Metro

ଗର୍ଭବତୀ ମହିଳା ଝରଣା ବେହେରାଙ୍କୁ ନ୍ୟାୟ ଦେବାରେ ପୋଲିସ ଅକ୍ଷମ

Suvbharat Times | Bhubaneswar 19072021 | www.suvbharattimes.in ଗର୍ଭବତୀ ଝରଣା ବେହେରା ଏବେ ସମ୍ପୂର୍ଣ୍ଣ ଅସହାୟ। ଅଧିକ ଯୌତୁକ ଦାବି କରି ମେ୨୮ ତାରିଖ ଭୋର ୫ଟାରେ ଶାଶୁଘର ଲୋକେ ତାଙ୍କୁ ଘରୁ ତଡି ଦେଇଛନ୍ତି। ଝରଣା ଗର୍ଭ ଯନ୍ତ୍ରଣା ସହି ୨ ଛୁଆଙ୍କ ସହ ବାପଘରେ ଆଶ୍ରୟ ନେଇଛନ୍ତି। ଶାଶୁଘର ଲୋକଙ୍କ ଯିଦ୍ ଯୌତୁକ ଆଣିଲେ ତୋତେ ଶାଶୁଘରେ ଭର୍ତ୍ତି କରିବୁ। କିନ୍ତୁ ଝରଣାଙ୍କ ପିତା ଜୟ ବେହେରା ଏଥିପାଇଁ ଅସମର୍ଥ। ଦୁଇ ଛୁଆଙ୍କ ଭବିଷ୍ୟତ ଚିନ୍ତାରେ ଭାଙ୍ଗିପଡି ୧୧ ଜୁନ ୨୦୨୧ରେ ଝରଣା ବେହେରା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନାରେ ଏଫ.ଆଇ.ଆର ଦାୟର କଲେ, ଯାହାର କେସ୍ ନଂ- ୦୧୯୧। ଟାଙ୍ଗି ପୋଲିସ ଭାରତୀୟ ଦଣ୍ଡ ସଂହିତା ୧୮୬୦ ଅନୁଯାୟୀ ଯଥାକ୍ରମେ ଦଫା- ୪୯୮(କ), ଦଫା-୩୨୩, ଦଫା-୩୦୭, ଦଫା-୩୪, ଯୌତୁକ ନିଷେଧ (ହିମାଚଳ ପ୍ରଦେଶ) ଆଇନ ଦଫା-୪ ଏବଂ ଦଫା-୫୦୬ରେ ମାମଲା ଋଜୁ କରିଛନ୍ତି।

