Metro

ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ନୂଆ ମୁହଁ

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ, ୨୦/୩ (ବ୍ୟୁରୋ)- ବଦଳିବ ସମୀକରଣ। କଂଗ୍ରେସ ଦଳକୁ ଚୁନ ଲଗାଇ ବିଜେଡିରେ ଯୋଗ ଦେଇଥିବା ଚିଲିକା ନିର୍ବାଚନ ମଣ୍ଡଳୀର ଦୁଇ ଜଣ ନେତା ଆଗକୁ ଲଣ୍ଠନ ଧରିବା ନିଶ୍ଚିତ। ଏଠାରୁ ବିଜେଡି ଟିକେଟ କାହାରିକୁ ମିଳିବ ସେନେଇ ଚିଲିକା ଭୋଟରଙ୍କ ଉତ୍କଣ୍ଠା ବଢିଚାଲିଛି। ମାତ୍ର ବିଜେଡି ରାଜ୍ୟ କାର୍ଯ୍ୟାଳୟରୁ ଏବେ ଯେଉଁ ସୂଚନା ଆସିଛି ସେଥିରୁ ସ୍ପଷ୍ଟ ହୋଇଛି କି ଚିଲିକାରେ ବିଜେଡି ଦେବ ନୂଆ ମୁହଁ। ଏହି ଦୌଡରେ ଯେଉଁ ଦୁଇ ଜଣ ଅଛନ୍ତି ସେମାନଙ୍କ ବିଷୟରେ କହିବା ପୂର୍ବରୁ ପ୍ରଥମେ ଦଳର ଦୁଇ ଆଶାୟୀଙ୍କ ବିଷୟରେ କିଛି ଜାଣିବା।

ଆଜ୍ଞା ହଁ, ଆପଣ ଯେଉଁ ନେତାଙ୍କ ବିଷୟରେ ଭାବୁଛନ୍ତି, ମୁଁ ସେହି ପୁର୍ବତନ ବିଧାୟକ ରଘୁନାଥ ସାହୁ ଓ ମାନସ ମଙ୍ଗରାଜଙ୍କ ରାଜନୈତିକ ଦକ୍ଷତା ପ୍ରସଙ୍ଗରେ ସଂଶୟ ଦୂର କରିବାକୁ ଚେଷ୍ଟା କରୁଛି। ଏହି ୨ ଜଣ ନେତା କଂଗ୍ରେସ ଦଳ ଛାଡି ବିଜେଡିରେ ଯୋଗଦେଇଥିଲେ, ଏବଂ ୨୦୧୯ ବିଧାନସଭା ନିର୍ବାଚନରେ ଚିଲିକାରୁ ବିଜେଡି ଟିକେଟରେ ଲଢିବାକୁ ପରସ୍ପର ମଧ୍ୟରେ ବଳ କଷାକଶି ଆରମ୍ଭ କରିଦେଇଥିଲେ। ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁହେବା ପୂର୍ବରୁ ଉଭୟ ନେତା ନିଜ ନିଜ ସାଙ୍ଗରେ କିଛି କିଛି ସମର୍ଥକଙ୍କୁ ଆଣି ନବୀନ ନିବାସରେ ଦକ୍ଷତା ପ୍ରଦର୍ଶନ କଲେ। ଆଶାବାଦୀ ହେବା ନେତାଙ୍କର ସ୍ୱାଭାବିକ ଲକ୍ଷଣ। ହେଲେ ଭୋଟରଙ୍କ ପ୍ରତିନିଧି ହେବା ଲାଗି ଯେଉଁ ତ୍ୟାଗ ଆବଶ୍ୟକ ଏମାନଙ୍କ ଠାରେ ତା’ର ଅଭାବ ବୋଲି ଗୁଇନ୍ଦା ବିଭାଗ ନବୀନଙ୍କୁ ସୂଚନା ଦେଇସାରିଛି। ଯେଉଁଥିପାଇଁ ଚଳିତ ନିର୍ବାଚନ ଋତ୍ତୁରେ ରଘୁ ଓ ମାନସ ନିଜ ନିଜ ସ୍ଥିତି ଠଉରେଇ ସାରିଲେଣି। ମୁଖ୍ୟମନ୍ତ୍ରୀଙ୍କ ଉଇନିବିଲିଟି ଫର୍ମୁଲାରେ ୨୦୧୯ ନିର୍ବାଚନରେ ମୈଦାନକୁ ଓହ୍ଲାଇବା ଅତ୍ୟନ୍ତ କଷ୍ଟସାଧ୍ୟ। ଟିକେଟରୁ ବାଦ୍ ପଡିବା ସହ ଆସନ୍ତା ୫ ବର୍ଷ ପରେ ଏମାନଙ୍କ ଅବସ୍ଥା ଏଭଳି ହେବଯେ, ତା’ପରେ ଦଳ ମଧ୍ୟରେ ନିଜ ନିଜର ଉପସ୍ଥିତି କୌଣସି ଗୁରୁତ୍ୱ ବହନ କରିବନି।

