Metro

ଜେ.ଏନ୍ ପଙ୍କଜଙ୍କୁ ଏସଟିଏଫ ଡିଆଇଜି ଦାୟିତ୍ୱ

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ(ବ୍ୟୁରୋ), ୨୦ ଅଗଷ୍ଟ- ରାଜ୍ୟ ସରକାର ୫ମ ଥର କ୍ଷମତା ଦଖଲ କରିବା ପରେ ଚୌକି ଚାରିପାର୍ଶ୍ବକୁ ସଫାସୁତରା କରିବାରେ ଲାଗିଛନ୍ତି। ଲକ୍ଷ୍ୟ ରହିଛି କେନ୍ଦ୍ର ସରକାରଙ୍କ ଦୃଷ୍ଟି ହଟାଇବା। ଏଥିପାଇଁ ଆଇଏଏସ ଏବଂ ଆଇପିଏସ ଅଫିସରଙ୍କୁ ବଳିବୋଦା କରାଯାଇଛି। ଏସବୁ ଘଟଣା ମଧ୍ୟରେ ଏକ ବିଜ୍ଞପ୍ତିରୁ ଜଣାପଡିଛି ଯେ ୨୦୦୪ ବ୍ୟାଚ୍ ଆଇପିଏସ ଆଶିଷ ସିଂହଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ଡିଆଇଜି ପଦରୁ ହଟାଯାଇ ତାଙ୍କ ସ୍ଥାନରେ ୨୦୦୫ ବ୍ୟାଚ୍ ଆଇପିଏସ୍ ଜୟନାରାୟଣ ପଙ୍କଜଙ୍କୁ ଅବସ୍ଥାପିତ କରାଯାଇଛି। ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ ସିଂହଙ୍କୁ ଭୁବନେଶ୍ୱର ଆଣି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ସମେତ ଏସଟିଏଫର ଦାୟିତ୍ୱ ନ୍ୟସ୍ତ କରିଥିବା ରାଜ୍ୟ ସରକାର କାହିଁକି ଅଚାନକ ତାଙ୍କୁ ବଦଳି କଲେ, ତାକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା।

ସୂତ୍ର ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନ ବେଳେ ଏସଟିଏଫ ଡିଆଇଜି ଶ୍ରୀ ଆଶିଷ ସିଂହ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ସହ ଯୋଗସୁତ୍ରରେ ଥିଲେ। ଯେକୌଣସି ପରିସ୍ଥିତିରେ ନେତାଙ୍କୁ ଖୁସି କରାଇବାରେ ନିମଗ୍ନ ରହୁଥିବା ଦେଖି କେତେକ ନିଶ୍ଚିତ ହୋଇଗଲେ ଯେ ଡିଆଇଜି ଶ୍ରୀ ସିଂହ ଖୁବଶୀଘ୍ର ପ୍ରତିକ୍ରିୟାର ଶିକାର ହେବେ। ସାଧାରଣ ନିର୍ବାଚନ ଫଳାଫଳ ପରେ ଶ୍ରୀ ସିଂହ ବିଜେଡିରେ ଏକ ନୂଆ ‘କ୍ଷମତାକେନ୍ଦ୍ର’ ଭାବେ ଉଭା ହୋଇସାରିଥିଲେ। ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ସହ ତାଙ୍କର ଘନିଷ୍ଠତା ଦୃଷ୍ଟିରୁ ତାଙ୍କର ପ୍ରଭାବ ବଢିଚାଲିଥିଲା। ମାତ୍ର ପାଟକୁରା ବିଧାନସଭା ନିର୍ବାଚନବେଳେ ଶ୍ରୀ ସିଂହଙ୍କୁ ନେଇ ସମସ୍ୟା ସୃଷ୍ଟି ହେବା ପରେ ତାଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖାଯାଇଥିଲା। ପରିଶେଷରେ ଜୁଲାଇ ୧୭ତାରିଖରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ନିର୍ବାଚନୀ ଗସ୍ତ ସୁଦ୍ଧା ଡିଆଇଜି ଛୁଟି ଆଳରେ ଦୁରେଇ ଗଲେ ଓ ନିର୍ବାଚନ ପ୍ରକ୍ରିୟା ସରିବା ପରେ ଫେରିଥିଲେ। ଏହା ପରଠୁ ଶ୍ରୀ ସିଂହ ସେଠାରୁ ବଦଳିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଥିଲା। ଗତକାଲି ତାଙ୍କୁ ଏସଟିଏଫ୍ ଡିଆଇଜି ତଥା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରୁ ମୁକ୍ତ କରି କେବଳ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କେନ୍ଦୁଝରରେ ଏସପି ଥିବା ଜେଏନ୍ ପଙ୍କଜଙ୍କୁ ଦାୟିତ୍ୱ ମିଳିଥିବା ଜଣାପଡିଛି।

