National

ମହାରାଷ୍ଟ୍ର ସରକାର ସମ୍ଭାଳିବେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ, ଶୁଭ୍ ଭାରତ ଟାଇମ୍ସ, ୨୬.୧୧- ବଦଳିଲା ସମୀକରଣ। ୧୯୬୬ ମସିହାରୁ ୨୦୧୯ ଯାଏଁ ଶିବସୈନିକଙ୍କ ୫୩ ବର୍ଷର ସଂଘର୍ଷ ପରେ ଆଜି ଦଳକୁ ମିଳିବାକୁ ଯାଉଛି ବୃହତ ସଫଳତା। ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା ପରେ ମୁଖ୍ୟମନ୍ତ୍ରୀ ଆସନ ମଣ୍ଡିତ କରିବେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ। ପରିବାରର ପ୍ରଥମ ସଦସ୍ୟ ହିସାବରେ ଉଦ୍ଧବ ଏହି ପଦବୀରେ ବସିବାକୁ ଯାଉଛନ୍ତି। ସେ କଂଗ୍ରେସ, ଏନ୍‌ସିପି ଏବଂ ଶିବସେନାକୁ ନେଇ ଗଠିତ ମହା ବିକାଶ ଅଘାଦି ମେଣ୍ଟର ନେତୃତ୍ୱ ନେବେ।

ନିକଟରେ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ଏବଂ ଶିବସେନା ମଧ୍ୟରେ ମେଣ୍ଟ ହୋଇଥିଲା। ଏଥିରେ ବିଜେପି ୧୦୫ଟି ଏବଂ ଶିବସେନା ୫୬ଟି ଆସନ ପାଇଥିଲେ। ପରୋକ୍ଷରେ ବିରୋଧୀ କଂଗ୍ରେସ ଏବଂ ଏନ୍‌ସିପି ମେଣ୍ଟ ମଧ୍ୟରୁ ଏନସିପିକୁ ୫୪ ଓ କଂଗ୍ରେସକୁ ୪୪ ଆସନ ସହ ମେଣ୍ଟ ୯୮ଟି ଆସନରେ ସୀମିତ ଥିଲା। ହେଲେ ଶିବସେନାର ମୁଖ୍ୟମନ୍ତ୍ରୀ ପଦ ଓ ଅର୍ଦ୍ଧେକ କ୍ଷମତା ଦାବିକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା।

ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବାପରେ ଆସନ୍ତା ୬ ମାସ ମଧ୍ୟରେ ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହେବା ଜରୁରୀ। ଗତ ଅକ୍ଟୋବର ୨୧ରେ ମହାରାଷ୍ଟ୍ରରେ ମତଦାନ ଏବଂ ୨୪ରେ ଭୋଟ୍ ଗଣତି ସରିଥିଲା। ଏହି ନିର୍ବାଚନରେ ଶିବସେନା ପ୍ରମୁଖ ବାଲାସାହେବ୍ ଠାକ୍‌ରେଙ୍କ ନାତି ତଥା ଉଦ୍ଧବଙ୍କ ପୁତ୍ର ଆଦିତ୍ୟ ୱରିଲ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି। ଆଦିତ୍ୟ ଦଳର ଯୁବସେନା ମୁଖ୍ୟ ଭାବେ ପ୍ରତିନିଧିତ୍ଵ କରୁଥିଲେ।

ବାଲାସାହେବଙ୍କ ପରଲୋକ ପରେ ୧୯୬୦ ମସିହା ଜୁଲାଇ ୨୭ରେ ଜନ୍ମିତ ଉଦ୍ଧବ ୨୦୧୨ ମସିହାରେ ଶିବସେନା ନେତୃତ୍ୱ ସମ୍ଭାଳିଥିଲେ। ଉଦ୍ଧବ ଶିବସେନାର ମୁଖପତ୍ର ‘ସାମ୍ନା’ରୁ ତାଙ୍କ ରାଜନୀତିକ ଜୀବନ ଆରମ୍ଭ କରିଥିଲେ। ୨୦୦୨ ମସିହାରେ ଉଦ୍ଧବଙ୍କ ନେତୃତ୍ୱରେ ଶିବସେନା ମୁମ୍ବାଇ ପୌର ନିର୍ବାଚନରେ ଖୁବ୍ ସଫଳତା ପାଇଥିଲା। ୨୦୦୩ ସେ ଦଳର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ନେଲେ। ତାଙ୍କ ସମ୍ପର୍କୀୟ ଭାଇ ତଥା ବାଲାସାହେବଙ୍କ ଅନ୍ୟତମ ଘନିଷ୍ଠ ରାଜ୍‌ ଠାକ୍‌ରେ ମହାରାଷ୍ଟ୍ର ନବନିର୍ମାଣ ସେନା ଗଠନ କରିଥିଲେ। ହିନ୍ଦୁତ୍ୱ ରାଜନୀତି ପାଇଁ ପରିଚିତ ଶିବସେନାର ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେ କଂଗ୍ରେସ ଏବଂ ଏନ୍‌ସିପିକୁ ବିଭିନ୍ନ ସମୟରେ କଡ଼ା ସମାଲୋଚନା କରିଆସିଥିଲେ ମଧ୍ୟ ଚଳିତ ନିର୍ବାଚନରେ ବିଜେପିର କ୍ଷମତା ରାଜନୀତି ବିରୋଧରେ ଶିବସେନା କଡା ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *