Metro

ଖୋର୍ଦ୍ଧା ଡିଆରସିଏସ୍ ରୋଜାଲିନ୍ ସେନାପତି ଦ୍ଵନ୍ଦରେ

ଚିଲିକା, ଶୁଭ୍ ଭାରତ ଟାଇମ୍ସ, o୫.o୯- ଓଡିଶା ସମବାୟ ଆଇନକୁ ନଜର ଅନ୍ଦାଜ କରୁଛନ୍ତି ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିମିଟେଡ୍ (କେସିସିବି)ରେ କାର୍ଯ୍ୟରତ କେତେକ ପଦସ୍ଥ ଅଧିକାରୀ। ଏମାନଙ୍କ ନକାରାତ୍ମକ କାର୍ଯ୍ୟକଳାପରୁ ବ୍ୟାଙ୍କ ଅଧିନରେ ପରିଚାଳିତ ଜିଲ୍ଲାର ଅନେକ ଗୁଡିଏ ସମବାୟ ସମିତିରେ ତାଲା ଝୁଲିବା ସମୟ ଆଗତ। ଗରିବ ଚାଷୀ ସାମୟିକ ସରକାରୀ ସହାୟତା ପାଇଁ ଯେଉଁ ସମିତି ଉପରେ ବିଲକୁଲ୍ ନିର୍ଭରଶୀଳ, ସେମଧ୍ୟରୁ କେତେକ ସମିତିରେ ସମସ୍ୟା ଲାଗିରହିବା କାରଣରୁ ଏବେ ସେଗୁଡିକ ବନ୍ଦ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି କ୍ରମରେ ଦେଖିବାକୁ ଗଲେ କେସିସିବି, ଖୋର୍ଦ୍ଧାରେ ମହଜୁଦ୍ ଅଛି ଅନେକ ଦୃଷ୍ଟାନ୍ତ। ଇତି ମଧ୍ୟରେ ଖୋର୍ଦ୍ଧା ଡିଆରସିଏସ୍ ଦାୟିତ୍ୱ ନେଇଛନ୍ତି ରୋଜାଲିନ୍ ସେନାପତି। ପୁର୍ବରୁ ଏହି ପୋଷ୍ଟରେ ଥିବା ଅଧିକାରୀ ପ୍ରମୋଦ ମହାପାତ୍ର ସୋରଣ ସେବା ସମବାୟ ସମିତିରେ ଘଟିଥିବା ୪ କୋଟି ଇନସ୍ୟୁରାନ୍ସ ଦୁର୍ନୀତିକୁ ନେଇ ବିବାଦୀୟ ହୋଇପଡିବା ପରେ ସରକାର ବିଭାଗୀୟ ଦୋଷ ଦୁର୍ବଳତାକୁ ପଦାରେ ନପକାଇବା ଲକ୍ଷ୍ୟରେ ଶ୍ରୀ ମହାପାତ୍ର ଅବସର ନେବା ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନାହିଁ।

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ(କେସିସିବି)ର ବିଗତ ୨୦ ବର୍ଷର ରେକର୍ଡ ଯାଞ୍ଚ ତଥା ବିଭିନ୍ନ ଅଡିଟ୍ ରିପୋର୍ଟକୁ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ସେଥିରୁ ସ୍ପଷ୍ଟ ହେଉଛି କି କେସିସିବି’ରେ ଯେଉଁ କର୍ମଚାରୀମାନେ ବିଭିନ୍ନ ପଦ ପଦବୀରେ ରହି କାର୍ଯ୍ୟକାଳ ପୂର୍ଣ୍ଣ କରିଛନ୍ତି ଏବଂ ଯେଉଁମାନେ ଏଠାରୁ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି, ସର୍ବୋପରି ଯେଉଁମାନେ ଅଦ୍ୟାବଧି ସେଠାରେ ନିଯୁକ୍ତି ପାଇ କାର୍ଯ୍ୟ କରୁଛନ୍ତି; ଏହି ପଦବୀଧାରୀଙ୍କ କାର୍ଯ୍ୟକାଳରେ ଚିଲିକା ନିର୍ବାଚନମଣ୍ଡଳୀର ବାଲୁଗାଁ ଶାଖା ଅଧିନରେ ପରିଚାଳିତ ବାଣପୁର ସମବାୟ ସମିତି ଓ ସୋରଣ ସେବା ସମବାୟ ସମିତିରେ ଆକାଶଛୁଆଁ ଦୁର୍ନୀତି ହୋଇଥିଲା। କେସିସିବି, ଖୋର୍ଦ୍ଧାର ପଦାଧିକାରୀମାନେ ସରକାରୀ ଅର୍ଥକୁ ବାପା ସମ୍ପତି ଭଳି ଭାବିନେଇ ଲୁଟେରାଙ୍କ ସହ ହାତ ମିଳାଇଥିଲେ।

ବର୍ତ୍ତମାନର ଡିଜିଟାଲାଇଜେସନ୍ ପ୍ରକ୍ରିୟା, ମାର୍ ମାର୍ ଭଣ୍ଡାରିଆକୁ ମାର୍ ଭଳି ତଳିଆ କର୍ମଚାରୀଙ୍କ ପେଟରୁ ଦାନା ମୁଠାକ ଛଡାଇ ନେଉଛି। ଏନେଇ କୌଣସି ଆରଟିଆଇ ରିପୋର୍ଟ୍ କଥା ଛାଡିଦିଅନ୍ତୁ। ଆମେ ଏ ସଂକ୍ରାନ୍ତରେ କେସିସିବି ମୁଖ୍ୟାଳୟରୁ ଅବସର ନେଇଥିବା କେତେକ ପଦସ୍ଥ କର୍ମଚାରୀଙ୍କ ଠାରୁ ଯେଉଁସବୁ ତଥ୍ୟ ପାଇଛୁ, ତାହା ସ୍ପଷ୍ଟ କରୁଛି ଯେ, ବିଗତ ୨୦ ବର୍ଷ ମଧ୍ୟରେ ଯେଉଁ ଅଧିକାରୀମାନେ ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇଥିଲେ, ସେମାନଙ୍କ କାର୍ଯ୍ୟକାଳରେ ବିଭିନ୍ନ ସମବାୟ ସମିତିରେ ଚାଲିଥିବା ଦୁର୍ନୀତିକୁ ପ୍ରୋତ୍ସାହିତ କରାଯାଇଛି। ଘଟଣାର ନିରପେକ୍ଷ ତଦନ୍ତ କରାଗଲେ ସମଗ୍ର ଘଟଣା ପଦାକୁ ଆସିବାରେ କୌଣସି ବାଧାବିଘ୍ନ ରହିବନି। ହେଲେ କୁହାଯାଉଛି କି ଦୁର୍ନୀତିର ଯେତେ ଛାନଭିନ୍ କରାଗଲେ ବି ତଦନ୍ତର ଚୂଡାନ୍ତ ରୁପରେଖ ସରକାର ବିରୋଧରେ ଯିବ। ତେଣୁ ନବ ନିଯୁକ୍ତ ଡିଆରସିଏସ୍ ରୋଜାଲିନ୍ ସେନାପତି ଏଥିରେ ହାତ ମାରିବେନି।

ପୂର୍ବରୁ ଜିଲ୍ଲାର ବିଭିନ୍ନ ସମବାୟ ସମିତିର ଅଡିଟ୍ ରିପୋର୍ଟ ସ୍ପଷ୍ଟ କରିଛି ନବୀନ ପଟ୍ଟନାୟକ ଶାସନକାଳରେ ଯେଉଁ ଯେଉଁ ବିଭାଗ ଦୁର୍ନୀତିରେ ବୁଡି ରହିଥିଲେ, ଏହି ତାଲିକାର ଶୀର୍ଷରେ ଅଛି ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ(କେସିସିବି) ଅଧିନ ବାଲୁଗାଁ ଶାଖା ଦ୍ବାରା ପରିଚାଳିତ କେତେକ ସମବାୟ ସମିତି। ସେମଧ୍ୟରୁ ସର୍ବାଗ୍ରେ ରହିଛନ୍ତି ବାଣପୁର ଓ ସୋରଣ ସମବାୟ ସମିତି। ଚଷାପୁଅର ଶାଗଲୁଣ ସଂସାରକୁ ବଳ ଦେବା ପାଇଁ ରାଜ୍ୟ ସରକାର କୃଷିଋଣ ବ୍ୟବସ୍ଥା କରିଛନ୍ତି। ମାତ୍ର ଏହି ସମିତିରେ ଚାଲିଥିବା ଦୁର୍ନୀତିକୁ ଘଣ୍ଟ ଘୋଡାଯାଉଥିବା ଯୋଗୁ ହଜାର ହଜାର ଚାଷୀ ସମସ୍ୟା ଘେରରୁ ମୁକୁଳି ପାରୁନାହାଁନ୍ତି। ଏହି ଘଡିସନ୍ଧି ମୁହୂର୍ତ୍ତରେ ଖୋର୍ଦ୍ଧା ଡିଆରସିଏସ୍ ରୋଜାଲିନ୍ ସେନାପତି ଚାଷୀଙ୍କୁ ନ୍ୟାୟ ଦେବାରେ କେତେଦୂର ସଫଳ ହେବେ ତାହା ଦେଖିବାକୁ ବାକିଅଛି > ଚିଲିକାରୁ ସ୍ୱତନ୍ତ୍ର ପ୍ରତିନିଧି ହରିହର ରଣାଙ୍କ ରିପୋର୍ଟ, ଶୁଭ୍ ଭାରତ ଟାଇମ୍ସ

Leave a Reply

Your email address will not be published. Required fields are marked *