ସେପାଖେ ବିଜୁ ଜନତା ଦଳରୁ ଟିକେଟ ନେବା ଲାଗି ଆଉ ଯେଉଁ ଦୁଇ ନୂଆ ଆଶାୟୀଙ୍କ ବିଷୟରେ ସୂଚନା ମିଳିଛି, ସେମଧ୍ୟରୁ ଜଣେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗୁଣ୍ଡୁରପୁର ନିବାସୀ ବରିଷ୍ଠ ସମାଜସେବୀ ନୀଳମଣି ପଣ୍ଡା। ଯିଏକି ଚଳିତ ନିର୍ବାଚନରେ ବିଜୁ ଜନତା ଦଳରୁ ପ୍ରାର୍ଥୀ ହେବା ଆଶାରେ ନବୀନ ନିବାସ ସହ ଯୋଗାଯୋଗରେ ଅଛନ୍ତି। ଚିଲିକା ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ପତିଆରା ହ୍ରାସ ପାଇବା ତଥା ସଙ୍ଗଠନରେ ଲାଗି ରହିଥିବା ଆଭ୍ୟନ୍ତରୀଣ ବିବାଦ ଯୋଗୁଁ ଏଠାରେ ବିଜେଡି ପ୍ରାର୍ଥୀଙ୍କ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ନୀଳମଣିଙ୍କ ଆଗମନ ଭୋଟରଙ୍କୁ କୌଣସି ଦ୍ୱନ୍ଦରେ ପକାଇବନି ବୋଲି ଶୁଣାଯାଉଛି।

ଚିଲିକାରୁ ବିଜେଡି ଟିକେଟ ପାଇବା ଆଶାରେ ଆଉ ଯାହାଙ୍କ ସମ୍ପର୍କରେ ମୁଁ ଜଣାଇବାକୁ ଯାଉଛି, ତାଙ୍କ ସମ୍ପର୍କରେ ଶୁଣି ଆପଣ ମଧ୍ୟ ଭାବନାରେ ମଜ୍ଜିଯିବେ। କ୍ଷମତାରେ ବସିବାର ଲକ୍ଷ ନିଜ ପ୍ରଖର ମାନସିକ ବ୍ୟବସ୍ଥାକୁ କିଭଳି ଦୋହଲାଇ ଦିଏ ତାହାର ହୁଏତ ଆଉ ଏକ ଉଦାହରଣ ସୃଷ୍ଟି ହେବ ବହୁ ଚର୍ଚ୍ଚିତ ଚିଲିକା ନିର୍ବାଚନ ମଣ୍ଡଳୀରେ। କାରଣ ବିଜେଡି ଟିକେଟରେ ଚିଲିକାରୁ ପ୍ରାର୍ଥୀ ହେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଆଉ ଯାହାର ବାୟୋଡାଟା ଯାଇଛି, ସେ ହେଲେ ଚିଲିକା ବିଧାୟକ ଡାକ୍ତର ବିଭୁତିଭୂଷଣ ହରିଚନ୍ଦନଙ୍କ ସୁପୁତ୍ରୀ ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଝିଆରୀ ଶ୍ରୀକତା ଦାସ (ହରିଚନ୍ଦନ)। ନିଳମଣୀ କିମ୍ବା ଶ୍ରୀକତା, କାହା ଭାଗ୍ୟରେ ଟିକେଟ ଲେଖା ଅଛି ତାହା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଜଣା। କିନ୍ତୁ କଥାଟି ଏଇଥିପାଇଁ ଗୁରୁତ୍ୱ ବହନ କରୁଛି କି ଏହି ଲଢେଇ ନିଳମଣୀ ପଣ୍ଡା ଭର୍ସେସ ପୃଥିରାଜ ହରିଚନ୍ଦନ କିମ୍ବା ଶ୍ରୀକତା ଦାସ (ହରିଚନ୍ଦନ) ଭର୍ସେସ ପୃଥିରାଜ ହରିଚନ୍ଦନ ଭାବେ ନିଶ୍ଚିତ ରୂପେ ପ୍ରସଙ୍ଗ ଛିଡାକରିବ।
୨୦୧୪ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ଭାଜପାରୁ ପ୍ରତିଦ୍ୱନ୍ଦିତା କରି ହାରିଥିବା ପୃଥିରାଜ ହରିଚନ୍ଦନ ଚଳିତ ନିର୍ବାଚନରେ ଚିଲିକା ବିଧାନସଭା ଆସନରୁ ଲଢିବେ। ଏ ବିଷୟରେ ତାଙ୍କ ପିତା ବିଶ୍ୱଭୂଷଣ ହରିଚନ୍ଦନ ଦୀର୍ଘଦିନ ତଳେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରାସଙ୍ଗିକ ଚର୍ଚ୍ଚାର ସାରାଂସ ଟି ହେଲା, ନବୀନ ଏଠାରେ ବିଜୁ ଜନତା ଦଳ ଓ ଭାଜପା ମଧ୍ୟରେ ଲଢେଇକୁ ସ୍ୱୀକୃତ୍ତି ଦେବେ ନା ଭଉଣୀ ଓ ଭାଇ ମଧ୍ୟରେ!

Leave a Reply

Your email address will not be published. Required fields are marked *