National

ରାଜସ୍ଥାନରେ ଟିକେଟ ବଣ୍ଟନ ପ୍ରସ୍ତୁତି

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ରାଜସ୍ଥାନ ବିଧାନସଭା ନିର୍ବାଚନରେ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ ଭାଜପା ଓ କଂଗ୍ରେସ ଦଳ ଉଭୟ ଏବେ ନିର୍ବାଚନ ଅଭିଯାନ ଛାଡି ଟିକେଟ ବଣ୍ଟନ ପାଇଁ ପ୍ରସ୍ତୁତି ଚଲାଇଛନ୍ତି। କଂଗ୍ରେସ ଯେତେବେଳେ ଦିଲ୍ଲୀ ମୁଖ୍ୟାଳୟରେ ଟିକେଟ ବିତରଣ ପାଇଁ ଗଠିତ ସ୍କ୍ରିନିଂ କମିଟିର ମାର୍ଗଦର୍ଶିକାକୁ ପାଥେୟ କରିଛି, ସେପକ୍ଷରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଜୟପୁରର ଏକ ହୋଟେଲରେ ଭାଜପା କୋର କମିଟି ସହ ଟିକେଟ ବଣ୍ଟନ ଉପରେ ତର୍ଜମା କରୁଛନ୍ତି। ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରାୟ ୮୦ ଟି ନିର୍ବିବାଦୀୟ ଆସନ ଲାଗି ପ୍ରାର୍ଥୀ ନିର୍ଦ୍ଧାରିତ କରିସାରିଛନ୍ତି। କୁହାଯାଉଛି କି ସେ ଏବେ ଦିଲ୍ଲୀରେ ପହଁଞ୍ଚିବେ। ଯେଉଁଠି ୩୧ ଅକ୍ଟୋବର ଓ ୧ ନଭେମ୍ବରରେ ଦିଲ୍ଲୀରେ ପାର୍ଲ୍ୟାମେଣ୍ଟ ବୋର୍ଡରେ ୮୦ ଆଶାୟୀଙ୍କ ଲିଷ୍ଟ୍ ଆସିଯିବ ଏବଂ ଏଥିପାଇଁ ସବୁଜ ସଙ୍କେତ ମିଳିବା କ୍ଷଣି ୫ ନଭେମ୍ବରରେ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା ହେବ।

ଏହା ପୂର୍ବରୁ ରାଜସ୍ଥାନର ପ୍ରଭାରୀ ଭାବେ ନିଯୁକ୍ତ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଏବଂ କୃଷି ରାଜ୍ୟମନ୍ତ୍ରୀ ଗଜେନ୍ଦ୍ର ସିଂଙ୍କ ସମେତ କୋର୍ କମିଟିର ସଦସ୍ୟଙ୍କ ସହ ମିଶି ମୂଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରାୟ ୮୦ ଟି ଆସନର ନାମ ବାଛିବା ସହ ଏକ ଲିଷ୍ଟ୍ ପ୍ରସ୍ତୁତ କରିଛନ୍ତି। କିନ୍ତୁ ଏଠାରେ ଦେଖିବା କଥା ଭାଜପାରେ ଟିକେଟ ବଣ୍ଟନକୁ ନେଇ କେନ୍ଦ୍ରୀୟ ନେତୃତ୍ୱ ଏବଂ ବସୁନ୍ଧରା ରାଜେଙ୍କ ମଧ୍ୟରେ ସବୁକିଛି ଠିକଠାକ୍ ଚାଲିନାହିଁ। ବସୁନ୍ଧରାଙ୍କ ଇଲାକା ଧୋଲପୁରରେ ସୋମବାର ଭାଜପା ଜିଲ୍ଲା ଅଧ୍ୟକ୍ଷ ପାର୍ଲ୍ୟାମେଣ୍ଟ ବୋର୍ଡର ବିନା ଅନୁମତିରେ ଭାଜପା ଲେଟର ହେଡରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଘୋଷଣା କରିଛନ୍ତି କି ଧୋଲପୁର ଆସନରେ ଭାଜପାରୁ ଆଶାରାଣୀ କୁଶବାହା ପ୍ରାର୍ଥୀ ହେବେ। ଏହାକୁ ନେଇ ଅସନ୍ତୋଷ ଦେଖାଯିବାରେ ଜିଲ୍ଲା ଅଧ୍ୟକ୍ଷ କହିଛନ୍ତି କି ରାଜ୍ୟ ମୁଖ୍ୟଙ୍କ ଠାରୁ ସବୁଜ ସଙ୍କେତ ମିଳିବା ପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

ନାମ ଘୋଷଣା ହେବା ମାତ୍ରେ ଆଶାରାଣୀ କୁଶବାହା ପ୍ରଚାର ଆରମ୍ଭ କରିଦେଇଛନ୍ତି। ଯେତେବେଳେ କି ଭାଜପା ପକ୍ଷରୁ ଏବଂ ପାର୍ଲ୍ୟାମେଣ୍ଟାରୀ ବୋର୍ଡ ପକ୍ଷରୁ ଏପର୍ଯ୍ୟନ୍ତ କାହାରି ନାମ ଘୋଷଣା କରାଯାଇନାହିଁ। ତେବେ ମୂଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏହା ଦେଖିବାକୁ ଚାହିଁରହିଛନ୍ତି ଯେ କେନ୍ଦ୍ରୀୟ ନେତୃତ୍ୱ ତାଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଛନ୍ତି କି ନାହିଁ। ସେପାଖେ କଂଗ୍ରେସ ପକ୍ଷରୁ ଟିକେଟ ବଣ୍ଟନ ପାଇଁ ଗଠିତ ସ୍କ୍ରିନିଂ କମିଟିରେ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି କି କଂଗ୍ରେସର ମହାସଚିବ ଏବଂ ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କୁ ମଧ୍ୟ ସଭ୍ୟ କରାଯାଇଛି, ଅର୍ଥାତ୍ ଟିକେଟ ବିତରଣରେ ଯେମିତି ଭାବରେ ଗେହେଲେଟ୍ ଓ ସଚିନ ପାଇଲଟଙ୍କର ପ୍ରସ୍ତାବ ରହିଛି, ଟିକେଟ ବିତରଣରେ ତାଙ୍କର ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯିବ। ମାତ୍ର କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୭୦ଟି ଆସନର ପ୍ରାର୍ଥୀ ତାଲିକା ଘୋଷଣା କରାଯିବ, ଯେଉଁ ଆସନକୁ ନେଇ କୌଣସି ବିବାଦ ନାହିଁ।

Leave a Reply

Your email address will not be published. Required fields are marked *