ଝରଣା ବେହେରାଙ୍କ ଅଭିଯୋଗ ଓ ଘଟଣାର ଆଇ.ଓ ମନୋଜ କୁମାର ଦାସଙ୍କ ଯାଞ୍ଚ ରିପୋର୍ଟ ମୁତାବକ ଟାଙ୍ଗି ଆଇ.ଆଇ.ସି ବିଜୟ କୁମାର ମଲ୍ଲିକ ଅଭିଯୁକ୍ତଙ୍କ ବିରୋଧରେ କେତେକ ଗୁରୁତ୍ୱପୂର୍ଣ୍ଣ ଦଫା ଲଗାଇଛନ୍ତି। ଏସଂକ୍ରାନ୍ତରେ ଭାରତୀୟ ଦଣ୍ଡ ସଂହିତାରେ ଉଲ୍ଲେଖ ଅଛି, ଦଫା-୪୯୮(କ)- ଯଦି କୌଣସି ବ୍ୟକ୍ତି, କୌଣସି ସ୍ତ୍ରୀ ଲୋକର ସ୍ୱାମୀ ହୋଇ ସେହି ସ୍ତ୍ରୀ ଲୋକକୁ ନିଷ୍ଠୁରତାର ବଶବର୍ତ୍ତୀ କରାନ୍ତି, ଦଫା-୩୨୩- ସ୍ୱେଚ୍ଛାରେ ଆଘାତ ଜନ୍ମାଇବା, ଦଫା-୩୦୭- ହତ୍ୟା କରିବା ନିମନ୍ତେ ଉଦ୍ୟମ, ଦଫା-୩୪- ସମ ଅଭିପ୍ରାୟର ଅଗ୍ରସର ନିମନ୍ତେ ବ୍ୟକ୍ତି-ସମୂହ ଦ୍ୱାରା କୃତ କର୍ମ, ଯୌତୁକ ନିଷେଧ(ହିମାଚଳ ପ୍ରଦେଶ) ଆଇନ ଦଫା-୪- ଯୌତୁକ ଦାବି ପାଇଁ ଦଣ୍ଡ ଏବଂ ଦଫା-୫୦୬ ଅନୁଯାୟୀ ଅପରାଧିକ ଭୟ ପ୍ରଦର୍ଶନ ନିମନ୍ତେ ଦଣ୍ଡ। କିନ୍ତୁ ଟାଙ୍ଗି ଥାନା ପୋଲିସ ଘଟଣା ସହ ଜଡିତ କେତେକ ଟାଉଟର ଏବଂ କୁଜିନେତାଙ୍କ ଚାପରେ ପୋଲିସର କ୍ଷମତା ଓ ଦଣ୍ଡ ସଂହିତାକୁ ନିଲାମ କରିଦେଇଛି। ଅଭିଯୁକ୍ତମାନଙ୍କୁ ବାନ୍ଧି ହାଜତରେ ଭର୍ତ୍ତି କରିବା ପରିବର୍ତ୍ତେ ସେମାନଙ୍କୁ ସୁରକ୍ଷା ଦେଉଛି ପୋଲିସ।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ମାନସିଂହପୁର ଗାଁର ଜୟ ବେହେରାଙ୍କ ଝିଅ ଝରଣା ବେହେରା। ୧୦ ବର୍ଷ ତଳେ ଅବିଭକ୍ତ ସୋରଣ ପଞ୍ଚାୟତ ଅଧିନ ମାନସିଂହପୁର ମୌଜାର ପାଣ୍ଡବ ବେହେରାଙ୍କ ସାନପୁଅ କାହ୍ନୁ ବେହେରାଙ୍କ ସହ ବୈଦିକ ରୀତିରେ ତାଙ୍କର ବିବାହ ସମ୍ପର୍ଣ୍ଣ ହୋଇଥିଲା। ବିବାହ ସମୟରେ ଝରଣାଙ୍କ ପିତା ଜୟ ବେହେରା ଝିଅ ଶାଶୁଘର ଲୋକଙ୍କୁ ଯୌତୁକ ବାବଦରେ ନଗଦ ଏକ ଲକ୍ଷ ଟଙ୍କା ସମେତ ଲକ୍ଷାଧିକ ଟଙ୍କା ମୂଲ୍ୟର ସ୍ୱର୍ଣ୍ଣ ଅଳଙ୍କାର, କଂସା ବାସନ, ଫର୍ଣ୍ଣିଚର ଓ ସମସ୍ତ ଆସବାବପତ୍ର ଦେଇଥିଲେ। କିନ୍ତୁ ଯୌତୁକ ଲୋଭି ଶାଶୁଘର ଲୋକ ଅଧିକ ଯୈାତୁକ ଲାଳସାରେ ଝରଣା ଉପରେ ଅତ୍ୟାଚାର ଚଳାଇ ଆସୁଛନ୍ତି।

ଶାଶୁଘର ଲୋକଙ୍କ ଅତ୍ୟାଚାର ସୀମା ଲଂଘିବା ପରେ ୨୦୨୧, ଜୁନ୍ ୧୧ ତାରିଖରେ ଝରଣା ବେହେରା ପ୍ରଥମେ କୁହୁଡି ଫାଣ୍ଡି ଓ ପରେ ଟାଙ୍ଗି ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କଲେ। କୁହୁଡି ଫାଣ୍ଡି ଓ ଟାଙ୍ଗି ଥାନା ପୋଲିସ ଗାଁ ଟାଉଟରଙ୍କ ଚାମଚାଗିରୀ କରୁଛନ୍ତି। ସେମାନେ ଝରଣାଙ୍କ ଏତଲାକୁ ଚାପି ରଖି କୋର୍ଟ ତୁମକୁ ନ୍ୟାୟ ଦେବ କହି କୁହୁଡି ଫାଣ୍ଡି ଓ ଟାଙ୍ଗି ଥାନାକୁ ବାରମ୍ବାର ନଆସିବାକୁ ଝରଣାଙ୍କୁ ଧମକ ଦେଇଛନ୍ତି। ଆମର ସନ୍ଦେହ ହେଉଛି, କୁହୁଡି ଫାଣ୍ଡି ଓ ଟାଙ୍ଗି ଥାନା ପୋଲିସ ଝରଣାଙ୍କ ଅଭିଯୋଗ ଓ ଘଟଣାର ଆଇ.ଓଙ୍କ ଯାଞ୍ଚ ରିପୋର୍ଟକୁ ଅନୁଧ୍ୟାନ କରି ଦଫା ଲଗାଇଛନ୍ତିତ! ଯଦି ଆଇ.ଓଙ୍କ ଯାଞ୍ଚ ରିପୋର୍ଟ ଠିକ୍ ଅଛି, ତେବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅବହେଳା କାହିଁକି?