ତେବେ ରାଜ୍ୟ ସରକାରଙ୍କ ଇଛାରେ ଗତ ବର୍ଷକ ମଧ୍ୟରେ ହିଂମାଶୁ ଲାଲ, ଯତୀନ୍ଦ୍ର କୋଏଲ ଏବଂ ଆଶିଷ ସିଂହଙ୍କ ଭଳି ୩ଜଣ ବରିଷ୍ଠ ଆଇପିଏସଙ୍କୁ ଏହି ପଦରୁ ବିଦା କରାଗଲାଣି। ୨୦୧୮ ଜୁନ୍ ୯ ତାରିଖରେ ହିମାଂଶୁ ଲାଲଙ୍କୁ ଏସଟିଏଫ୍ ଡିଆଇଜି ଭାବେ ନିଯୁକ୍ତି ମିଳିଲା। ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ ସାମ୍ରାଜ୍ୟ ଉପରେ ସେ ଏଭଳି ଷଣ୍ଢୁଆସୀ ଆକ୍ରମଣ କଲେ ଯେ ଉପକୂଳ ଓଡ଼ିଶାରେ ଅପରାଧୀମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳିଗଲା। କିନ୍ତୁ ହିମାଂଶୁ ଲାଲଙ୍କ ପାରିବାପଣିଆ ପରୋକ୍ଷରେ ବିଜେଡି ନେତାଙ୍କ ଦାନାପାଣି ଛଡାଇ ନେବା ଭଳି ପରିସ୍ଥିତି ସୃଷ୍ଟି ହେଲା। ଏଥପାଇଁ ତାଙ୍କୁ ତରବରିଆ ଭାବେ ୨୦୧୮ ଅକ୍ଟୋବର ୨୩ରେ ଅନ୍ୟତ୍ର ବଦଳି କରାଗଲା।

ଏହାପରେ ଶ୍ରୀ ଲାଲଙ୍କ ସ୍ଥାନରେ ଯତୀନ୍ଦ୍ର କୋଏଲଙ୍କୁ ଏସଟିଏଫ ଆଇଜି ଭାବେ ନିଯୁକ୍ତି ମିଳିଲା। କିନ୍ତୁ ଶ୍ରୀ କୋଏଲଙ୍କ ମାଧ୍ୟମରେ ସାଧାରଣ ନିର୍ବାଚନ ବୈତରଣୀ ପାର ହେବା ସହଜ ହେବନି ଜାଣିବା ପରେ ତାଙ୍କୁ ୨୦୧୯ ଫେବୃୟାରୀ ୧୨ରେ ବଦଳି କରି ଆଶିଷ ସିଂହଙ୍କୁ ଦାୟିତ୍ୱ ଦିଆଗଲା। ଶ୍ରୀ ସିଂହ ବିଜେଡି ନେତୃତ୍ୱଙ୍କୁ ସନ୍ତୁଷ୍ଟିକରଣରେ ଲାଗିପଡି ଦ୍ୱିତୀୟ କ୍ଷମତାକେନ୍ଦ୍ରକୁ ହଟ୍ କରିବାରୁ ଗତକାଲି ଏସଟିଏଫରୁ ବିଦାୟ ନେଲେ। ଦଳକୁ ମଜବୁତ୍ କରିବା ପାଇଁ ସରକାର ଏସଆଇଡବ୍ଲ୍ୟୁ ଏବଂ ଏସଟିଏଫକୁ ଉପଯୋଗ କରି ସଫଳତା ପାଉଥିବାବେଳେ ନୂଆ ଏସଟିଏଫ ଡିଆଇଜି ଜେଏନ୍ ପଙ୍କଜ ସରକାରଙ୍କୁ କିଭଳି ସନ୍ତୁଷ୍ଟ କରିବେ ତାହା ଆଗକୁ ଜଣାପଡିଯିବ।

Leave a Reply

Your email address will not be published. Required fields are marked *