାଜ୍ୟ ସରକାର ଗରିବ ଲୋକଙ୍କୁ ଖଣ୍ଡେ ବାସଗୃହ ଦେବାପାଇଁ ଇନ୍ଦିରା ଆବାସ ବଣ୍ଟନ କରୁଥିବା ବେଳେ ହିତାଧିକାରୀ ଏଥିପାଇଁ କେତେ ଚାନ୍ଦା ଦିଅନ୍ତି, ତାହା ପ୍ରଶାସନିକ ଅଧିକାରୀଙ୍କୁ ଭଲଭାବେ ଜଣାଅଛି। ପୂର୍ବରୁ ବିଜେଡ଼ି ସରକାର ନାମରେ ପିସି ଆଦାୟକୁ ନେଇ ଯେଭଳି ଅଭିଯୋଗ ହେଉଥିଲା ତାହା ଯେ ବଳବତ୍ତର ରହିଛି, ଏକଥା ଚଣ୍ଡେଶ୍ୱର ପଞ୍ଚାୟତରେ ଦେଖିବାକୁ ମିଳୁଛି। ମାତ୍ର ଏସଂକ୍ରାନ୍ତରେ ସବିଶେଷ ବିବରଣୀ ହସ୍ତଗତ ହେବାପରେ ଜଣାଗଲା ଢୋଲ ଭିତରେ ମୂଷା।

ଏହି ପଞ୍ଚାୟତର ସରପଞ୍ଚଙ୍କ ନାମରେ କେହି ସିଧାସଳଖ ଅଭିଯୋଗ ନକରିନଥିଲେ ମଧ୍ୟ ସରପଞ୍ଚଙ୍କର ପାଖଲୋକ ଭାବେ ପରିଚୟ ଦେଇ ଚିତ୍ତରଞ୍ଜନ ପଟ୍ଟନାୟକ ଓରଫ ବୁଢା ନାମକ ବ୍ୟକ୍ତି ଇନ୍ଦିରା ଆବାସ ଯୋଜନାରେ ଗୃହ ମଞ୍ଜୁର କରାଇଦେବେ କହି ହିତାଧିକାରୀଙ୍କୁ ଶୋଷଣ କରୁଛନ୍ତି। ଏ ସମ୍ପର୍କରେ କୁହାଯାଉଛି କି ବୁଢା ପଟ୍ଟନାୟକ ତାଙ୍କର ଜଣେ ଚେଲାଙ୍କୁ ହାତବାରିସ କରି ପୁରା ପଞ୍ଚାୟତ ଖୋଳ କରିବାରେ ଦିନରାତି ଏକତ୍ର କରିଦେଇଛନ୍ତି। ଏହାଙ୍କ କାର୍ଯ୍ୟକଳାପରୁ ଲାଗୁଛି ଏହି ବ୍ୟକ୍ତି ଜଣେ ପେଶାଦାର ଠକ। ଗାଁ କୁ ଗାଁ ବୁଲି ସ୍ଥାନୀୟ ଦଲାଲଙ୍କ ସହ ହାତ ମିଳାଇ ଗରିବଙ୍କୁ ଲୁଟିବାରେ ପୁରା ଓସ୍ତାଦ। କାରଣ ଗତ କିଛି ସସ୍ତାହ ତଳେ ଏହି ବ୍ୟକ୍ତି ସୋରଣ ସମବାୟ ସମିତିରେ ପଞ୍ଜିକୃତ ଚାଷୀ ଗୋବର୍ଦ୍ଧନ ଘଡ଼େଇଙ୍କୁ ସମିତିରୁ ଋଣ କରାଇଦେବା ନାଁରେ ସାଥୀ ଲଳିତ ମହାରଣାଙ୍କ ସହ ମିଶି ୧୫ ହଜାର ଟଙ୍କା ଲାଞ୍ଚ ନେଇଥିବା ସଂକ୍ରାନ୍ତରେ ଜୁଲାଇ ୨୭ ତାରିଖ ‘କୃଷି ଋଣରୁ ବଞ୍ଚିତ ହେଲେ ୪ ହଜାର ଚାଷୀ’ ଶୀର୍ଷକ ଖବର ‘ଶୁଭ୍ ଭାରତ ଟାଇମ୍ସ’ ପୋର୍ଟାଲରେ ପ୍ରକାଶ ପାଇଥିଲା।

ପୀଡ଼ିତ ଗୋବର୍ଦ୍ଧନ ଘଡ଼େଇଙ୍କ ପତ୍ନୀ ଲିଜା ଏନେଇ ଆମକୁ ସମସ୍ତ ଘଟଣାର ତଥ୍ୟ ଦେଇଥିଲେ। ପୁଣି ଇନ୍ଦିରା ଆବାସ ଗୃହ କରାଇଦେବା ନାମରେ ଚାଲିଥିବା କାରବାର କ୍ରମରେ ଯାହାର ଯାଗା ଅଛି ତାଙ୍କ ଠାରୁ ୧୦ ହଜାର ଓ ସରକାରୀ ଯାଗାରେ ଆଇଏୱାଇ ଗୃହ ମଞ୍ଜୁର କରାଇବା ଲାଗି ୬୦ ହଜାର ଟଙ୍କା ଲାଞ୍ଚ ଆକାରେ ଆଦାୟ ଚାଲିଛି। ଏଥିରୁ ସନ୍ଦିଗ୍ଧ ଲାଞ୍ଚ ଆଦାୟକାରୀଙ୍କ ଭାଗରେ କେତେ ପଡୁଛି ତାହା ଈଶ୍ୱରଙ୍କୁ ଜଣା।  ତେବେ ଅଭିଯୋଗର ସତ୍ୟତା ଜାଣିବା ପାଇଁ ଚିତ୍ତରଞ୍ଜନ ପଟ୍ଟନାୟକ ଓରଫ ବୁଢାଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହେଲାନାହିଁ। ଏଭଳି ପରିସ୍ଥିତିରେ ଚଣ୍ଡେଶ୍ୱର ସରପଞ୍ଚଙ୍କ ଚେଲା ବୋଲାଉଥିବା ଲାଞ୍ଚଖୋର ବ୍ୟକ୍ତିଙ୍କୁ ସରପଞ୍ଚ କିଭଳି ଆୟତ କରିବେ ତାହା ତାଙ୍କ ଦଳର ଆଭ୍ୟନ୍ତରିଣ ବ୍ୟାପାର। କିନ୍ତୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଚିଲିକା ବିଡିଓ ସ୍ଥାନୀୟ ଅଞ୍ଚଳରେ ଇନ୍ଦିରା ଆବାସ ହିତାଧିକାରୀଙ୍କ ଠାରୁ ଲାଞ୍ଚ ଆଦାୟକୁ ରୋକିବାରେ କ’ଣ ପଦକ୍ଷେପ ନେଇଛନ୍ତି, ଏକଥାକୁ ନେଇ ଚାରିଆଡେ ହୁଲସ୍ତୁଲ୍ ହେଉଛି।

Leave a Reply

Your email address will not be published. Required fields are marked *