ଝରଣା ବେହେରା ଅଭିଯୋଗ ଫର୍ଦରେ ଲେଖିଛନ୍ତି, ସେ ପ୍ରଥମ ଗର୍ଭଧାରଣ କରିବା ଜାଣିବା ପରେ ଶାଶୁଘର ଲୋକ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଥିଲେ। ଝରଣା ଏନେଇ ଶାଶୁ ଗୌରୀ ବେହେରା, ଶ୍ୱଶୁର ପାଣ୍ଡବ ବେହେରା, ବିବାହିତା ନଣଦ ଗୁରେଇ ବେହେରା, ଦେଢଶୁର ମନୁ ବେହେରା ଏବଂ ସ୍ୱାମୀ କାହ୍ନୁ ବେହେରାଙ୍କ ନାମ ଏଫ.ଆଇ.ଆରରେ ଦର୍ଶାଇଛନ୍ତି। ଯୈାତୁକ ଆଣିଲେ ସ୍ୱାମୀ ସହ ରହିବୁ ବୋଲି ଧମକ ଦେଇ ଅଭିଯୁକ୍ତମାନେ ତାଙ୍କୁ ବାରମ୍ବାର ଘରୁ ତଡିଛନ୍ତି ଏବଂ ଗାଁର ଭଦ୍ରଲୋକଙ୍କ ହସ୍ତକ୍ଷେପ ପରେ ସର୍ତ୍ତ ରଖି ଶାଶୁଘରେ ରହିବାର ସୁଯୋଗ ଦେଇଛନ୍ତି। ଝରଣା ଦ୍ୱିତୀୟ ଗର୍ଭଧାରଣ କରିବାବେଳେ ମଧ୍ୟ ଶାଶୁଘର ଲୋକ ଯୌତୁକ ଦାବିରେ ପୁର୍ବବତ୍ ତାଙ୍କୁ ଘରୁ ତଡି ଥିଲେ। କିଛି ଭଦ୍ରଲୋକ ଘଟଣାର ମିମାଂସା କରି ଝରଣାଙ୍କୁ ପୁଣି ଶାଶୁଘରେ ପହଞ୍ଚାଇଲେ। ଶାଶୁଘର ଲୋକଙ୍କ ଅତ୍ୟାଚାର ସତ୍ୱେ ଝରଣା ଦୁଇ ଝିଅଙ୍କ ଭବିଷ୍ୟତ ପାଇଁ ସ୍ୱାମୀ କାହ୍ନୁ ବେହେରା ସହ ବୈବାହିକ ଜୀବନ ବିତାଇବାକୁ ସଙ୍କଳ୍ପ ନେଇଥିଲେ। କିନ୍ତୁ ଶାଶୁଘର ଲୋକଙ୍କ ଯୈାତୁକ ଲୋଭ ତାଙ୍କ ସୁଖ ସଂସାରକୁ ଉଜାଡି ଦେଇଛି।

ଆଜି ଝରଣାଙ୍କ ଗର୍ଭରେ ସ୍ୱାମୀ କାହ୍ନୁ ବେହେରାଙ୍କ ସନ୍ତକ। କିନ୍ତୁ, ଯୈାତୁକ ନଦେଇ ପାରିବାରୁ ଅସହାୟ ଅବସ୍ଥାରେ ଦୁଇ ଛୁଆଙ୍କ ସହ ବାପଘରେ ଦିନ କାଟୁଛନ୍ତି ଝରଣା ବେହେରା। ଗରିବ ବାପଘରେ ଦୁଇ ଓଳି ଦୁଇମୁଠା ଖାଇବାକୁ ନାହିଁ। ଉପଯୁକ୍ତ ଚିକିତ୍ସା ସେବା ଅଭାବରୁ ଗର୍ଭସ୍ଥ ସନ୍ତାନର ଲାଳନପାଳନ ଚିନ୍ତାରେ ବାପଘର ଲୋକ ମର୍ମାହତ। ଦୁଇ ଛୁଆଙ୍କ ଭବିଷ୍ୟତ ଝରଣାଙ୍କୁ ବିଚଳିତ କରୁଛି। ଏଣେ ଦାଉ ସାଧୁଛି ପୋଲିସ ଓ ପୋଲିସ ବ୍ୟବସ୍ଥା। ପୋଲିସ ଝରଣାଙ୍କୁ ନ୍ୟାୟ ଦେବା ବଦଳରେ କୋର୍ଟକୁ ଯାଅ, କୋର୍ଟରେ ନ୍ୟାୟ ମିଳିବ ବୋଲି କହି ଅଭିଯୁକ୍ତଙ୍କ ସୁରକ୍ଷାଦାତା ସାଜିଛି। ରାଜ୍ୟରେ ନାରୀ ସଶକ୍ତିକରଣର ନାରା ଦେଉଛି ସରକାର। କିନ୍ତୁ, ସରକାରୀ ପୃଷ୍ଠପୋଷକଙ୍କ ଛତ୍ରଛାୟା ତଳେ ଗାଁଗଣ୍ଡାର ଅସଂଖ୍ୟ ମହିଳା ଆଜି ଝରଣା ବେହେରା ଭଳି ଅକଥନୀୟ ନିର୍ଯ୍ୟାତନାର ଶିକାର ହେବା ଘଟଣା ବୁଦ୍ଧିଜୀବୀଙ୍କୁ ଚିନ୍ତାରେ ପକାଇଛି।

Leave a Reply

Your email address will not be published. Required fields are marked *