Religion

ବଡ଼ଗଡ଼ ନେତାଜୀ କ୍ଲବ୍ ପକ୍ଷରୁ ‘ମାଟି ଅନୁକୂଳ’

ଭୁବନେଶ୍ୱର(ଏକାମ୍ର), ଶୁଭ୍ ଭାରତ ଟାଇମ୍ସ, o୪.o୯ – ଆସନ୍ତା ଆଶ୍ୱିନ ମାସ ଶୁକ୍ଲ ପକ୍ଷରେ ପାଳିତ ହେବ  ମା’ ଦୁର୍ଗାଦେବୀଙ୍କର ପାରମ୍ପରିକ ଦଶହରା ପର୍ବ। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ କାର୍ଯ୍ୟ ସମ୍ପଣ୍ଣ ହୋଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବଡ଼ଗଡ଼ ନେତାଜୀ ଯୁବକ ସଂଘର ସଦସ୍ୟବୃନ୍ଦ ମଙ୍ଗଳବାର କ୍ଲବ୍ ପରିସରରେ ୪୩ତମ ହରପାର୍ବତୀ ପୂଜା ଲକ୍ଷରେ ମାଟି ଅନୁକୂଳ ସମ୍ପାଦନ କରିଛନ୍ତି।

ନେତାଜୀ ଯୁବକ ସଂଘ ସଭାପତି ସନ୍ତୋଷ ସିଂହଙ୍କ ତତ୍ତ୍ୱାବଧାନରେ ସଂଘର କର୍ମକର୍ତ୍ତାମାନେ ପୁରୀ ଶ୍ରୀମନ୍ଦିର ଅଧିଷ୍ଠାତ୍ରୀ ମା’ ବିମଳାଙ୍କୁ ପ୍ରାର୍ଥନା କରି ମା’ଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସଂଘ କାର୍ଯ୍ୟାଳୟରୁ ବାହାରି ବାଙ୍କୁଆଳ ଅଧୀଶ୍ୱର ବାବା ବାଙ୍କୁଲେଶ୍ୱର ମନ୍ଦିର ପାର୍ଶ୍ଵରେ ଥିବା ବେଲବୃକ୍ଷ ତଳେ ବିଧିବିଧାନ ଅନୁସାରେ ପ୍ରସ୍ତୁତି ଆରମ୍ଭ କରିଥିଲେ।

ବଡ଼ଗଡ଼ ନେତାଜୀ ଯୁବକ ସଂଘ ପକ୍ଷରୁ ବିଗତ ୪୨ ବର୍ଷ ଧରି ପ୍ରତି ପାର୍ବଣ ଋତୁରେ ଏହି ପାବନ କ୍ଷେତ୍ରର ଅଧୀଶ୍ୱର ହରପାର୍ବତୀଙ୍କ ଦଶହରା ପର୍ବ ଧୂମଧାମରେ ପାଳିତ ହୋଇଆସୁଛି। ବର୍ତ୍ତମାନ ଆଗାମୀ ପର୍ବର ଅବ୍ୟବହିତ ପୂର୍ବରୁ ହରପାର୍ବତୀଙ୍କ ମୂର୍ତ୍ତି ତିଆରି କରାଯିବା ନିମନ୍ତେ ‘ମାଟି ଅନୁକୂଳ’ ଧାର୍ଯ୍ୟ ହୋଇଥିଲା।

ଏନେଇ ସମସ୍ତ ସଂଘ ସଦସ୍ୟ ଓ ବଡ଼ଗଡ଼ ଗ୍ରାମର ବହୁ ଶ୍ରଦ୍ଧାଳୁ ଭକ୍ତ ଏକତ୍ରିତ ହୋଇ ଟଙ୍କପାଣି ରୋଡ୍ ପାର୍ଶ୍ଵ କୂଆଖାଇ ନଦୀର ବାବା ବାଙ୍କୁଲେଶ୍ୱର ମନ୍ଦିର ଘାଟରେ ଦିବ୍ୟ ପାରମ୍ପରିକ ପୁଜାବିଧି ସମ୍ପାଦନ କରି ମାଟି ଅନୁକୂଳ କରିଥିଲେ। ଚଳିତବର୍ଷ କ୍ଲବ୍ ପରିସରରେ ହରପାର୍ବତୀଙ୍କ ପୂଜାରେ ଯେଭଳି କୌଣସି ବାଧାବିଘ୍ନ ନଘଟିବ ସେଥିପାଇଁ ସଂଘ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ସଭାପତି ଶ୍ରୀ ସିଂହ ସୂଚନା ଦେଇଛନ୍ତି > ଏକାମ୍ର, ଭୁବନେଶ୍ୱରରୁ ସ୍ୱତନ୍ତ୍ର ପ୍ରତିନିଧି ଲିଙ୍ଗରାଜ ମହାନ୍ତିଙ୍କ ରିପୋର୍ଟ, ଶୁଭ୍ ଭାରତ ଟାଇମ୍ସ

Leave a Reply

Your email address will not be published. Required fields are marked *