National

ପିଠି ଥାପୁଡେଇ ପ୍ରବଞ୍ଚନାର ବ୍ୟବସ୍ଥା

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ତିତଲି ଦ୍ୱାରା ପ୍ରଭାବିତ ଗଜପତି ଜିଲ୍ଲା ରାୟଗଡା ବ୍ଳକ ଓ ଗଞ୍ଜାମ ଜିଲ୍ଲାର ଆସ୍କା, ମଙ୍ଗଳପୁର, ଜଗମୋହନ, ପଟୁ, ନନ୍ଦିଘର, ଜାହାଡା ଆଦି ଅଞ୍ଚଳକୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିଦର୍ଶନ କରିଥିଲେ। ଗସ୍ତ କାଳରେ ଶ୍ରୀ ପ୍ରଧାନ ସ୍ଥାନୀୟ ଜନସାଧାରଣଙ୍କ ସହ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।

ବାତ୍ୟା ପର୍ବରୁ ପ୍ରଶାସନ ପକ୍ଷରୁ କୌଣସି ସତର୍କ ସୂଚନା ଦିଆଯାଇନଥିଲା ବୋଲି ସ୍ଥାନିୟ ଲୋକ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି। କୌଣସି ଅଧିକାରୀ ଆଦିବାସୀମାନଙ୍କୁ ପଶୁ ସମ୍ପଦ ମୃତ୍ୟୁ ସମ୍ପର୍କରେ ଆସି ପଚାରି ବୁଝିନଥିବା ତାଙ୍କର ନଜରକୁ ଅଣାଯାଇଛି।

ପ୍ରତିକ୍ରିୟାରେ ଧର୍ମେନ୍ଦ୍ର କହିଲେ କି, ନୂଆ ଅନୁଭବ ହେଲା ସରକାର ତାଙ୍କର ପ୍ରସ୍ତୁତିର କାମ ଦୁଇଟି ବିଷୟରେ ସିମିତ ରଖିଲେ। ପୁଣି ମନକୁ ମନ ବନେଇ ନେଲେ ଯେ ଇଏ(ତିତଲି) ଗୋପାଳପୁର ଆଖପାଖରେ କୋଉଠି ପହଁଚିବ। ଆଉ ଆମେ ଏତେ ଲକ୍ଷ ଲୋକଙ୍କୁ ବାହାର କରିନେଇଛୁ ଜିରୋ କାଜ୍ୟୁଆଲଟି କରେଇବୁ।

ଏଇ ଜିରୋ କାଜ୍ୟୁଆଲଟିର ମୋହରେ ପ୍ରଶାସନ ନିଜର ଦାୟିତ୍ୱ ଭୂଲିଗଲା। କୋଉ ଭଳିଆ ଭାବେ ବର୍ଷା ହବ; କେତେ ବର୍ଷା ହବ, କୋଉ ଅଞ୍ଚଳକୁ ଏହାର ଗତି ହବ, ଏହାର କୌଣସି ତଦାରଖର ବ୍ୟବସ୍ଥା ରହିଲା ନାହିଁ। ସେଥିପାଇଁ ଓଡିଶାରେ ଏକ ଅଭାବନୀୟ ପରିସ୍ଥିତି ହେଇଛି। ମୁଁ ଆଜି ସକାଳୁ ବୁଲୁଥିଲି ଗଜପତି ଜିଲ୍ଲାର ରାୟଗଡା ବ୍ଳକରେ। ଆଜି ବି ମୃତ ଦେହ ମିଳୁଛି। ଗୋଟିଏ ଛୋଟ ଝିଅର ଶବ ଆଜି ପାଇକି ତାର ବାପ ବସ୍ତାରେ ଭର୍ତ୍ତି କରିକି ନଉଥିଲା।”

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ କି, ପ୍ରଶାସନ ତଳେ ନାହିଁ। ବିଜୁଳି ନାହିଁ, ରାସ୍ତାଘାଟ ବ୍ୟାପକ ଭାବେ କଟିକି ଅଛି। ରିଲିଫ ବଣ୍ଟାରେ ବ୍ୟାପକ ଅବ୍ୟବସ୍ଥା ହେଇଛି।ଗଞ୍ଜାମ ଜିଲ୍ଲାର ଆସ୍କା ଭଳିଆ ବ୍ୟବସାୟିକ ସହର, ଏଇଠି ମତେ ବନ୍ଧୁମାନେ ଦେଖଉଥିଲେ ଆସ୍କାର ମେନ୍ ବଜାରରେ ୧୨ ଫୁଟର ମାନେ ୨ ମୁଣ୍ଡର ପାଣି, ୧୮ ଫୁଟର ପାଣି; କଣ ହେଇଗଲା ଏଠି। ନିଜେ ମୁଖ୍ୟମନ୍ତ୍ରୀ ଏଇ ଅଞ୍ଚଳକୁ ଲମ୍ବା ସମୟ ଧରି ପ୍ରତିନିଧିତ୍ୱ କରୁଛନ୍ତି। ଜଳ ସମ୍ପଦ ବିଭାଗ, ତାଙ୍କ ଦାୟିତ୍ୱରେ ଅଛି।ସବୁ ବିଷୟକୁ ଗୋଟିଏ ପର୍ଯ୍ୟାଲୋଚନା କଲେ ଜଣାପଡୁଛି ଯେ ଏଇଠି ରାଜ୍ୟର ଶାସନ କରିକି ଯେ କିଛି ନାହିଁ। କେବଳ ନିଜ ପିଠି ଥାପୁଡେଇବାରେ ଏକ ପ୍ରବଞ୍ଚନାର ବ୍ୟବସ୍ଥା ଅଛି। ଓଡିଆ ଲୋକ, ଓଡିଶା ଲୋକ, ଗଞ୍ଜାମ ଗଜପତି ଲୋକ ଭାଷିକି ଯାଆନ୍ତୁ, ବାତ୍ୟାରେ ପ୍ରପିଡ ହୁଅନ୍ତୁ, ମୃତ୍ୟୁ ମୁଖକୁ ଯାଆନ୍ତୁ ଚିନ୍ତା ନାହିଁ। ଆମର ବାହା ବାହା ଦରକାର” ବୋଲି ସିଧାସଲଖ ବିଜୁ ଜନତା ଦଳ ସୁପ୍ରିମୋ ନବିନଙ୍କୁ ଆକ୍ଷେପ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେ ଶେଷରେ ସ୍ଥାନିୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଗଲେ ଯେ, “ତିତଲି କ୍ଷୟକ୍ଷତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଅବଗତ କରାଇବି।”

Leave a Reply

Your email address will not be published. Required fields are marked *