ମହାନଗର

ଲିଙ୍ଗରାଜଙ୍କ ଜମିରେ ବେଆଇନ୍‌ ନିର୍ମାଣ: ଦେଢ଼ ଦିନ ପରେ ସ୍ୱାଭାବିକ ହେଲା ନୀତିକାନ୍ତି

ଭୁବନେଶ୍ୱର(ଏକାମ୍ର), ଶୁଭ୍ ଭାରତ ଟାଇମ୍ସ, o୪.o୯- ଦେଢ଼ ଦିନ ପରେ ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ବୁଧବାର ଅପରାହ୍ନରେ ଦେବୋତ୍ତର କମିଶନଙ୍କ ଲିଖିତ ପ୍ରତିଶ୍ରୁତି ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରର ନୀତିକାନ୍ତି ସ୍ୱାଭାବିକ ହୋଇଛି ବୋଲି ବ୍ରାହ୍ମଣ ନିଯୋଗ ସଭାପତି ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି।

ଗଙ୍ଗୁଆ ନଦୀ କୂଳ ଜମିରେ ବଡୁ ନିଯୋଗର ନିର୍ମାଣକୁ ନେଇ ଏହି ବିବାଦ ଉପୁଜିଥିଲା। ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଏହି ନିର୍ମାଣକୁ ବିରୋଧ କରି ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରଖିଥିଲେ। ମହାପ୍ରଭୁ ଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗ ବେଆଇନ୍‌ ନିର୍ମାଣ କରୁଥିବା ସେମାନେ ଅଭିଯୋଗ କରିଥିଲେ। ସେପାଖେ ଅଭିଯୋଗକୁ ଖଣ୍ଡନ କରିଥିଲେ ବଡୁ ନିଯୋଗ। ବିବାଦୀୟ ଜମିକୁ ନିଜର ବୋଲି ବଡୁ ନିଯୋଗ ଦାବି କରିଥିଲେ। ଏହା ଦୀର୍ଘ ୪ ଶହରୁ ଅଧିକ ବର୍ଷ ଧରି ବଡ଼ୁ ନିଯୋଗ ନାଁରେ ରହିଛି। ତେବେ ଏବେ କାହିଁକି ଏହାକୁ ନେଇ ବିବାଦ ଦେଖାଦେଲା ବୋଲି ବଡୁ ନିଯୋଗ ପାଲଟା ଅଭିଯୋଗ କରିଥିଲେ।

ଅନ୍ୟପକ୍ଷରେ ବଡ଼ୁ ନିଯୋଗର ନିର୍ମାଣକୁ ମନ୍ଦିର ପ୍ରଶାସନ ବେଆଇନ୍‌ ଦର୍ଶାଇଥିଲା। ଜମି ମହାପ୍ରଭୁ ଲିଙ୍ଗରାଜଙ୍କର, ଏହାକୁ ସୁରକ୍ଷା ଦେବା ପାଇଁ କେବଳ ସେବାୟତମାନେ ଦାୟିତ୍ୱ ନେଇଥିଲେ। ତେଣୁ ଏହା ସମ୍ପୂର୍ଣ୍ଣ ଭାବେ ଲିଙ୍ଗରାଜଙ୍କର ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ।

ଏହି ମାମଲାକୁ ନେଇ ଗତକାଲି ଏକ ବୈଠକ ବସିଥିଲା। କିନ୍ତୁ ବୈଠକରେ କୌଣସି ସମାଧାନ ବାହାରି ପାରିନଥିଲା। ପ୍ରକାରାନ୍ତରେ ନିଜ ଜିଦ୍‌ରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଅଟଳ ରହିଥିଲେ। କିନ୍ତୁ ଦେବୋତ୍ତର କମିଶନଙ୍କ ଲିଖିତ ପ୍ରତିଶ୍ରୁତି ପରେ ଅବକାଶ ନୀତି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି > ଏକାମ୍ର, ଭୁବନେଶ୍ୱରରୁ ସ୍ୱତନ୍ତ୍ର ପ୍ରତିନିଧି ଲିଙ୍ଗରାଜ ମହାନ୍ତିଙ୍କ ରିପୋର୍ଟ, ଶୁଭ୍ ଭାରତ ଟାଇମ୍ସ

Leave a Reply

Your email address will not be published. Required fields are marked *